ଆଇଏଏସ୍‌ ଅଧିକାରୀଙ୍କ ଝିଅ ସମ୍ପୃକ୍ତ!

ଡିଏଭି ବିଜିନେସ୍‌ ସ୍କୁଲ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣା ନୂଆମୋଡ଼ ନେବାକୁ ଯାଉଛି। ତାନିଆଙ୍କ ମୃତ୍ୟୁ ପଛରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅର ହାତ ରହିଛି ବୋଲି ତାଙ୍କ ବାପାମା’ ଅଭିଯୋଗ କରିଛନ୍ତି। ସେହି କାରଣରୁ ପୁଲିସ ତଦନ୍ତ ଠିକ ଭାବେ ଚାଲିନାହିଁ ବୋଲି ଅଭିଯୋଗ ହେଉଛି। ଆଜି କ୍ୟାପିଟାଲ ଥାନା ପୁଲିସ ତାନିଆଙ୍କ ବାପା ଓ ମା’ଙ୍କ ବୟାନ ରେକର୍ଡ କରିବାବେଳେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି। ଏପରିକି ସେମାନେ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି।ତାନିଆ ବାନାର୍ଜୀ ମୃତ୍ୟୁ ଘଟଣାରେ ଆଜି କ୍ୟାପିଟାଲ ଥାନା ପୁଲିସର ତଦନ୍ତକାରୀ ଅଫିସର ଜଣକ ସିଆର୍‌ପିସି ଧାରା ୧୬୧ ଅନୁଯାୟୀ, ମା’ କେୟା ବାନାର୍ଜୀ ଓ ବାପା ତିଲକ ବାନାର୍ଜୀଙ୍କ ବୟାନ ରେକର୍ଡ କରିଛି। ଦୁହେଁ କହିଛନ୍ତି, ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ମୋ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲା। ଯେଉଁ କାରଣରୁ ଝିଅ ଏଭଳି କାଣ୍ଡ ଭିଆଇଲା। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ କାରଣରୁ ତାନିଆର ମୃତ୍ୟୁ ଘଟିଲା ବୋଲି କୁହାଯାଇଛି। କେଉଁ କାରଣରୁ ଶ୍ୱାସରୁଦ୍ଧ ହେଲା ସେନେଇ ବ୍ୟବଚ୍ଛେଦ ରିପୋର୍ଟରେ କିଛି ବି ସ୍ପଷ୍ଟ ହୋଇ ନାହିଁ। ତେଣୁ ତାନିଆଙ୍କ ବାପା ଓ ମା’ ବ୍ୟବଚ୍ଛେଦ ରିପୋର୍ଟକୁ ସନ୍ଦେହ କରିଛନ୍ତି।

ବୟାନ ରେକର୍ଡ ସମୟରେ ତାନିଆଙ୍କ ବାପା ଓ ମା’ ଝିଅର ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ସ୍କୁଲ କର୍ତୃପକ୍ଷ ଓ ତାର ସାଙ୍ଗ ସାଥୀମାନଙ୍କୁ ଦାୟୀ କରିଛନ୍ତି। ଯଦି ସାମାନ୍ୟ କସ୍‌ମେଟିକ୍ସକୁ ନେଇ ହଷ୍ଟେଲ୍‌ରେ ପାଟିତୁଣ୍ଡ ହୋଇଥିଲା। ସ୍କୁଲ କର୍ତୃପକ୍ଷ ଏହାକୁ କାହିଁକି ଗୁରୁତର ସହ ନେଇ ନଥିଲେ। ଏଭଳି ପାଟିତୁଣ୍ଡ ପରେ ଜଣେ ଛାତ୍ରୀର ମାନସିକ ସ୍ଥିତ ଜାଣିବା ପରେ ମଧ୍ୟ ତାଙ୍କୁ କିପରି ଏକୁଟିଆର ରହିବାକୁ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ଯୋଗୁଁ ତାନିଆଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ତେବେ ଶ୍ୱାସରୁଦ୍ଧ କୌଣସି ଉପାୟରେ ହୋଇପାରେ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି ବୋଲି ଉଭୟ ପ୍ରଶ୍ନ କରିଛନ୍ତି। ତାନିଆଙ୍କ ମୁହଁରେ କେହି ତକିଆ ପକାଇ କିମ୍ବା ରୁମ୍‌ରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରି ତାଙ୍କ ଶ୍ୱାସରୁଦ୍ଧ କରିଥାଇ ପାରେ ବୋଲି ତାନିଆଙ୍କ ବାପା ଓ ମା’ ସନ୍ଦେହ କରିଛନ୍ତି। ଯେହେତୁ ଘଟଣାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ସମ୍ପୃକ୍ତ ଅଛନ୍ତି ତେଣୁ ପୁଲିସ ଚାପରେ ଘଟଣାକୁ ଘୋଡ଼ାଇବା ପାଇଁ ଯୋଜନା କରୁଥିବା ତାନିଆଙ୍କ ବାପା ଓ ମା’ କହିଛନ୍ତି।

ପ୍ରକାଶ ଥାଉ କି, ତାନିଆ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍‌ ନଂ-୫୨୮ରେ ଆଇପିସିର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା ରୁଜୁ କରି ଗତ ୨୯ ତାରିଖରେ ପୁଲିସ ସିଆର୍‌ପିସିର ଧାରା ୧୬୧ରେ ସ୍କୁଲର ଅଧ୍ୟକ୍ଷ, ଓ୍ଵାଡେନ୍‌, ସୁପରିନ୍‌ଟେଣ୍ଡେଣ୍ଟ, ସିକ୍ୟୁରିଟି ଗାର୍ଡ ଏବଂ ୬ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ଗତ ୨୭ ତାରିଖ ରାତିରେ ହଷ୍ଟେଲ୍‌ରେ ରୁମ୍‌ରେ ଏକୁଟିଆ ଥିବା ତାନିଆ ବେକରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର