ଭୁବନେଶ୍ୱର: ସୁପର୍ହିଟ୍ ଫିଲ୍ମ ‘ଗଦର୍: ଏକ୍ ପ୍ରେମକଥା’ ଓ ‘ଗଦର୍ ୨’ରେ ତାରା ସିଂହର ପୁଅ ‘ଜିତେ’ ହେଉ ଅଥବା ‘ଜିନିଅସ୍’ର ବାସୁଦେବ ଶାସ୍ତ୍ରୀ, ସବୁଥିରେ ନିଜର ଅଭିନୟର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା। ଚଳନ୍ତି ସମୟର ଜଣେ ପ୍ରତିଭାବାନ ଅଭିନେତା ଭାବେ ପରିଚିତ ଉତ୍କର୍ଷ ତାଙ୍କର ଆଗାମୀ ଫିଲ୍ମ ‘ବନବାସ’ର ପ୍ରଚାର ତଥା ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କ ସହ ଖାସ୍ କଥାବାର୍ତ୍ତାରେ ପ୍ରିୟଙ୍କା ରାୟ
8ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ କ’ଣ କହିବେ ?
ମୋର ସବୁବେଳେ ଇଚ୍ଛା ଥିଲା ମୁଁ କେବେ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବି। କଥାରେ ଅଛି- ତମେ ଯେତେବେଳେ କୌଣସି ଜିନିଷକୁ ଅନ୍ତରରରୁ ଚାହିବ, ତେବେ ଭଗବାନ ତାହା ପୂର୍ଣ୍ଣ କରି ଦିଅନ୍ତି। ଏହା ମୋ’ କ୍ଷେତ୍ରରେ ବି ଘଟିଛି। ମୁଁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଐତିହ୍ୟର ଭୂମି କୋଣାର୍କ ତଥା ‘କିଟ୍ ଓ ‘କିସ୍’ର ପିଲାମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇଲି। ଭୁବନେଶ୍ୱର ଏକ ସବୁଜିମାଭରା ସହର। ଏଠାରେ ବିଭିନ୍ନ ମନ୍ଦିର ତଥା ଛକରେ ଥିବା ପ୍ରସ୍ତର କଳା ଓ କାନ୍ଥରେ ଥିବା ଚିତ୍ରକଳା ସହରକୁ ଆହୁରି ଆକର୍ଷଣୀୟ କରୁଛି।
8କୌଣସି ଓଡ଼ିଆ ଫିଲ୍ମର ଅଫର୍ ମିଳିଲେ ଗ୍ରହଣ କରିବେ?
ଭଲ କାହାଣୀ ଥିଲେ ନିଶ୍ଚୟ ଗ୍ରହଣ କରିବି। କାରଣ ଭାରତୀୟ ଚଳଚ୍ଚିତ୍ରରେ ଭାଷା ନୁହେଁ, କାହାଣୀ ଗୁରୁତ୍ୱ ବହନ କରେ। ନିକଟ ଅତୀତରେ ଜାତୀୟ ପୁରସ୍କାର ପ୍ରାପ୍ତକରିଥିବା ‘କାନ୍ତାରା’ ଚଳଚ୍ଚିତ୍ର ଏହାର ପ୍ରମୁଖ ଉଦାହରଣ। ଯଦି କୌଣସି ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତି, ପ୍ରଥା ଓ ପରମ୍ପରା ଠିକ୍ ଭାବରେ ଦର୍ଶାଯାଇଛି, ତାହା ଦର୍ଶକଙ୍କ ନିକଟରେ ପହଞ୍ଚିଛି। ତେଈୁ ଭଲ କାହାଣୀ ଥିଲେ ମୁଁ ଓଡ଼ିଆ ଫିଲ୍ମରେ ନିଶ୍ଚୟ ଅଭିନୟ କରିବି।
8ନିଜର ଆଗାମୀ ଫିଲ୍ମ ‘ବନବାସ’ ବିଷୟରେ କିଛି କହନ୍ତୁ?
ଚଳଚ୍ଚିତ୍ର ‘ବନବାସ୍’ ହେଉଛି ଭାବନା ଓ ମନୋରଞ୍ଜନର ‘ଗଦର’ ସଦୃଶ୍ୟ। ବର୍ତ୍ତମାନ ଅଧିକାଂଶ ପରିବାରରେ ପିଲାମାନେ ନିଜ ବୃଦ୍ଧ ପିତାମାତାଙ୍କୁ ଛାଡ଼ି ଦେଇ ଚାଲି ଯାଉଛନ୍ତି। ସେହି ପିଲାମାନଙ୍କ ମନୋରଞ୍ଜନ ମାଧ୍ୟମରେ ସଚେତନତା କରିବା ସହିତ ପରିବାର ଯୋଡ଼ିବା ଏହି ଚଳଚ୍ଚିତ୍ରର ଲକ୍ଷ୍ୟ।
8ବଲିଉଡ୍ରେ ପରିବାରବାଦ ଏକ ଚର୍ଚ୍ଚିତ ପ୍ରସଙ୍ଗ। ଆପଣଙ୍କ ମତ କ’ଣ?
ପାରିବାରିକ ଅଭିନୟ ପରମ୍ପରା ଥିବା କୌଣସି ନୂଆ କଳାକାର ଆସିଲେ, ଲୋକଙ୍କର ଉତ୍ସୁକତା ନିଶ୍ଚିତ ଭାବେ ରହେ। ସେଭଳି କେହି ସଫଳ ହେଲେ, ଚର୍ଚ୍ଚା ହୁଏ। ତେବେ ମୁଁ ସବୁବେଳେ ବିଶ୍ୱାସ କରେ ଯେ କୌଣସି କାର୍ଯ୍ୟ କରିବାବେଳେ ନିଜର ଶତ ପ୍ରତିଶତ ଦେବା ଉଚିତ। ଇଞ୍ଜିନିୟରିଂ ପାଠ ସରିବା ପରେ ଯେତେବେଳେ ମୁଁ ଅଭିନୟକୁ ନିଜର କ୍ୟାରିଅର କରିବା କଥା ଭାବିଲେ, ସେତେବେଳେ ନିଜ କଳାକୁ ବିକଶିତ କରିବା ପାଇଁ ବିଭିନ୍ନ ଥିଏଟରର ଅଭିନୟ ଶିଖିବା ସହିତ ଆମେରିକାରେ ମଧ୍ୟ ଥିଏଟରରେ ଅଭିନୟ କରିଥିଲି। ମୋର କେବଳ ଗୋଟିଏ ଲକ୍ଷ୍ୟ ଥିଲା ଯେ ଭାରତୀୟ ଚଳଚ୍ଚିତ୍ରକୁ କିଭଳି ମୁଁ ବିଶ୍ୱସ୍ତରକୁ ନେବି। ତେଣୁ ମୁଁ ସେଠାରୁ ଆସି ମୁଁ ଏଭଳି ଫିଲ୍ମର ତଲାସରେ ରହିଛି, ଯାହା ସମାଜକୁ ପ୍ରଭାବିତ କରୁଥିବ।
କିସ୍ ଓ କିଟ୍ରେ ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା
ଚନ୍ଦ୍ରଶେଖରପୁର: ବଲିଉଡ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। କିସ୍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇରୁ କିସ୍ ଆସିଥିଲେ। ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’। ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ ନିର୍ଦ୍ଦେଶକ ଓ ନିର୍ମାତା ଅନିଲ ଶର୍ମା କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ। ତେଣୁ ସେ କିସ୍ ପିଲାଙ୍କ ସହ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ଉତ୍କର୍ଷଙ୍କୁ ଏଠାକୁ ପଠାଇଥିଲେ। ଉତ୍କର୍ଷଙ୍କ ସହ ତାଙ୍କ ମା’ ଓ ଭଉଣୀ ମଧ୍ୟ ଆସିଥିଲେ। ଆଜି ସକାଳେ ସେମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଅପରାହ୍ନରେ କିଟ୍ ଓ କିସ୍ ପରିଦର୍ଶନ କରିବା ପରେ କିସ୍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଥିଲେ। ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ସେ କହିଲେ, ‘‘ଦେଶର ଅନେକ ବ୍ୟକ୍ତି ସମାଜ ପାଇଁ ଅନେକ କିଛି କରିଛନ୍ତି। କିନ୍ତୁ ଶ୍ରୀ ସାମନ୍ତ ଯାହା କରୁଛନ୍ତି ତାହା କଳ୍ପନାର ବାହାରେ। ଏଠାରେ ୪୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବାନ ବିରାଜମାନ କରୁଥିବା ମୁଁ ଦେଖିପାରୁଛି। ସେମାନଙ୍କ ଶୁଭେଚ୍ଛା ଓ ଭଲ ପାଇବା ମୋତେ ଅଭିଭୂତ କରିଛି।’’