୧୮ ରାଜସ୍ବ ଗାଁରୁ ୨୧୮୧.୩୩୫ ଏକର ଜମି ନେବ ଇଡ୍‌କୋ: ଶିଳ୍ପାଞ୍ଚଳରେ ଖାଲି ପଡ଼ିଛି ୭୩୮ ଏକର

କେବଳ ଇନଫୋଭ୍ୟାଲି-୨ରେ ଖାଲି ପଡ଼ିଛି ୫୯୩.୫୦ ଏକର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଇଡ୍‌କୋ ଜମି ଯୋଗାଉଥିବା ବେଳେ ଏବେ ବି ୧୮ଟି ଶିଳ୍ପାଞ୍ଚଳରେ ୭୩୭.୯୭ ଏକର ଜମି ଖାଲି ପଡ଼ିଛି। ଏଥିରୁ ଇନଫୋଭ୍ୟାଲି-୨ରେ କେବଳ ୫୯୩.୫୦ ଏକର ଜମି ଖାଲି ପଡ଼ିଥିବା ଜାଣିବାକୁ ମିଳିଛି। ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ରାଜଧାନୀର ୧୮ଟି ଶିଳ୍ପାଞ୍ଚଳ ମଧ୍ୟରୁ ରସୁଲଗଡ଼ ଶିଳ୍ପାଞ୍ଚଳରେ ସବୁ ଜମି ଆବଣ୍ଟନ ହୋଇଯାଇଛି। ମଞ୍ଚେଶ୍ବରରେ ୯.୧୯୮ ଏକର ଜମି ଖାଲି ପଡ଼ିଥିବା ବେଳେ ଏହାକୁ ବିଭିନ୍ନ ବସ୍ତି, ଉଠାଦୋକାନୀ ଓ ଶିଳ୍ପ ସଂସ୍ଥା ମାଡ଼ି ବସିଛନ୍ତି। ସି ଫୁଡ୍‌ ପାର୍କ ଡେରାସରେ ୫୧.୪୨ ଏକର ଜମି ଖାଲି ପଡ଼ିଥିବା ବେଳେ ଗୋଠପାଟଣାରେ ୫.୫ ଏକର ଖାଲି ଜମିରେ ଇଡ୍‌କୋ ଟାୱାର ନିର୍ମାଣ ହେବ। ଜୟମଙ୍ଗଳରେ ୩୦.୪୨ ଏକର, କପିଳେଶ୍ବରରେ ୨.୧୯ ଏକର, ବିଶିଆପଡ଼ାରେ ୫.୭୩ ଏକର ଜମି ଖାଲି ପଡ଼ିଛି। ସାରୁଅରେ ୨୫.୨୨ ଏକର ଜମି ଖାଲି ପଡ଼ିଥିବା ବେଳେ ଏଠାରେ ବିଭିନ୍ନ ବସ୍ତି ଗଢ଼ି ଉଠିଛି। ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଯାଇଛି ଏବଂ ବୃକ୍ଷରୋପଣ କରାଯାଇଛି। ସେହିପରି ଖୋଲାଦ୍ବାରରେ ୧ ଏକର, ଛତାବରରେ ୧୩.୭୯ ଏକର ଜମି ଖାଲି ପଡ଼ିଛି। ଅଁଳା ପାଟଣା, ଯାଁଳା ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସବୁ ଜମି ଆବଣ୍ଟନ ହୋଇଯାଇଛି। ଇନ୍‌ଫୋଭ୍ୟାଲି-୨ ଏସ୍‌ଇଜେଡ୍‌ରେ ୨୧୧.୫୧୧ ଏକର, ଇଏମ୍‌ସି ପାର୍କ ଇନଫୋଭ୍ୟାଲି-୨ରେ ୨୫୮.୯୬ ଏକର, ଆଇଟି ପାର୍କ ଇନଫୋଭ୍ୟାଲି-୨ରେ ୧୨୩.୦୩୧ ଏକର ଜମି ଖାଲି ପଡ଼ିଛି।

ସେହିପରି ଇଡ୍‌କୋ ଆଗାମୀ ଦିନରେ ୧୮ଟି ରାଜସ୍ବ ଗ୍ରାମରୁ ୨୧୮୧.୩୩୫ ଏକର ଜମି ଅଧିଗ୍ରହଣ କରି ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିବାକୁ ଯୋଜନା ଅଛି। ଏଥିରେ ଖୋର୍ଦ୍ଧା ତହସିଲ ଅଧୀନରେ ମଳିପଡ଼ାରେ ୩୪୩.୫୬୫ ଏକର, ଲହଙ୍ଗାରେ ୧୯୮.୨୯୦ ଏକର, ମୁଣ୍ଡମ୍ବାରେ ୩୭୬.୫୮୦ ଏକର, ଅରାଙ୍ଗରେ ୨୫୧.୮୬୫ ଏକର, ନିଆଳରେ ୨୧୨.୭୭୩ ଏକର, ଓଳାସିଂହରେ ୮୮.୨୬୬ ଏକର, କପିଳେଶ୍ବରରେ ୩୮.୦୮୫ ଏକର, କୁମ୍ଭାରବସ୍ତରେ ୫୬.୪୦୦ ଏକର ଜମି ଅଧିଗ୍ରହଣ ହେବ। ଏହିପରି ମୋଟ୍‌ ୧୫୬୫.୮୨୪ ଏକର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଅଛି। ଭୁବନେଶ୍ବର ତହସିଲରେ ଦାସପୁରରେ ୧୨୭.୭୧୦ ଏକର, ଅନ୍ଧାରୁଆରେ ୧୬.୫୭୦ ଏକର, ଧଉଳିରେ ୧୦.୫୯୨ ଏକର, ଗିରିଙ୍ଗପୁଟରେ ୬୦.୪୦୫ ଏକର ଜମି ଅଧିଗ୍ରହଣ ହେବ। ଏହିପରି ମୋଟ୍‌ ୨୧୫.୨୭୭ ଏକର ଜମି ଅଧିଗ୍ରହଣ ପ୍ରସ୍ତାବ ଅଛି। ଜଟଣୀ ତହସିଲ ପିତାପଲ୍ଲୀରେ ୨୯.୬୦୫ ଏକର, ରତନପୁରରେ ୧୯୮.୪୬୮ ଏକର, ଗ୍ରାମଡିହିରେ ୧୪୩.୦୨୭ ଏକର, ବିଶିଆପଡ଼ା ଓ ବେଣାପଞ୍ଜରୀରେ ୨୫.୬୩୪ ଏକର ଜମି ଅଧିଗ୍ରହଣ ହେବ। ଏହିପରି ମୋଟ୍‌ ୩୯୬.୭୩୪ ଏକର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଅଛି। ବାଲିଅନ୍ତା ତହସିଲରେ ଅନନ୍ତପୁରରେ ୩.୫୦୦ ଏକର ଜମି ଅଧିଗ୍ରହଣ ପ୍ରସ୍ତାବ ରହିଛି ବୋଲି ବିଧାନସଭାରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି।

ସମ୍ବନ୍ଧିତ ଖବର