ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଦୁଇ ଦେଶରେ ଶୁଭୁଛି ଗୁଳିଗୋଳା, କମାଣର ଗର୍ଜନ। ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ନୂଆ ନୁହେଁ। ଦୁଇ ଦେଶ କାରଗିଲରେ ଯୁଦ୍ଧ ଲଢିଛନ୍ତି। ସୀମାରେ ଦୁଇ ଦେଶ ମଧ୍ୟରେ ବାରମ୍ବାର ଗୁଳିଗୋଳା ବିନିମୟ ଘଟି ଆସୁଛି। କିନ୍ତୁ ୧୯୭୧ ପରେ ଅର୍ଥାତ ୫୪ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ସଂପୂର୍ଣ୍ଣ ଯୁଦ୍ଧର ଆଖ୍ୟା ଦିଆଯାଉଛି। ୧୯୭୧ରେ ଦେଶ ପାଇଁ ଯୁଦ୍ଧ ଲଢିଥିବା ଓ ୧୯୭୧ ଯୁଦ୍ଧ ସମୟର ସ୍ଥିତିକୁ ଅନୁଭବ କରିଥିବା ବ୍ୟକ୍ତିଙ୍କ ସ୍ମୃତିକୁ ନେଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ସ୍ତମ୍ଭ।
ପାକିସ୍ତାନ ଆତଙ୍କବାଦୀ ଆକ୍ରମଣର ଉଚିତ୍ ଓ କଠୋର ଜବାବ ଦିଆଯିବା ପାଇଁ ବର୍ତ୍ତମାନ ପ୍ରକୃଷ୍ଠ ସମୟ। କେବଳ ପହଲଗାମ୍ ଆକ୍ରମଣର ନୁହେଁ, ଭବିଷ୍ୟତରେ ବି କେବେ ଯେମିତି ପାକିସ୍ତାନ ଏଭଳି ଦୁଃସାହସ ନକରେ ସେହିଭଳି କଠୋର ଜବାବ ଦିଆଯିବା ଜରୁରୀ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳକୁ ମୁଁ ଟ୍ରେନିଂ ସାରି ଡୋଗ୍ରା ରେଜିମେଣ୍ଟରେ ସବୁଠାରୁ ଜୁନିଅର୍ ଅଫିସର୍ ଭାବେ ପ୍ରାୟ ୨ବର୍ଷ ସେବା କରି ସାରିଥିଲି। ଯୁଦ୍ଧ ପୂର୍ବରୁ ଆମକୁ ୩୫ ବ୍ରିଗେଡ୍ର ୧୪ ଇନ୍ଫେଣ୍ଟ୍ରି ଡିଭ୍ରେ ମିରଟ୍ ଦେଇ ପଞ୍ଜାବର ଫିରୋଜପୁରକୁ ଯିବାକୁ ନିର୍ଦ୍ଦେଶ ମିଳିଲା। ‘ହ୍ବାଇଟ୍ ହଟ୍ ପ୍ରାୟୋରିଟି’ (ବର୍ତ୍ତମାନର ଗ୍ରିନ୍ କରିଡର୍) ଭିତରେ ଆମେ ବର୍ଡର୍କୁ ଗଲାବେଳେ ରାସ୍ତାରେ ବହୁସଂଖ୍ୟକ ସାଧାରଣ ଲୋକ ଆସି ଆମକୁ ଖାଦ୍ୟପଦାର୍ଥ ଓ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଓ ସମର୍ଥନ ଜଣାଉଥିଲେ। ସେନାବାହିନୀର ମନୋବଳ ବଢ଼ାଇବା ପାଇଁ ତାହା ଯଥେଷ୍ଟ ଥିଲା। ୧୯୭୧ ଯୁଦ୍ଧରେ ସତଲେଜ୍ ନଦୀ ପାଖରେ ଆମକୁ ‘ଅଫେନ୍ସିଭ୍ ଟାସ୍କ’ (ଆକ୍ରମଣ ପରେ ଦଖଲ) ଦାୟିତ୍ବ ମିଳିଥିଲା।
ଆମେ ନଦୀ ଏପାଖରେ ମାତ୍ର ୧୨ଜଣ ଅଫିସର୍, ୨୯ଜଣ ଜେସିଓଙ୍କ ସମେତ ମୋଟ ୭୫୦ଜଣ ସୈନିକ ଥିବାବେଳେ, ପ୍ରାୟ ୧କିଲୋମିଟର ଓସାରର ନଦୀ ଆରପଟେ ପାକିସ୍ତାନର ଗୋଟିଏ ସମ୍ପୂର୍ଣ୍ଣ ବ୍ରିଗେଡ୍ ଥିଲା। ନଦୀ ଏପାଖକୁ ଆସିବାର ଏକମାତ୍ର ମାଧ୍ୟମ ଥିଲା ହୁସେନିୱାଲା ବ୍ରିଜ୍। ଡିସେମ୍ବର ୩ ତାରିଖରେ ପାକିସ୍ତାନ ପଟୁ ପ୍ରଥମେ ଆକ୍ରମଣ ଆରମ୍ଭ ହେବା ପରେ ଆମେ ପ୍ରଥମେ ତୋପରେ ହୁସେନିୱାଲା ବ୍ରିଜ୍କୁ ଉଡ଼ାଇ ଦେଇଥିଲୁ। ଡିସେମ୍ବର ୧୦ତାରିଖ ସୁଦ୍ଧା ଆମ ବାଟାଲିଅନ୍ ପାକିସ୍ତାନ ନିକଟରୁ ୫ଟି ପୋଷ୍ଟ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲା। ୧୫ ତାରିଖ ଅପରାହ୍ନରେ ପାକିସ୍ତାନ ହାରିବା ସ୍ପଷ୍ଟ ହୋଇଯାଇଥିଲା। ସେହିଦିନ ସନ୍ଧ୍ୟାରେ ଯୁଦ୍ଧ ବିରାମ ନିର୍ଦ୍ଦେଶ ଆସିଲା। ହେଲେ, ଆମ ଭିତରେ ଏତେ କ୍ରୋଧ ଭରି ରହିଥିଲା ଯେ, ଆମ ପାଖରେ ଯେତେ ଗୋଳା ବାରୁଦ ଥିଲା ସେ ସବୁକୁ ଶତ୍ରୁପକ୍ଷ ଉପରେ ବର୍ଷଣ କରି ରାତିରେ ଦୀପାବଳି ପାଳି ପରଦିନ ଫେରିଥିଲୁ।
୧୯୭୧ ଯୁଦ୍ଧ ତୁଳନାରେ ଏବେ ଅନେକ ପରିବର୍ତ୍ତନ ଘଟିଛି। ଯୁଦ୍ଧ ଉପକରଣର ଆଧୁନିକୀକରଣ ହୋଇଛି। ସେହି କାରଣରୁ ଯୁଦ୍ଧ କେତେଦିନ ଚାଲିବ କହିବା କଷ୍ଟକର। ପାକିସ୍ତାନର ଅନେକ ଆଭ୍ୟନ୍ତରୀଣ ସମସ୍ୟା ରହିଥିବାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସେଠାକାର ସେନାବାହିନୀ ଯୁଦ୍ଧ ଲଢ଼ିବାକୁ ଚାହିବ। ବଲୁଚି ସେନା ଏହି ସୁଯୋଗରେ ପାକିସ୍ତାନକୁ ଦୁର୍ବଳ କରି କିଛି ଅଞ୍ଚଳ ଛଡ଼ାଇ ବି ନେଇପାରେ।
୧୯୭୧ ଯୁଦ୍ଧ ବେଳେ ଆମେ ସୈନିକମାନେ ଦେଶବାସୀଙ୍କ ସହ ଯୋଗାଯୋଗ କରିବାର କିଛି ସାଧନ ନଥିଲା। ଖବର ପରିବେଷଣର ରେଡିଓ ଓ ଖବରକାଗଜ ମାଧ୍ୟମ ଥିଲା। କେବଳ ସରକାରୀ ରେଡିଓ ଥିଲା। ବର୍ତ୍ତମାନ ଘରୋଇ ଟେଲିଭିଜନ୍, ଇ-ମେଲ୍, ସାମାଜିକ ଗଣମାଧ୍ୟମ ଭଳି ଅନେକ ମାଧ୍ୟମ ରହିଛି ଯାହାଦ୍ବାରା ଦେଶବାସୀଙ୍କ ପକ୍ଷରୁ ମିଳୁଥିବା ସମର୍ଥନର ବାର୍ତ୍ତା ଜଣେ ସୈନିକ ପାଇପାରୁଛି। ଏହା ଅନେକ ସୁଫଳ ଆଣୁଥିବା ବେଳେ ସାମାଜିକ ଗଣମାଧ୍ୟମ ଅନେକ ଭୁଲ୍ ତଥ୍ୟ ବି ଦେଉଛି, ଯାହା ବିଭ୍ରାନ୍ତିକର। ତଥାପି ଏ ଯୁଦ୍ଧରେ ଭାରତର ବିଜୟ ନିଶ୍ଚିତ।
(ପ୍ରସ୍ତୁତି: ସଚ୍ଚିକାନ୍ତ ନାଥ)