୧୯୭୧ ମସିହା ଯୁଦ୍ଧ ଆମ ଦେଶକୁ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏଥିରେ ଆମେ ୯୩ହଜାର ସୈନିକଙ୍କୁ ବନ୍ଦୀ କରି ପାକିସ୍ତାନକୁ ଆତ୍ମସମର୍ପଣ କରାଇବାକୁ ବାଧ୍ୟ କରିଥିଲୁ। ଏହା କେବଳ ଆମ ଦେଶ ବା ପାକିସ୍ତାନ ପାଇଁ ନୁହେଁ, ସମଗ୍ର ବିଶ୍ବରେ ଆମେ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇସାରିଥିଲୁ। ମୋ ବାପା ନୌସେନାରେ ବରିଷ୍ଠ ଅଧିକାରୀ ଥିବାରୁ ମୁଁ ଏନ୍ଡିଏ ଓ ପରେ ୧୯୬୭ରେ ନୌସେନାରେ ଯୋଗଦେଇଥିଲି। ପ୍ରାୟ ବର୍ଷକ ପରେ ମୋତେ ବିଶାଖାପାଟଣାରେ ଥିବା ଆଇଏନ୍ଏସ୍ ରାଜପୁତ୍ର ‘ନେଭିଗେସନ୍ ଓ ଅପରେସନ୍ସ ଅଫିସର୍’ ଭାବେ ନିଯୁ୍କ୍ତି ଦିଆଗଲା। ସେତେବେଳେ ମୁଁ ଲେଫଟନାଣ୍ଟ ଓ ମୋ ବାପା ରିଅର୍ ଆଡମିରାଲ୍ ଶ୍ରୀହରିଲାଲ ଶର୍ମା ‘ଇଷ୍ଟର୍ଣ୍ଣ ଫ୍ଲିଟ୍ର ଫ୍ଲାଗ୍ ଅଫିସର୍ କମାଣ୍ଡିଂ’ ଭାବେ ଆଇଏନ୍ଏସ୍ ବିକ୍ରାନ୍ତରେ ଯୁଦ୍ଧ କରୁଥାଆନ୍ତି।
ଡିସେମ୍ବର ୩ତାରିଖ ରାତିରେ ଆମେ ଭାଇଜାଗ୍ ପୋର୍ଟରୁ ବାହାରୁଥିବା ବେଳେ ପାକିସ୍ତାନର ବୁଡ଼ାଜାହାଜ ପିଏନ୍ଏସ୍ ଘାଜି ପୋର୍ଟ ନିକଟରେ ପାଣି ତଳେ ବୁଡ଼ିକି ରହିଥିଲା। ଆମ ଜାହାଜ ତାକୁ ସନ୍ଦେହ କରି ୩ଟା ‘ଡେପ୍ଥଚାର୍ଜ’ ମାରିଥିଲା ଓ ଆମେ ପୂର୍ବ ପାକିସ୍ତାନ ଅଭିମୁଖେ ବାହାରି ଯାଇଥିଲୁ। ପରଦିନ ସକାଳେ ଧୀବରମାନେ ସମୁଦ୍ରରୁ ପିଏନ୍ଏସ୍ ଘାଜିର ଭଗ୍ନାବଶେଷ ଓ କେତେଜଣ ନୌସୈନିକଙ୍କ ମୃତଦେହ ଠାବ କରିବା ପରେ ଆମେ ଜାଣିଥିଲୁ ଯେ ତାହା ପିଏନ୍ଏସ୍ ଘାଜି ଥିଲା। ଏଥିରେ ପାକିସ୍ତାନର ୯୩ଜଣ ନୌସୈନିକ ଜୀବନ ହରାଇଥିଲେ। ଚିଟଗଞ୍ଜ୍ ନିକଟରେ ପହଞ୍ଚିବା ପରେ ଆମ ଜାହାଜକୁ ଆଇଏନ୍ଏସ୍ ବିକ୍ରାନ୍ତରୁ ସିଗ୍ନାଲ୍ ଆସିଲା, ମୋତେ ତୁରନ୍ତ ସେଠାକୁ ଯିବା ପାଇଁ। ସିନିୟର୍ ଜାହାଜର ନିର୍ଦ୍ଦେଶ ଥିବାରୁ ଗୋଟେ ଛୋଟ ବୋଟ୍ ସମୁଦ୍ରକୁ ଓହ୍ଲାଇ ମୁଁ ତୁରନ୍ତ ଯୁଦ୍ଧକ୍ଷେତ୍ର ଭିତରେ ୫/୬ କିଲୋମିଟର ଦୂରରେ ଥିବା ଆଇଏନ୍ଏସ୍ ବିକ୍ରାନ୍ତକୁ ଗଲି। ସେଠାରେ ପହଞ୍ଚିବା ପରେ ଜାଣିଲି ଯେ, ମୋ ବାପା ଆଡମିରାଲ୍ ଶର୍ମା ମୋତେ ଭେଟିବାକୁ ଡକାଇଛନ୍ତି। ବାପାଙ୍କ ପାଖକୁ ଗଲି ଓ ମାତ୍ର ୧୦ମିନିଟ୍ ଭିତରେ ପୁଣି ଆମ ଜାହାଜକୁ ଫେରି ଆସିଥିଲି। ଅନ୍ୟମାନେ କେହି ଘର ସହ ଯୋଗାଯୋଗର ସୁଯୋଗ ପାଉ ନଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଗୁଳିଗୋଳା ଭିତରେ ବୋଟ୍ରେ ଯାଇ ବାପାଙ୍କୁ ଭେଟିବାର ସୌଭାଗ୍ୟ ପାଇବା ବିରାଟ ଉପଲବ୍ଧି ଥିଲି। ୧୯୭୧ ମସିହା ଯୁଦ୍ଧ ଜିତି ଫେରିବା ପରେ ଆମକୁ ସବୁଠି ସ୍ବାଗତ କରାଯାଇଥିଲା। ବିଶାଖାପାଟଣାରେ ପହଞ୍ଚିବା ପରେ ସାଧାରଣ ଲୋକମାନେ ବିଭିନ୍ନ ସ୍ଥାନରେ ସ୍ବାଗତ କରିଥିଲେ। ରାସ୍ତାରେ ଯିବା ବେଳେ ୟୁନିଫର୍ମ ପିନ୍ଧିଥିବା ଲୋକଙ୍କୁ ଦେଖିଲେ ସିଭିଲ୍ଆନ୍ମାନେ ସ୍ୟାଲୁଟ୍ କରୁଥିଲେ। ସେ ଯୁଦ୍ଧର ଅନୁଭୂତିକୁ ନେଇ ସାରା ଜୀବନ ଗର୍ବ କରୁଥିବି।
କମାଣ୍ଡର୍ ଦୀନବନ୍ଧୁ ଶର୍ମା
ନାଭିଗେସନ୍ ଅଫିସର୍, ଆଇଏନ୍ଏସ୍ ରାଜପୁତ୍
ଯୁଦ୍ଧ ଜିତିବାର ୩/୪ଦିନ ପରେ ଓଡ଼ିଶାରେ ବିଜୟ ଉତ୍ସବ ହୋଇଥିଲା
୧୯୭୧ମସିହା ଭାରତ-ପାକ୍ ଯୁଦ୍ଧ ବେଳେ ରାତିରେ ବ୍ଲାକ୍ଆଉଟ୍(ସମ୍ପୂର୍ଣ୍ଣ ଅନ୍ଧାର) କରାଯାଉଥିଲା। କଟକ ସହର ସମେତ ରାଜ୍ୟର ବିଭିନ୍ନ ସହରରେ ଆର୍ମି ଯବାନ ନିୟୋଜିତ ହୋଇଥିଲେ। ପୁଲିସ୍ ପକ୍ଷରୁ ମଧ୍ୟ ସହରର ଗଳିକନ୍ଦି, ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ଆଦି ସ୍ଥାନରେ କଡ଼ା ଯାଞ୍ଚ୍ କରାଯାଉଥିଲା। ରାତିରେ କେହି ବୁଲାବୁଲି କରୁ ନଥିଲେ। ଥରେ ମୁଁ ରାତି ୧୦ଟାରେ ସାଇକଲରେ ଯାଉଥିବା ବେଳେ ଆର୍ମି ଯବାନଙ୍କ ହାବୁଡ଼ଲେ ପଡ଼ିଲି। ମୋତେ ଅଟକାଇ ଅନେକ ପ୍ରଶ୍ନ ପଚାରିଲେ। ମୁଁ ସାଧାରଣ ଲୋକ ବୋଲି ହୃଦ୍ବୋଧ କରିବା ପରେ ଛାଡିଲେ। ଅର୍ଥାତ ପୁଲିସ୍, ସାମରିକ ବାହିନୀ, ଅର୍ଦ୍ଧସାମରିକ ବାହିନୀ; ସମସ୍ତେ ବେଶ୍ ସଚେତନ ଓ ସଜାଗ ଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମ ଯୁବକମାନଙ୍କ ମଧ୍ୟରେ ପ୍ରବଳ ଦେଶାତ୍ମକବୋଧ ଥିଲା। ସେ ସମୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଏନ୍ସିସି କ୍ୟାଡେଟମାନଙ୍କୁ ବନ୍ଧୁକ ଚାଳନାଠୁ ଆରମ୍ଭ କରି ଶତ୍ରୁ ସହ ଲଢ଼ିବା ଆଦି ପ୍ରଶିକ୍ଷଣ ଦିଆଯାଉଥିଲା। ବ୍ୟବସାୟୀମାନଙ୍କର ମଧ୍ୟ ଲାଭଖୋର ମନୋବୃତ୍ତି ନଥିଲା। ସେମାନେ ଆବଶ୍ୟକ ଉପରକରଣ ଗଚ୍ଛିତ ନ ରଖି ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଗାଉ ଥିଲେ। ତେଣୁ ସେତେବେଳେ ଦରଦାମ ବୃଦ୍ଧିର ପ୍ରଭାବ ପଡ଼ି ନାହିଁ। ୧୯୭୧ରେ କଟକରେ ବ୍ଲାକ୍ଆଉଟ୍ ହୋଇଥିବା ବେଳେ ରେଭେନ୍ସାର କିଛି ପିଲା ଅନ୍ଧାରରେ ଷ୍ଟେସନରେ ବୁଲାବୁଲି କରୁକରୁ ଏକ ଅଖା ପାଇଲେ। ସେମାନେ ଏ ଓଜନିଆ ଅଖାଟିକୁ ଗୋଟିଏ ଦୋକାନ ପାଖରେ ଲୁଚାଇ ରାତିରେ ହଷ୍ଟେଲକୁ ଚାଲିଗଲେ। ସକାଳୁ ଆଜି ଦେଖିଲା ବେଳକୁ ତାହା ମଧ୍ୟରେ ଚକଲେଟ୍ ରହିଥିଲା। କିଏ ବୋଧେ ଷ୍ଟେସନ୍ରେ ଫିଙ୍ଗିଦେଇ ପଳାଇଥିଲା। ୧୯୭୧ଯୁଦ୍ଧ ଖବର ଆଜିକାଲି ଭଳି ଜଣାପଡ଼ୁନଥିଲା। ଖବର ଜାଣିବାର ଏକମାତ୍ର ମାଧ୍ୟମ ଥିଲା ଖବରକାଗଜ। ଯୁଦ୍ଧ ବିଜୟର ୩/୪ଦିନ ପରେ ଓଡ଼ିଶାରେ ଖବର ପହଞ୍ଚିଲା। କଟକରେ କିଛି ଯୁବକ ଜାତୀୟ ପତାକା ଧରି ‘ଆମେ ଜିତିଗଲୁ, ପାକିସ୍ତାନ ପାନେ ପାଇଲା’ ଭଳି ସ୍ଲୋଗାନ ଦେଇ ବୁଲିବାରୁ ଲୋକେ ଭାରତର ବିଜୟ ବିଷୟରେ ସୂଚନା ପାଇ ଖୁସିହେଲେ।
ପ୍ରଫେସର ନଟବର ଶତପଥୀ
ପୂର୍ବତନ ପ୍ରାଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ