୧୯୭୧ ମସିହାର ପ୍ରଥମ ଭାଗରେ ପାକିସ୍ତାନ ସେନା ଦ୍ବାରା ପୂର୍ବ ପାକିସ୍ତାନର ଲୋକମାନଙ୍କୁ ଓ ପିପୁଲ ଅଫ୍ ଇଷ୍ଟ୍ ପାକିସ୍ତାନ (ପିଇପି) ସଦସ୍ୟମାନଙ୍କୁ ଅତି କ୍ରୁର ଭାବେ ଦମନ କରାଯାଇଥିଲା। ସେମାନେ ସୀମା ଡ଼େଇଁ ଭାରତବର୍ଷରେ ପ୍ରବେଶ କରିଥିଲେ। ଏହି ଶରଣାର୍ଥୀମାନେ ଭାରତବର୍ଷ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଥିଲେ। ଅନୁପ୍ରବେଶରୁ ନିସ୍ତାର ପାଇବା ତଥା ପୂର୍ବ ପାକିସ୍ତାନୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଭାରତ ସେମାନଙ୍କୁ ତାଲିମ ଓ ଅସ୍ତ୍ରଶସ୍ତ୍ର ଦେଇଥିଲା। ଆମ ଅଧିକାରୀମାନେ ଗ୍ରାମାଞ୍ଚଳର ମୁସଲମାନଙ୍କ ବେଶରେ ପୂର୍ବ ପାକିସ୍ତାନରେ ସେମାନଙ୍କୁ ଯୁଦ୍ଧକୌଶଳର ତାଲିମ ଦେଇଥିଲେ। ସେମାନେ ‘ମୁକ୍ତିବାହିନୀ’ ଭାବେ ପରିଚିତ ହୋଇଥିଲେ। ମୁଁ ସେତେବେଳେ ଏକ ‘ଇଏମ୍ଇ’ (ଇଲେକ୍ଟ୍ରୋନିକ ଆଣ୍ଡ ମେକାନିକାଲ୍ ଇଞ୍ଜିନିୟରିଂ) ୱାର୍କସପ୍ର ଅଫିସର୍ କମାଣ୍ଡିଙ୍ଗ୍ ଥାଏ। ଦୁଇଜଣ କ୍ୟାପଟେନ୍ ଓ ଅନ୍ୟମାନଙ୍କୁ ଧରି ଯଥେଷ୍ଟ ଉପକରଣ ସହ ଆମେ ମୁଖ୍ୟ ବ୍ରିଗେଡ୍ ସାଙ୍ଗରେ ଚାଲିଥାଉ। ନଭେମ୍ବର ୪ର୍ଥ ସପ୍ତାହ ବେଳକୁ ଆମେ ନିର୍ଦ୍ଧାରିତ ପୋଜିସନ୍ରେ ପହଞ୍ଚି ଯାଇଥିଲୁ।
ଯୁଦ୍ଧ ଆରମ୍ଭ ହେବା ପରେ ଡିସେମ୍ବର ୧୦ ତାରିଖରେ ଆମକୁ ଖବର ମିଳିଲା ଯେ, ୧୪ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଢ଼ାକାସ୍ଥିତ ରାଜ୍ୟପାଳଙ୍କ ବଙ୍ଗଳାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ସେଥିରେ ପାକିସ୍ତାନର ବରିଷ୍ଠ ସେନାଧିକାରୀଙ୍କ ସହିତ ଆମେରିକାର ରାଜଦୂତ ବି ସାମିଲ ହେବାର ସମ୍ଭାବନା ରହିଛି। ଖବର ପାଇବା କ୍ଷଣି ସେହି ୧୦ ତାରିଖ ରାତିରେ ଆମ କର୍ପସ୍ କମାଣ୍ଡର୍ ଢ଼ାକା ନିକଟରେ ଥିବା ଫାଇଭ୍ ଡିଭ୍ ମୁଖ୍ୟାଳୟରେ ଏକ ମିଟିଂ ଡାକି ତୁରନ୍ତ ସେ ଦିଗକୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମୁକ୍ତିବହିନୀ କମାଣ୍ଡରମାନେ ବି ଥିଲେ। ସେତେବେଳେ ଫାଇଭ୍ ଡିଭ୍ ମୁଖ୍ୟାଳୟ ଢାକା ରାଜଭବନଠାରୁ ଅଳ୍ପ ଦୂରରେ ଥିଲା। ଯୋଜନା ମୁତାବକ, ୩ଟି ‘ମାଉଣ୍ଟେନ ଗନ୍’ ଖୋଲାଯାଇ ଛୋଟ ଛୋଟ ଡଙ୍ଗାରେ ରାଜଭବନ ପାଖକୁ ପଠାଗଲା। ଡଙ୍ଗାରେ ସ୍ପେସାଲିଷ୍ଟ ସୈନିକ ଓ ମୁକ୍ତିବାହିନୀ ସୈନିକମାନେ ବି ଗଲେ। ସମ୍ପୂର୍ଣ୍ଣ ମିସନରେ ଦୁଇଜଣ ଅଫିସରେ ଥିଲେ, ସେଥିରୁ ମୁଁ ଜଣେ।
୧୪ ତାରିଖ ରାଜଭବନ ବୈଠକରେ ପାକିସ୍ତାନର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜି ଓ ସିଭିଲିଆନ୍ ଅଧିକାରୀମାନେ ଯୋଗଦେବାକୁ ଥିଲା। ବୈଠକର ଠିକ ଘଣ୍ଟାଏ ପୂର୍ବରୁ ଆମର ୩ଟି ଯାକ ‘ମାଉଣ୍ଟେନ୍ ଗନ୍’ ରାଜଭବନ ଉପରକୁ ଗୋଳାବର୍ଷଣ କରିଦେଲେ। ରାଜଭବନ ଭିତରେ ଥିବା ଲେଫ୍ଟନାଣ୍ଟ୍ ଜେନେରାଲ୍ ନିୟାଜିଙ୍କ ସମେତ ରାଜ୍ୟପାଳଙ୍କ ଘରେ ଥିବା ଅନ୍ୟ ସମସ୍ତେ ଆମ ଘେରାଉ ଭିତରେ ଥିଲେ। ଆତ୍ମସମର୍ପଣ ବିନା ସେମାନଙ୍କ ନିକଟରେ ଆଉ କୌଣସି ବିକଳ୍ପ ରହି ନଥିଲା। ବାଧ୍ୟହୋଇ ଲେଫଟନାଣ୍ଟ୍ ଜେନେରାଲ୍ ନିୟାଜି ଭାରତୀୟ ସେନାମୁଖ୍ୟ ଜେନେରାଲ୍ ସାମ୍ ମାନେକ୍ସାଙ୍କୁ ଖବର ପଠାଇଲେ ଆତ୍ମସମର୍ପଣ ପାଇଁ। ଠିକ୍ ତା’ ପରଦିନ, ୯୩ ହଜାର ସୈନିକଙ୍କ ସହ ପାକିସ୍ତାନର ଲେଫଟନାଣ୍ଟ ଜେନେରାଲ୍ ନିୟାଜି ଭାରତୀୟ ସେନାର ଲେଫଟନାଣ୍ଟ ଜେନେରାଲ୍ ଜଗଜିତ୍ ସିଂ ଅରୋରାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ, ଯାହା ସମଗ୍ର ବିଶ୍ବ ଇତିହାସରେ ବିରଳ।
ବ୍ରିଗେଡିଅର୍
କମଳାକାନ୍ତ ଆଚାର୍ଯ୍ୟ (ରିଟାୟାର୍ଡ)