ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ଧାରଣା

ଭୁବନେଶ୍ୱର : ନିୟମିତ ଦାବିରେ ଗତ ୨୫ ତାରିଖଠାରୁ ଲୋୟର ପିଏମ୍‌ଜିରେ ଧାରଣା ଦେଇଛନ୍ତି ୪ ହଜାର ଆଇସିଟି ବିଦ୍ୟାଳୟ ସଂଯୋଜକ। ଇତି ମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ କହିବାନୁଯାୟୀ ୨୦୧୪ ଏପ୍ରିଲ ୨ରୁ ରାଜ୍ୟର ୪ ହଜାର ସ୍କୁଲରେ ଆଇସିଟି ଲ୍ୟାବ୍‌ ସଂଯୋଜକ ରହିଛନ୍ତି। ଯେଉଁମାନେ କି କମ୍ପ୍ୟୁଟର ଶିକ୍ଷା ଦେବା ସହ ବିଭିନ୍ନ ବିଷୟରେ ବି ପଢ଼ାଉଛନ୍ତି। ଏହାବ୍ୟତୀତ ବିଦ୍ୟାଳୟର ଅନ୍ୟ କାର୍ଯ୍ୟରେ ବି ଏମାନଙ୍କୁ ନିୟୋଜିତ କରାଯାଉଛି। ଆଇଏଲଏଫ୍‌ଏସ୍‌ ଏବଂ ଟିସିଆଇଏଲ୍‌ ଅଧୀନରେ ଚାଲିଥିବା ଏହି ପ୍ରକଳ୍ପ ୨୦୧୯ରେ ଶେଷ ହେଉଛି। ଏହା ହେବା ପୂର୍ବରୁ କମ୍ପ୍ୟୁଟର ଶିକ୍ଷକର ମାନ୍ୟତା ଦିଆଯାଇ ନିୟମିତ କରାଯାଉ। ଏଥିସହ କମ୍ପ୍ୟୁଟର ଶିକ୍ଷାକୁ ୯ମ ଏବଂ ୧୦ମ ଶ୍ରେଣୀରେ ବାଧ୍ୟତାମୂଳକ ହେଉ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସଂଘ ସଭାପତି ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର