୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ଡିସେମ୍ବର ୧୬ ତାରିଖରେ ସରିଥିଲା। ସେଦିନ ପାକିସ୍ତାନର ୯୩ହଜାର ସୈନିକଙ୍କ ପକ୍ଷରୁ ଲେଫଟନାଣ୍ଟ ଜେନେରାଲ୍ ଏ.ଏ.କେ. ନିଆଜି ଆମ ଲେଫ୍ଟନାଣ୍ଟ-ଜେନେରାଲ୍ ଜଗଜିତ୍ ସିଂ ଅରୋରାଙ୍କ ନିକଟରେ ‘ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ସରେଣ୍ଡର୍’(ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ) ଦସ୍ତାବିଜ୍ରେ ଦସ୍ତଖତ କରିବା ପରେ ଔପଚାରିକ ଭାବେ ଯୁଦ୍ଧ ସରିଯାଇଥିଲା। ଦୁଇଦିନ ପରେ, ଡିସେମ୍ବର ୧୮ ତାରିଖରେ ଆମ ରେଜିମେଣ୍ଟକୁ ପୂର୍ବ ପାକିସ୍ତାନରୁ ପଶ୍ଚିମ ସୀମାର ଭୁଜ୍ ସେକ୍ଟର୍କୁ ପଠାଇ ଦିଆଯାଇଥିଲା। ଆମେ ୩ଟି ସ୍ପେଶାଲ୍ ଟ୍ରେନ୍ରେ ଯିବାବେଳେ ପ୍ରତି ଷ୍ଟେସନ୍ରେ ହଜାର ହଜାର ସଂଖ୍ୟାରେ ଲୋକ ଆମ ଟ୍ରେନ୍କୁ ସ୍ବାଗତ କରୁଥିଲେ। ପ୍ରାୟ ସମସ୍ତଙ୍କ ହାତରେ ଫୁଲତୋଡ଼ା, ଉପହାର ଥିଲା। ଆମେ ଭୁଜ୍ ସେକ୍ଟର୍ରେ ପହଞ୍ଚିବା ବେଳକୁ ଫୁଲତୋଡ଼ା ଓ ଉପହାର ରଖିବାକୁ ଟ୍ରେନ୍ରେ ଜାଗା ଅଭାବ ପଡ଼ିଥିଲା। ଦେଶବାସୀ ସେ ବିଜୟରେ କେତେ ଖୁସି ଥିଲେ ସେଥିରୁ ସ୍ପଷ୍ଟ ବାରିହୋଇପଡ଼ୁଥିଲା।
୧୯୬୭ ମସିହାରେ ମୁଁ ଆର୍ମିରେ ଯୋଗଦେବା ବେଳକୁ ବଡ଼ଭାଇ ବିରଜାପ୍ରସାଦ ଏୟାର୍ଫୋର୍ସରେ ପାଇଲଟ୍ ଥିଲେ। ସେ ୧୯୬୫ ଯୁଦ୍ଧରେ ବି ଭାଗ ନେଇଥିଲେ। ଏନ୍ଡିଏ ଓ ଆଇଏମ୍ଏରେ ଟ୍ରେନିଂ ସାରି ୧୯୭୧ରେ ମୋତେ ୬ମାସ ‘ୟଙ୍ଗ୍ ଅଫିସର୍ସ କୋର୍ସ’ କରିବାକୁ ଥିଲା। ହେଲେ ଯୁଦ୍ଧ ପରିସ୍ଥିତି ଥିବାରୁ ଟ୍ରେନିଂ ବାତିଲ୍ କରି ଆମକୁ ନଭେମ୍ବର ୧ ତାରିଖରେ ସିଲିଗୁଡ଼ି ବଲୁର୍ଘାଟ ଆର୍ଟିଲରି ୟୁନିଟ୍ରେ ଯୋଗଦେବାକୁ କୁହାଗଲା। ସେତେବେଳକୁ ଘୋଷଣା ହୋଇ ନଥିଲେ ବି ଯୁଦ୍ଧ ଆରମ୍ଭ ହୋଇସାରିଥାଏ। ୨୨ ନଭେମ୍ବରରେ ଉଭୟପଟୁ ବଡ଼ ‘ମାଉଣ୍ଟେନ୍ ଗନ୍’ରୁ ପାଖାପାଖି ହଜାରେ ଗୁଳି ଚାଲିଲା। ୩ ଶହରୁ ଅଧିକ ସୈନିକ ସହିଦ୍ ହେଲେ।
ଡ୍ୟୁଟିରେ ଯୋଗଦେବାର ମାତ୍ର ୨୦ଦିନ ଭିତରେ ଏତେବଡ଼ ଲଢ଼େଇ ମୋ ପାଇଁ ଯେମିତି ଚଳଚ୍ଚିତ୍ର ଦୃଶ୍ୟ ଭଳି ଥିଲା। ଡିସେମ୍ବର ୬ତାରିଖରେ ପାକିସ୍ତାନର ୨ଟି ଉଡ଼ାଜାହାଜ ଅଚାନକ ଆମ ଉପରକୁ ଧୂଆଁଧାର ବୋମାମାଡ଼ ଓ ରକେଟ୍ ମାଡ଼ କଲେ। ୭ମିନିଟ୍ର ଗୁଳି ଓ ରକେଟ୍ ମାଡ଼ ବେଳେ ମୁଁ ନିକଟରେ ଥିବା ବଙ୍କର୍କୁ ବି ଯାଇପରିଲିନି। ମାଟି ଉପରେ ମରିବା ପରି ଶୋଇଗଲି। ହେଲିକପ୍ଟର୍ରୁ ହେଉଥିବା ଗୁଳିମାଡ଼ ମୋ ଦୁଇ ପାଖରେ ରେଖା କାଟିବା ଭଳି ଆଙ୍କି ହୋଇଗଲା, ସୌଭାଗ୍ୟକୁ ମୋ ଦେହରେ ଗୋଟିଏ ବି ଗୁଳି ବାଜିନଥିଲା। ସେଇ ୭ ମିନିଟ୍ ଯେମିତି ମୋତେ ୭ବର୍ଷରୁ ଅଧିକ ସମୟ ଲାଗିଥିଲା। ଆମକୁ ଅନେକ ସମୟରେ ଭୋକ-ଉପାସରେ ରହି ଲଢ଼ିବାକୁ ପଡ଼ିଛି। ଖାଦ୍ୟ ଥିଲେ ବି ଖାଇବା ସୁଯୋଗ ମିଳିନି। ହେଲେ ଯୁଦ୍ଧର ବିଜୟ ସେ ସବୁ କଷ୍ଟକୁ ଭୁଲାଇ ଦେଇଥିଲା। ମୁଁ ସ୍ଥଳସେନାରେ ଲଢ଼ୁଥିବା ବେଳେ ଭାଇ ପଶ୍ଚିମ ପଟେ ବାୟୁସେନା ଫାଇଟର୍ ପାଇଲଟ୍ ଭାବେ ଲଢ଼ୁଥିଲେ। ସେତେବେଳେ ଯୋଗାଯୋଗର କିଛି ସାଧନ ନଥିବାରୁ ବାପା-ମା’ କିଛି ଖବର ପାଉ ନଥିଲେ। ସବୁବେଳେ ଆଶଙ୍କାରେ ରହୁଥିଲେ। ସେମାନେ ଆମଠାରୁ ଢ଼େର୍ ଅଧିକ ମାନସିକ ଯନ୍ତ୍ରଣା ଭୋଗିଥିଲେ।
ବିଗ୍ରେଡିୟର୍
ବରଦା ପ୍ରସାଦ ପଟ୍ଟନାୟକ