କଟକ-ଭୁବନେଶ୍ବରରେ ଆଇସିୟୁ ଭର୍ତ୍ତି: ରାଜ୍ୟରେ ୩୩% ଆଇସିୟୁ, ୨୭% ଆଇସିୟୁ-ଭେଣ୍ଟିଲେଟରରେ ରୋଗୀ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାରକୁ ଖସି ଆସିଲାଣି। ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ବେଶ୍‌ ଭଲ ରହିଛି। ମାତ୍ର ଏବେ ବି କୋଭିଡ‌୍ ଚିକିତ୍ସାର ପ୍ରମୁଖ ହବ୍ କୁହାଯାଉଥିବା ଭୁବନେଶ୍ବର ଓ କଟକରେ ଥିବା କିଛି ହସ୍ପିଟାଲର ଆଇସିୟୁ ଶଯ୍ୟା ୯୦ ପ୍ରତିଶତରୁ ଅଧିକ ଭର୍ତ୍ତି ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ କମ୍ ସଂଖ୍ୟକ ରୋଗୀ ରହିଥିବାରୁ ରାଜ୍ୟର ସାମଗ୍ରିକ ଆଇସିୟୁ ଓ ଭେଣ୍ଟ‌ିଲେଟର ଶଯ୍ୟା ହାରରେ ହ୍ରାସ ଦେଖିବାକୁ ମିଳୁଛି। ରାଜ୍ୟରେ ୩୩ ପ୍ରତିଶତ ଆଇସିୟୁ ଓ ୨୭ ପ୍ରତିଶତ ଭେଣ୍ଟିଲେଟରରେ କରୋନା ରୋଗୀ ଚିକିତ୍ସିତ ହେଉଥିବା ନଜରକୁ ଆସିଛି।

ଗତ ୧ତାରିଖ ସୁଦ୍ଧା ରାଜ୍ୟରେ ୨୦,୩୮୭ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ଏଥିରୁ ଗୃହ ପୃଥକବାସରେ ୧୫,୯୦୮ଜଣ ଥିବା ବେ‌ଳେ ୪୪୭୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଇସିୟୁ/ଏଚ୍‌ଡିୟୁରେ ୧୫୬୫ଜଣ ଥିବା ବେଳେ ଭେଣ୍ଟିଲେଟରରେ ୩୭୧ଜଣ ରହିଛନ୍ତି। ଘରୋଇ ପୃଥକବାସରେ ୨୯ଜଣ ଅଛନ୍ତି। ରାଜ୍ୟସ୍ତରରେ ଯଦିଓ କ୍ରିଟିକାଲ ରୋଗୀଙ୍କ ହାର କମ୍ ରହିଛି, ମାତ୍ର ଭୁବନେଶ୍ବର-କଟକରେ ଆଇସିୟୁ/ଭେଣ୍ଟିଲେଣ୍ଟର ଏବେ ବି ଶତ ପ୍ରତିଶତ ପୂର୍ଣ୍ଣ ଅବସ୍ଥାରେ ରହିଛି।

ଏସ୍‌ସିବି ମେଡିକାଲ(ଡିସିଏଚ୍‌)ରେ ଆଇସିୟୁ/ଏଚ୍‌ଡିୟୁର ୯୪ ଶଯ୍ୟା ଥିବା ବ‌େଳେ ତାହା ଶତ ପ୍ରତିଶତ ପୂର୍ଣ୍ଣ ରହିଛି। ୪୮ ଭେଣ୍ଟିଲେଟରରୁ ୩୮ରେ ରୋଗ ଅଛନ୍ତି। ସେହିପରି ୟୁନିକ୍‌ ହସ୍ପିଟାଲ(ଡିସିଏଚ୍‌) ୩୮ ଆଇସିୟୁ/ଏଚ୍‌ଡିୟୁ ଥିବା ବେଳେ ଏହା ସଂପୂର୍ଣ୍ଣ ଭର୍ତ୍ତି ହୋଇଛି। ଅଶ୍ବିନୀ ହସ୍ପିଟାଲର ୧୨୫ ଆଇସିୟୁ ଶଯ୍ୟାରେ ୯୩ଜଣ ଓ ୨୫ ଭେଣ୍ଟିଲେଟର ଶଯ୍ୟା ଭର୍ତ୍ତି ରହିଛି। ଏହାସହ ସଦ୍‌ଗୁରୁ ହସ୍ପିଟାଲର ୯୦ ଆଇସିୟୁ ଶଯ୍ୟାରେ ୬୧ଜଣ ଓ ୧୫ ଭେଣ୍ଟିଲେଟରରେ ଜାଗା ନାହିଁ। ସେହିପରି ଭୁବନେଶ୍ବରରେ ଆଦିତ୍ୟ ଅଶ୍ବିନୀର ଆଇସିୟୁରେ ୭୯ ପ୍ରତିଶତ, ସମ ହସ୍ପିଟାଲରେ ୪୫ ପ୍ରତିଶତ ବାଳକାଟିସ୍ଥିତ ନୀଳାଚଳ ଡିସିଏଚ୍‌ସିରେ ୯୦ ପ୍ରତିଶତ ଆଇସିୟୁ, କିମ୍‌ସରେ ୩୬ ପ୍ରତିଶତ ଆଇସିୟୁ ଶଯ୍ୟାରେ ରୋଗୀ ରହିଛନ୍ତି। ଅନ୍ୟ ହସ୍ପିଟାଲରେ କମ୍‌ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ପୁରୁଣା କୋଭିଡ୍‌ ମୃତ୍ୟୁକୁ ଘୋଷଣା କରାଯାଉଥିବା ବେଳେ ଏତେ ସଂଖ୍ୟକ ରୋଗୀ ଆଇସିୟୁ/ଭେଣ୍ଟିଲେଟରରେ ଚିକିତ୍ସିତ ହେବା ନିଶ୍ଚିତଭାବେ ଚିନ୍ତାଜନକ। ‌ଲୋକମାନେ ପରୀକ୍ଷା କରିବାରେ ଅବହେଳା କରୁଥିବା କାରଣରୁ ‌ଗୁରୁତର ଅବସ୍ଥାକୁ ଚାଲି ଯାଉଛନ୍ତି। ଯାହାଫଳରେ ସେମାନଙ୍କୁ ଆଇସିୟୁ/ଭେଣ୍ଟିଲେଣ୍ଟରର ଆବଶ୍ୟକତା ପଡ଼ୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର