ଆଇସିସିଆର୍‌ ଆଞ୍ଚଳିକ କାର୍ଯ୍ୟାଳୟ ବନ୍ଦକୁ ବିରୋଧ

ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ (ଆଇସିସିଆର୍‌)ର ଭୁବନେଶ୍ୱରରେ ଥିବା ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ବନ୍ଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଆଜି ଜ୍ୟୋତି କଳା ମନ୍ଦିର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଜ୍ୟୋତି ରାଉତ ଅଧ୍ୟକ୍ଷତା କରି କହିଲେ, ଆଇସିସିଆର ରାଜ୍ୟର ଲୋକକଳାକୁ ବଞ୍ଚାଇ ରଖିବା, ଲୁକ୍କାୟିତ କଳାକୁ ଲୋକଲୋଚନକୁ ଆଣିବା, ବିଭିନ୍ନ ଦେଶରେ ଓଡ଼ିଶାର କଳାକୁ ପ୍ରଚାର ପ୍ରସାର କରାଇବା ଏବଂ ଗରିବ ରାଷ୍ଟ୍ରର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନରେ ଶିକ୍ଷାଦାନ ବ୍ୟବସ୍ଥା କରାଇବା ଭଳି କାର୍ଯ୍ୟ କରି ଆସୁଛି। କିନ୍ତୁ ହଠାତ୍‌ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତିି ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଏହା ଦ୍ୱାରା ସାଂସ୍କୃତିକ କ୍ଷେତ୍ରରେ ଉକ୍ତ ବିଭାଗର ସୁବିଧା ସୁଯୋଗରୁ ଓଡ଼ିଶାର କଳାକାର, ଶିଳ୍ପୀ ଓ ଜନସାଧାରଣ ବଞ୍ଚିତ ହେବେ ବୋଲି ସେ କହିଥିଲେ। ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଦିଲ୍ଲୀ କର୍ତୃପକ୍ଷ ବିଗତ ଗଭର୍ଣ୍ଣିଂ ବଡ଼ିରେ ନିଷ୍ପତ୍ତି ନେଇଛନ୍ତି। ଗଭର୍ଣ୍ଣିଂ ବଡ଼ିରେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଥିଲେ ମଧ୍ୟ ଏପରି ନିଷ୍ପତ୍ତି କିପରି ନିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ସଚିଦାନନ୍ଦ ଦାସ, ନାଟକ ନିର୍ଦେଶକ ଲାଲା ବିରେନ୍‌ ରାଏ ଏବଂ ଓଡ଼ିଶାର ଅନେକ କଳାକାର ମଧ୍ୟ ଉପସ୍ଥିତ ରହି ଆଇସିସିଆର୍‌ କାର୍ଯ୍ୟାଳୟ ଭୁବନେଶ୍ୱରରୁ ସ୍ଥାନାନ୍ତର ନ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଥିଲେ।

ସମ୍ବନ୍ଧିତ ଖବର