ଭୁବନେଶ୍ବର: ଭାଷା ବିବାଦ ସୃଷ୍ଟି କରେ ନାହିଁ। ଶୈଶବରେ ଓଡ଼ିଆ ପଢ଼ିଛି। ମନ୍ତ୍ରୀ ହେବା ପରେ ଲଗାତାର ହିନ୍ଦୀରେ କହି ଆସୁଛି। କିଛି ଦିନ ରହିଲେ ପଞ୍ଜାବୀ, ଗୁଜରାଟୀ ମଧ୍ୟ ବୁଝିପାରିବି, ତାମିଲ ମଧ୍ୟ କିଛିଟା ବୁଝେ। ଅନ୍ତର୍ଜାତୀୟ ମଞ୍ଚରେ ଇଂରାଜୀରେ ବକ୍ତବ୍ୟ ଦିଏ। ଏହି ସମସ୍ତ ପ୍ରକ୍ରିୟାରେ ଓଡ଼ିଆ ଭାଷା କେବେ ମଧ୍ୟ ବାଧକ ହୋଇନାହିଁ। ଭାଷାର ମୂଳ ପ୍ରଶିକ୍ଷଣ ମତେ ଛବିଳ ବର୍ଣ୍ଣବୋଧରୁ ମିଳିଛି। ଏଥିପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ରେ ତ୍ରି-ଭାଷାକୁ ଗୁରୁତ୍ବ ଦିଆଯାଇଛି। ୱେଲକମ୍ ହୋଟେଲ ପରିସରରେ ଦ ନ୍ୟୁ-ଇଣ୍ଡିଆନ୍ ଏକ୍ସପ୍ରେସ୍ର ଦଶମ ଓଡ଼ିଶା ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।
ସେ କହିଛନ୍ତି ଯେ ଭାଷା କେବଳ ଡିଗ୍ରି ହାସଲ କରିବା ପାଇଁ ନୁହେଁ, ବରଂ ଜ୍ଞାନ, ଅନୁଭବ ସହ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବା ଉଚିତ। ମାତୃଭାଷାକୁ ସ୍ବରୋଜଗାର ଅଭିମୁଖୀ କରିବା ପାଇଁ ସବୁ ରାଜ୍ୟମାନେ ସହମତ ଅଛନ୍ତି। ମାତୃଭାଷା ଜରିଆରେ ହିଁ ପିଲାର ସୃଜନଶୀଳର ଅଭିବୃଦ୍ଧି ହୁଏ। ପୁରୀ ଜିଲ୍ଲା ରଘୁରାଜପୁରର ପଟ୍ଟଚିତ୍ର ଆଙ୍କୁଥିବା କାରିଗରମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଚିତ୍ରରେ ଆଙ୍କିବା ବେଳେ ମାତୃଭାଷା ଉପରେ ନିର୍ଭର କରନ୍ତି। ଏହା ଜରିଆରେ ବୈଶ୍ବିକ ନାଗରିକ ସୃଷ୍ଟିର ଲକ୍ଷ୍ୟ ରହିଛି।
ଓଡ଼ିଶା ବିନା ଭାରତର ଅଭିବୃଦ୍ଧି ଅସମ୍ପୂର୍ଣ୍ଣ। କଳିଙ୍ଗ ମାଟି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ଭୀମଭୋଇଙ୍କ କାଳଜୟୀ ପଙ୍କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ ଜାତିସଂଘର କାନ୍ଥରେ ଲେଖାଯାଇଛି। ଓଡ଼ିଆ ସାଧବ ପୁଅ ବ୍ୟବସାୟ ପାଇଁ ଦକ୍ଷିଣ-ପୂର୍ବ ଏସିଆ ଅଭିମୁଖେ ଯାତ୍ରା କରୁଥିଲେ। ଏଥିରୁ ହିଁ ଐତିହାସିକ ବାଲିଯାତ୍ରାର ଜନ୍ମ ହୋଇଛି। ଓଡ଼ିଶାରେ ୮୦୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଜଗନ୍ନାଥ, କୋଣାର୍କ ଏବଂ ଲିଙ୍ଗରାଜ ମନ୍ଦିରରେ ବୈଜ୍ଞାନିକ ପୃଷ୍ଠଭୂମିର ପ୍ରମାଣ ମିଳେ। ଲକ୍ଷ୍ମୀପୁରାଣ ମାଧ୍ୟମରେ ଶାରଳା ଦାସ ମହିଳା ସଶକ୍ତୀକରଣର ଉଦାହରଣ ଦେଇଛନ୍ତି।
ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରେ କେନ୍ଦ୍ର ମନ୍ତ୍ରୀ ଆଜି ଏହି ସବୁ ଉତ୍ତର ରଖିଥିଲେ।
ପ୍ରାରମ୍ଭରେ ଖବରକାଗଜର ଆବାସିକ ସମ୍ପାଦକ ଶିବ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ଭବିଷ୍ୟତରେ ସଂସ୍କୃତି ବଞ୍ଚିବା ନେଇ ସଙ୍ଗୀତଜ୍ଞ ଏବଂ ଗବେଷକ ପ୍ରତୀକ ପଟ୍ଟନାୟକ, ଓଡ଼ିଶୀର ବ୍ୟାଖ୍ୟାକାର ଆରୁଷି ମୁଦଗଲ, ଗାୟକ ସ୍ନିତି ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘କେମିତି କହିବା ଆମର କଥା, କାହାନ୍ତି ନୂଆପିଢ଼ିର ଓଡ଼ିଆ ଲେଖକ’ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପକ ବିଶ୍ବରଞ୍ଜନ, ଲେଖକ ଚନ୍ଦ୍ରଶେଖର ହୋତା, ଶିକ୍ଷାବିତ୍ ସଂଘମିତ୍ରା ଭଞ୍ଜ ପ୍ରମୁଖ ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ହିଜାବକୁ ନେଇ ଗବେଷକ ମଧୁ କିଶ୍ବର ଏବଂ ଘଜଲା ୱାହାବ, ସଫଳତାର ମନ୍ତ୍ର ନେଇ ଅଶ୍ବିନୀ ଆୟର୍ ଆଲୋଚନା କରିଥିଲେ।