ଅଧାରେ ରହିଲା  ଆଇଏଏସ୍‌ ସ୍ୱପ୍ନ

ଭୁବନେଶ୍ୱର: ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଏକ ଘରୁ ଆଜି ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହକୁ ଏୟାରଫିଲ୍ଡ ଥାନା ପୁଲିସ ଜବତ କରିଛି। ତାଙ୍କ ନାଁ ସୁଶ୍ରୀ ସଂଗୀତା ମଲ୍ଲିକ(୨୦)। ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ସୁଶ୍ରୀ ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ବଡ଼ ଭଉଣୀ ସୋନାଲିଙ୍କ ସହ ଭଡ଼ାରେ ରହି ଏକ ଘରୋଇ ବିଶ୍ୱବିଦ୍ୟାଳୟରେ +୩ ବିଜ୍ଞାନ ପଢ଼ୁଥିଲେ। ଏହାଛଡ଼ା ସେ ଆଇଏଏସ୍‌ ପାଇଁ ମଧ୍ୟ କୋଚିଂ ନେଉଥିଲେ। ତେବେ ସୋମବାର ରାତିରେ ସୁଶ୍ରୀ ଭଉଣୀଙ୍କ ସହ ଶୋଇଥିବା ବେଳେ ଏକ ନମ୍ବରରୁ ବାରମ୍ବାର କଲ୍‌ ଆସିଥିଲା। ଏହାପରେ ସୁଶ୍ରୀ ସେଠାରୁ ଉଠି ଅନ୍ୟ ଏକ ରୁମ୍‌କୁ ଚାଲି ଯାଇଥିଲେ। କିଛି ସମୟ ପରେ ସୁଶ୍ରୀ ରାଗରେ ଫୋନ୍‌ରେ କାହାକୁ ପାଟି କରୁଥିବା ଦେଖି ସୋନାଲି ସୁଶ୍ରୀଙ୍କ ନିକଟକୁ ଯାଇ ପଚାରିଥିଲେ। ହେଲେ ସୁଶ୍ରୀ କିଛି ନକହି ଫୋନ୍‌ କାଟି ଦେଇଥିଲେ। କିଛି ସମୟ ପରେ ପୁଣି ସେହି ନମ୍ବରରୁ ସୁଶ୍ରୀଙ୍କୁ କଲ୍‌ ଆସିଥିଲା। ସୁଶ୍ରୀ ପୁଣି ଅନ୍ୟ ରୁମ୍‌କୁ ଯାଇ କଥା ହୋଇଥିଲେ। ଆଉ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚରମସୀମାରେ ପହଞ୍ଚିଥିଲା। ସୋନାଲି ସୁଶ୍ରୀଙ୍କୁ ବୁଝାସୁଝା କରିବା ସହ କିଏ କାହିଁକି ଫୋନ୍‌ କରୁଛି ବୋଲି ଯେତେ ପଚାରିଲେ ବି ସୁଶ୍ରୀ କିଛି ନ କହି ଚୁପ୍‌ ରହିଥିଲେ। ଆଉ ସବୁଦିନ ପରି ସୁଶ୍ରୀ ଭଉଣୀଙ୍କ ସହ ନ ଶୋଇ ଅନ୍ୟ ରୁମ୍‌କୁ ଚାଲିଯାଇଥିଲେ। ସକାଳୁ ସୋନାଲି ଉଠିବା ପରେ ସୁଶ୍ରୀଙ୍କୁ ଡାକିଥିଲେ। ହେଲେ ସୁଶ୍ରୀ ଜବାବ ଦେଇ ନଥିଲେ କି କବାଟ ଖୋଲି ନଥିଲେ। ଝରକାବାଟେ ଦେଖିବାରୁ ସୁଶ୍ରୀ ଏକ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସୁଶ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ସୋନାଲି ଚିତ୍କାର କରିଥିଲେ। ସୋନାଲିଙ୍କ ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। କବାଟ ଭାଙ୍ଗି ସୁଶ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୋନାଲିଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ସୁଶ୍ରୀଙ୍କ ବାପା ଅର୍ଜୁନ ମଲ୍ଲିକ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅନ୍ୟପଟେ ସୁଶ୍ରୀଙ୍କ ନମ୍ବରକୁ ପୁଲିସ ଯାଞ୍ଚ କରୁଛି। କେଉଁ କେଉଁ ନମ୍ବରରୁ ସୁଶ୍ରୀଙ୍କୁ କଲ୍‌ ଆସିଥିଲା? ଯେଉଁ ଅଜଣା ନମ୍ବରରୁ କଲ୍‌ ଆସିଥିଲା ତାହା କାହାର? ସେ କାହିଁକି ବାରମ୍ବାର କଲ୍‌ କରୁଥିଲା? ଫୋନ୍‌ରେ ଏମିତି କ’ଣ କଥା ହୋଇଥିଲେ ଯାହା ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚରମସୀମାରେ ପହଞ୍ଚିଥିଲା? ଆଉ କଥାବାର୍ତ୍ତା ପରେ ସୁଶ୍ରୀ କାହିିଁକି ଏଭଳି ପଦକ୍ଷେପ ନେଲେ? ଏସବୁ ପ୍ରଶ୍ନର ଉତ୍ତର ପାଇବା ଲାଗି ପୁଲିସ କଲ୍‌ ରେକଡ୍‌ର୍ ଯାଞ୍ଚ କରୁଛି। କଲ୍‌ ରେକର୍ଡ୍‌ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର