ଭୁବନେଶ୍ୱର : ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଅସୁସ୍ଥ। ଗତକାଲି ଭିଜିଲାନ୍ସ ରିମାଣ୍ଡରୁ ଫେରି ଝାରପଡ଼ା ଜେଲ୍ ଯିବା ପରେ ୫ ନମ୍ବର ସେଲ୍ରେ ରହିଥିଲେ। ଆଜି ସକାଳୁ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜେଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମାନସିକ ଦୁଶ୍ଚିନ୍ତାରେ ତାଙ୍କର ରକ୍ତଚାପ ଅନିୟନ୍ତ୍ରିତ ହୋଇଛି ବୋଲି ଜେଲ୍ ସୂତ୍ରରୁ ସୂଚନା ମିଳିଛି। ଏବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିରେ ବ୍ୟତିକ୍ରମ ଦେଖାଗଲେ ତାଙ୍କୁ ଅନ୍ୟ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଛି।
ଏକ ଘରୋଇ ବ୍ୟାଙ୍କ୍ର ରିଲେସନ୍ ମ୍ୟାନେଜର ସନ୍ତୋଷ ପଟ୍ଟନାୟକଙ୍କ ଜରିଆରେ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ରିମାଣ୍ଡରେ ଆଣିଥିଲା। ଗତକାଲି ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା। ପ୍ରଥମେ ବିଜୟ କେତନ ତାଙ୍କ ବିରୋଧରେ ଷଡ଼୍ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରୁଥିଲେ ମଧ୍ୟ ଭିଜିଲାନ୍ସ ତାଙ୍କ ବିରୋଧରେ ଅନିୟମିତତାର ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିଥିଲା। ଗତକାଲି କୋର୍ଟରେ ଉପସ୍ଥାପନ ହେବା ପରେ ଏହି ପ୍ରମାଣ ବାବଦରେ ସେ ଅବଗତ ହୋଇଥିଲେ। ଏହାପରେ ସେ ମାନସିକ ଚାପଗ୍ରସ୍ତ ଥିବା ଅନୁମାନ କରାଯାଉଥିଲା। ଅପରାହ୍ନରେ ତାଙ୍କୁ କୋର୍ଟରୁ ଜେଲ୍ ନିଆ ଯାଇଥିଲା। ରାତିରେ ସେ ରୁଟି ଓ ସନ୍ତୁଳା ଖାଇଥିଲେ। ତେବେ ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜେଲ୍ ମେଡିକାଲ୍ର ୧ ନମ୍ବର ୱାର୍ଡରେ ଚିକିତ୍ସା ପାଇଁ ରଖାଯାଇଥିଲା।
ସୂଚନାଯୋଗ୍ୟ, ବିଜୟ କେତନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୮ ତାରିଖରେ ରହିଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ତେବେ ଅସୁସ୍ଥତା ନୁହେଁ, ବଡ଼ ବଡ଼ ଅଫିସର କିମ୍ବା ରାଜନେତା ଜେଲ୍ରେ ନ ରହିବା ପାଇଁ ଅସୁସ୍ଥତାର ବାହାନା କରି ମେଡିକାଲ ଆସିଥାନ୍ତି ବୋଲି ଚର୍ଚ୍ଚା ହେଉଛି।