ପ୍ରବାସରୁ ବାହୁଡ଼ିଥିବା କଳ୍ପନାଙ୍କ ବୟାନ: ସବ୍ୟ ଭାଇଙ୍କ ଯୋଗୁଁ ବାହା‌ ହୋଇପାରିଲି

ଭୁବନେଶ୍ବର: ବାହାଘର ପାଇଁ ପୁଅ ଦେଖା ସରିଥିଲା। ତାରିଖ ବି ଠିକ୍‌ ହୋଇଯାଇଥିଲା। ମାତ୍ର କମ୍ପାନିର ଦାଉ ଓ ଲକ୍‌ଡାଉନ ଯୋଗୁଁ ତାମିଲନାଡ଼ୁର ତିରୁପୁରରୁ ପାଦ କାଢ଼ି ପାରି ନଥିଲେ କଟକ ଚୌଦ୍ବାରର କଳ୍ପନା ପଟ୍ଟନାୟକ। କମ୍ପାନିର ଦୌରାତ୍ମ୍ୟ, ଲକ୍‌ଡାଉନ୍‌ରେ ଫସି ଯାଇଥିବାରୁ କଳ୍ପନା ଅଭିନେତା ସବ୍ୟସାଚୀଙ୍କ ସହଯୋଗ ଲୋଡ଼ିଥିଲେ। ତାମିଲନାଡ଼ୁରେ ଥିବା ବେଳେ ବାହାଘର ତାରିଖ ଅତିକ୍ରମ କରି ଯାଇଥିବାରୁ କଳ୍ପନା ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଥିଲେ। ତେବେ ଶେଷରେ ଭାଇଟିଏ ଭଳି ଆଗେଇ ଆସି କଳ୍ପନାଙ୍କୁ ବସ୍‌ରେ ଓଡ଼ିଶା ଫେରାଇ ଆଣିଥିଲେ ସବ୍ୟସାଚୀ। ଜୁନ୍‌ ୧୭ରେ ଓଡ଼ିଶା ଫେରିଥିବା କଳ୍ପନା ଆଜି ବିବାହ କରି ଶାଶୂଘରକୁ ଯାଇଛନ୍ତି।

କଳ୍ପନାଙ୍କ କହିବା ମୁତାବକ, ଡିଡିୟୁ ଜେକେୱାଇରେ ଟେଲିରିଂ ତାଲିମ ପରେ ତାଙ୍କୁ କାମ ଦେବା ନେଇ ଜାନୁଆରି ୨୬ ତାରିଖରେ ତାମିଲନାଡ଼ୁର ତିରୁପୁର ପଠାଯାଇଥିଲା। ଯିବା ବେଳେ ସର୍ତ ଥିଲା, ମାସକୁ ୯ହଜାର ୬ଶହ ଟଙ୍କା ମିଳିବ। ଦ୍ବିତୀୟ ମାସରେ ଦରମା ୧୧ ହଜାରକୁ ବୃଦ୍ଧି ପାଇବ। ମାତ୍ର ୮ଘଣ୍ଟା ଜାଗାରେ ୧୨ ଘଣ୍ଟା କାମରେ ନିୟୋଜିତ କରାଗଲା। ପ୍ରଥମ ମାସରେ ୩ହଜାର ଟଙ୍କା ଦରମା ମିଳିଲା। ଖାଦ୍ୟରେ ବି ଭାତ ଓ ଚାରୁ ପାଣି ଦିଆଗଲା। ଏଭଳି ସ୍ଥିତି ଉପୁଜିବା ପରେ ସେଠାରେ କାମ କରୁଥିବା ଝିଅମାନେ ସେ କମ୍ପାନି ଛାଡ଼ି ଘରକୁ ଫେରିବାକୁ ଚାହିଁଲେ। କିନ୍ତୁ କମ୍ପାନି ସେମାନଙ୍କୁ ଛାଡ଼ିଲା ନାହିଁ।

ଏହା ଜାଣିବା ପରେ କଳ୍ପନା ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ସବ୍ୟସାଚୀଙ୍କୁ ଯୋଗାଯୋଗ କରିଥିଲେ। ସବ୍ୟସାଚୀ ସେଠାକାର ପୁଲିସ ଓ ଓଡ଼ିଆ ସଂଘର ସହଯୋଗ ଲୋଡ଼ିଲେ। ସେଠାରେ ଥିବା ପୁଲିସ ଅଧିକାରୀ ଜେ.କେ ପାଢ଼ୀ, ବିଭୂତି ଓ ଧୀରେନ୍‌ଙ୍କ ସହାୟତାରେ ପୁଲିସ୍‌ ଓ କମ୍ପାନି ସହ ନିଜେ କଥାବାର୍ତା କଲେ। ଏଥିସହ ସେମାନଙ୍କ ପାଇଁ ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା କରିବା ପରେ ସେମାନେ ଓଡ଼ିଶାରେ ପହଞ୍ଚିଥିଲେ। ଶେଷରେ ଆଜି ତାଙ୍କର ସେଇ ପ୍ରସ୍ତାବ ପଡ଼ିଥିବା ଜାଗାରେ ବିବାହ ସମ୍ପନ୍ନ ହୋଇଛି। କଳ୍ପନା କହିଛନ୍ତି, କମ୍ପାନିରେ ଅବ୍ୟବସ୍ଥା ଓ ବନ୍ଦୀ ଜୀବନ କାଟୁଥିବା ବ‌େଳେ ବାହାଘରକୁ ନେଇ ପରିବାର ଚିନ୍ତାରେ ଥିଲେ। ତେବେ ସବ୍ୟ ଭାଇଙ୍କ ଯୋଗୁଁ ମୁଁ ଓଡ଼ିଶା ଫେରିବା ସହ ବିବାହ କରିପାରିଛି।

ସମ୍ବନ୍ଧିତ ଖବର