ରୋଗୀଙ୍କ ହାତରେ ଲାଗି ଆଇଡି ବ୍ୟାଣ୍ଡ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ହାତରେ ଲାଗିବ ରିଷ୍ଟ ଆଇଡି ବ୍ୟାଣ୍ଡ। ଏହି ବ୍ୟାଣ୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ଯାହାଫଳରେ ପିଲା ଅଦଳ ବଦଳ ଓ ଅଧା ଚିକିତ୍ସାରୁ ପଳାଉଥିବା ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। ଏଥିପାଇଁ ଆସନ୍ତାକାଲି ହସ୍ପିଟାଲରେ କାର୍ଯ୍ୟରତ ନର୍ସଂଙ୍କୁ ଟ୍ରେନିଂ ପ୍ରଦାନ କରାଯିବ। ଆସନ୍ତା ସପ୍ତାହରୁ ରୋଗୀଙ୍କ ହାତରେ ଏହି ବ୍ୟାଣ୍ଡ ଲଗାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।ଗତବର୍ଷ ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ ବୈଠକରେ ରୋଗୀଙ୍କ ହାତରେ ରିଷ୍ଟ ଆଇଡି ବ୍ୟାଣ୍ଡ ଲଗାଇବା ପ୍ରସ୍ତାବ ଗୃହୀତ ହୋଇଥିଲା। ଅଧିକାଂଶ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ବିନା ସୂଚନାରେ ବାହାରେ ବୁଲିଥିବା ଓ ହସ୍ପିଟାଲ ଛାଡ଼ି ଦେଉଥିବା ନଜରକୁ ଆସିଥିଲା। ଏଥିପାଇଁ ଆଇନଗତ ସମସ୍ୟା ଥିବାରୁ ଏହାକୁ ଦୂର କରିବା ପାଇଁ ଆରକେଏସ୍‌ ବୈଠକରେ ହସ୍ପିଟାଲର ଅଧିକାରୀ ଏ ସଂପର୍କରେ ପ୍ରସ୍ତାବ ଦେଇଥିଲେ। ବୈଠକରେ ଏହା ଗୃହୀତ ହୋଇଥିଲା। ତେବେ ପରବର୍ତୀ ସମୟରେ ଏଥିପାଇଁ ଆବଶ୍ୟକ ହେଉଥିବା ଅର୍ଥକୁ ନଜରରେ ହସ୍ପିଟାଲ କର୍ତୃପକ୍ଷ ଏଭଳି ବ୍ୟବସ୍ଥା କରିବା ଉପରେ ସନ୍ଦେହରେ ପଡ଼ିଥିଲେ। ପରେ ଏଥିପାଇଁ ୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରେ ଏଥିପାଇଁ ଟେଣ୍ଡର ହୋଇଥିଲା।

ହସ୍ପିଟାଲରେ ପ୍ରତିବର୍ଷ ୬୦ହଜାର ରୋଗୀ ଆଡମିଟ୍‌ ହେଉଛନ୍ତି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ବର୍ଷକୁ ୬୦ହଜାର ଆଇଡି ବ୍ୟାଣ୍ଡର ଆବଶ୍ୟକତା ରହିଛି। ପ୍ରଥମ ପର୍ଯ୍ୟାୟରେ ୧୨ହଜାର ଆଇଡି ବ୍ୟାଣ୍ଡ ଅଣାଯାଇଛି। ପୂର୍ବରୁ ଏସ୍‌ଏନ୍‌ସିୟୁରେ ଏଭଳି ବ୍ୟବସ୍ଥା ହୋଇଥିବା ବେଳେ ଏବେ ସମସ୍ତ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏମ୍‌ସିଏଚ୍‌, ମହିଳା ଓ ପୁରୁଷ ଅସ୍ତ୍ରୋପଚାର ବିଭାଗ, ଶିଶୁ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ଏହି ବ୍ୟାଣ୍ଡ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ। ଆଡମିଟ୍‌ ହେଉଥିବା ଉଭୟ ବେଡ୍‌ ଓ ତଳେ ରହୁଥିବା ରୋଗୀଙ୍କୁ ଏହି ବ୍ୟାଣ୍ଡ ଲଗାଇ ଦିଆଯିବ। ବ୍ୟାଣ୍ଡରେ ରୋଗୀଙ୍କ ନାଁ, ଓ୍ଵାର୍ଡ ଓ ବେଡ୍‌ ନଂ ଓ ଲିଙ୍ଗ ସଂପର୍କରେ ଉଲ୍ଲେଖ ରହିବ। ଏହି ବ୍ୟାଣ୍ଡ ଛିଣ୍ଡିବ ନାହିଁ କିମ୍ବା ଖୋଲିବ ନାହିଁ। ଡିସଚାର୍ଜ ହେବା ପରେ ରୋଗୀଙ୍କ ହାତରୁ ଏହି ବ୍ୟାଣ୍ଡକୁ କାଟି ଦିଆଯିବ। ଏଥିପାଇଁ ହସ୍ପିଟାଲରେ ଥିବା ସମସ୍ତ ନର୍ସମାନଙ୍କୁ ଟ୍ରେନିଂ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ହସ୍ପିଟାଲ ପରିସରରେ ଏହି ଟ୍ରେନିଂ ଦିଆଯିବ।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ହସ୍ପିଟାଲର ଗୁଣବତ୍ତା ଯାଞ୍ଚ ପାଇଁ ଥିବା ଏନ୍‌କ୍ୟୁଏସି ବା ନାସନାଲ କ୍ୱାଲିଟି ଆସ୍ୟୁରାନ୍‌ସ ଷ୍ଟାଣ୍ଡାର୍ଡରେ ରିଷ୍ଟ ଆଇଡି ବ୍ୟାଣ୍ଡ ରହିଛି। ୨୫ଟି ପଏଣ୍ଟ ଉପରେ ଗୋଟିଏ ହସ୍ପିଟାଲକୁ ନମ୍ବର ପ୍ରଦାନ କରାଯିବ। ହସ୍ପିଟାଲରେ ଇନଡୋରରେ ପ୍ରତିବର୍ଷ ୬୦ ହଜାର ରୋଗୀ ଆଡମିଟ ହେଉଥିବାରୁ ପ୍ରତିବର୍ଷ ୬୦ ହଜାର ଆଇଡି ବ୍ୟାଣ୍ଡ ଆବଶ୍ୟକ। ଏଥିପାଇଁ ଗତବର୍ଷ ଆରକେଏସ୍‌ ବୈଠକରେ ଏହା ପାରିତ ହେବା ପରେ ଏହାକୁ ଟେଣ୍ଡର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨ହଜାର ଆଇଡି ବ୍ୟାଣ୍ଡ ପହଞ୍ଚିଛି। ଏହି ଆଇଡି ବ୍ୟାଣ୍ଡକୁ ସମସ୍ତ ଓ୍ଵାର୍ଡକୁ ବାଣ୍ଟି ଦିଆଯାଇଛି। ଆସନ୍ତାକାଲି ନର୍ସଙ୍କୁ ଏଥିପାଇଁ ଟ୍ରେନିଂ ପ୍ରଦାନ କରାଯିବ। ଆସନ୍ତା ୩/୪ ଦିନ ମଧ୍ୟରେ ରୋଗୀଙ୍କ ହାତରେ ଏହି ରିଷ୍ଟ ବ୍ୟାଣ୍ଡକୁ ଲଗାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର