ଥଣ୍ଡା ଥଣ୍ଡା କୁଲ୍‌ କୁଲ୍‌

ଏବେଠୁ ତାତିଲାଣି ରାଜଧାନୀ। ଘରୁ ବାହାରିଲେ ଦେହମୁଣ୍ଡ ଜଳି ଯାଉଛି। ତଣ୍ଟି ଶୁଖିଯାଉଛି। ତାତିକୁ ଦେଖି ରାଜଧାନୀବାସୀଙ୍କ ତୃଷ୍ଣା ଆଉ କେବଳ ପାଣିରେ ମେଣ୍ଟୁନି। ସହରବାସୀଙ୍କ ଶୋଷ ମେଣ୍ଟାଇବା ସହ କୁଲ୍‌ ଅନୁଭବ ଦେବାକୁ ରାଜଧାନୀରେ ଖୋଲିଛି ଥଣ୍ଡା ପାନୀୟର ପସରା। ଲସି, ଆଖୁରସ, ପୁଦିନା ପାଣି, ଘୋଳ ଦହି ଓ ଆମ୍ବ ରସ ଭଳି ଦେଶୀ ପାନୀୟ ବହୁଦେଶୀୟ କମ୍ପାନିର କୋଲ୍‌ଡ ଡ୍ରିଙ୍କ୍ସକୁ କଡ଼ା ଟକ୍କର ଦେଉଛି। ରାଜଧାନୀରେ ଖୋଲିଥିବା ଏଭଳି ଥଣ୍ଡା ଦେଶୀ ପାନୀୟର ପସରାକୁ ନେଇ
ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ପୁଦିନା ପାଣି
ଖରା ସମୟରେ ପୁଦିନା ପାଣି ସହ ଲେମ୍ବୁ ମିଶାଇ ପିଇଲେ ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଲୁ’ରୁ ଉପଶମ ଦିଏ। ଶରୀରରୁ ମେଦ ହ୍ରାସ କରିବା, ତ୍ୱଚାକୁ ଉଜ୍ୱଳ କରିବାରେ ମଧ୍ୟ ସାହାଯ୍ୟ କରେ। ପୁଦିନା ପାଣି ସହ ଜଲ୍‌ଜିରା, ଗୋଲମରିଚ, ହେଙ୍ଗୁ, ଆମ୍ବକଷିଆ ଅଦା ଓ ପାନମଧୁରି ଦେଇ ଏହା ପ୍ରସ୍ତୁତ କରାଯାଏ। ଖରାଦିନେ ଦିନକୁ ପ୍ରାୟ ୧୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଛି ବୋଲି ଉତ୍ତର ପ୍ରଦେଶରୁ ଆସି ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ନିଜ ଠେଲା ପକାଇ ଥିବା ସେଖ୍‌ବାବୁ କହନ୍ତି।

ମାଟି ହାଣ୍ଡି ଲସି
ଖରା ଦିନ ଆସିଯାଇଥିବାରୁ ମୃଦୁ ପାନୀୟ ଅପେକ୍ଷା ବଜାରରେ ଗ୍ରାହକଙ୍କ ପସନ୍ଦର ସ୍ଥାନ ନେଇଛି ପାରମ୍ପରିକ ଲସି। ଭୁବନେଶ୍ୱରରେ ସବୁବେଳେ ସ୍ୱତନ୍ତ୍ର ଲସିର ଚାହିଦା ରହିଥିବା ବେଳେ ବର୍ତ୍ତମାନ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବ୍ୟବସାୟୀମାନେ ବିଭିନ୍ନ ଧରଣର ଲସି ପରଷୁଛନ୍ତି। ପସନ୍ଦର ସର୍ବାଗ୍ରେ ରହିଛି ମାଟି ହାଣ୍ଡି ଲସି। ଖରା ଦିନେ ମାଟି ହାଣ୍ଡିରେ ପାଣି ହେଉ କିମ୍ବା ଦହି ରଖି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର। କଳ୍ପନା ଛକସ୍ଥିତ ମା’ ମଙ୍ଗଳା ମାଟିହାଣ୍ଡି ଲସି ସେଣ୍ଟରର ଗଣେଶ ଚନ୍ଦ୍ର ସାହୁଙ୍କ ମାଟି ହାଣ୍ଡି ଲସି ସହ ଗ୍ରାମ୍ୟ ପରିବେଶର ଅନୁଭୂତି ମିଳୁଛି। ମାଟି ହାଣ୍ଡି ଥିବା ବସା ଦହି ଓ ରାବିଡ଼ି ସହ ଛେନା, ନଡ଼ିଆ, ଚେରି, ବର୍ଣ୍ଣଭିଟା, ଖୁଆ, ପେଡ଼ା, କାଜୁ, କିସ୍‌ମିସ୍‌ ଦେଇ ସେ ମାଟି ପାତ୍ରରେ ଲସି ପରସି ଦିଅନ୍ତି। ଏହାର ଦାମ୍‌ ୬୦ ଟଙ୍କା ରହିଛି। ସେ ଫ୍ରିଜ୍‌ରେ ଦହି କିମ୍ବା ରାବିଡ଼ି ନରଖି ହାଣ୍ଡିରେ ରଖନ୍ତି। ଏହାଦ୍ୱାରା ତାହା ଶୀଘ୍ର ଖଟା ହୁଏ ନାହିଁ ବୋଲି ଗଣେଶ ଭାଇ କହିଛନ୍ତି।

ସୁଗାର୍‌ ଫ୍ରି ଲସି
ମଧୁମେହରେ ପୀଡ଼ିତ ରୋଗୀ ହୁଅନ୍ତୁ ବା ସ୍ୱାସ୍ଥ୍ୟ ସଚେତନ ନାଗରିଗଙ୍କୁ ଦୃଷ୍ଟିରେ ରଖି ବଜାରରେ ମିଳୁଛି ସୁଗାର୍‌ ଫ୍ରି ଲସି। ଏଥିରେ ଚିନି ବଦଳରେ ସୁଗାର୍‌ ଫ୍ରି ଗୋଲ୍ଡ ଦେଇ ପ୍ରସ୍ତୁତ କରାଯାଏ। ପୁରୁଣା ଭୁବନେଶ୍ୱରରୁ ଆସିଥିବା କରୁଣାକର ସାାହୁ କୁହନ୍ତି, ମୁଁ ମଧୁମେହ ରୋଗୀ। ଏଥିପାଇଁ ଲସି ଓ ଜୁସ୍‌ ଆଦିରୁ ଦୂରେଇ ରହିବାକୁ ପଡ଼େ। କିନ୍ତୁ ସୁଗାର ଫ୍ରି ଲସି ଏହି ଅଭାବ ଦୂର କରିଛି। ପ୍ରାୟ ସପ୍ତାହକୁ ୩|୪ ଥର ମୁଁ ଏଠାକୁ ଆସି ସୁଗାର୍‌ ଫ୍ରି ଲସି ପିଇ ଖରା ଦିନର ମଜା ନିଏ ବୋଲି ସେ କୁହନ୍ତି।

ଆଖୁ ରସ
ରାଜଧାନୀରେ ଆଖୁ ରସର ବି ବେଶ୍‌ ଚାହିଦା ରହିଛି। ସହରରେ ପ୍ରାୟ ୨୮୦ଟି ସ୍ଥାନରେ ଆଖୁରସ ବିକ୍ରି ହେଉଛି। ଏହାଛଡ଼ା ଆଖୁ ରସର ଚାହିଦା ଓ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ମା’ ଝାଡ଼ୁମଲେଇ ଆଖୁ ସଂଘ ପକ୍ଷରୁ ଠେଲାଗୁଡ଼ିକର ସ୍ୱଚ୍ଛତା ଉପରେ ଦୃଷ୍ଟି ଦିଆଯାଇଛି। ଆଖୁ ରସ ପାଇଁ ବାସି କିମ୍ବା ଲାଲ୍‌ ଆଖୁ ବ୍ୟବହାର ନ କରିବା, ଠେଲାଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିଜେ ଦୋକାନୀ ସଫା ସୁତୁରା ରହିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି। ଆଖୁରସର ଲୋକପ୍ରିୟତା ସବୁବେଳେ ରହିଛି ଓ ଏହି ବ୍ୟବସାୟ ତାଙ୍କର ସବୁବେଳେ ଦମ୍‌ଦାର୍‌ ଚାଲଛି ବୋଲି ଆଚାର୍ଯ୍ୟବିହାର ଛକରେ ଦୀର୍ଘ ୧୫ ବର୍ଷ ଧରି ନିଜ ଠେଲା ପକାଇ ଆସୁଥିବା ସୁରେଶ ରାଉତ କହିଛନ୍ତି। ଶରୀରରୁ ଜଳୀୟ ଅଂଶ କମିଯାଇଥିଲେ ଆଖୁ ରସ ଓ ପୁଦିନା ପାଣି ପେଟ ଥଣ୍ଡା ରଖିବା ସହ ଶରୀରକୁ ସଙ୍ଗେ ସଙ୍ଗେ ଶକ୍ତି ଯୋଗଇଥାଏ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରିଥାଏ। ଖରା ଦିନେ ଏହାର ଚାହିଦା ଢେର୍‌ ବଢ଼ିଯାଏ।

ସମ୍ବନ୍ଧିତ ଖବର