ଭୁବନେଶ୍ୱର: ମୁସଲମାନ ସଂପ୍ରଦାୟର ବଡ଼ପର୍ବ ଇଦ୍ ଉପଲକ୍ଷେ ଆଜି ସକାଳୁ ରାଜଧାନୀ ଚଳଚଞ୍ଚଳ ହୋଇ ଉଠିଥିଲା। ଗତକାଲି ଚାନ୍ଦ ଦେଖି ରୋଜା ଭଙ୍ଗ କରିବା ପରେ ଆଜି ସକାଳୁ ମୁସଲମାନ ସଂପ୍ରଦାୟର ଭାଇମାନେ ମସଜିଦ୍ରେ ଏକାଠି ହୋଇ ସମୂହ ନମାଜ ପାଠ କରିଥିଲେ। ଏହା ପରେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍’ର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଅସହାୟଙ୍କ ଦୁଃଖରେ ନିଜକୁ ସାମିଲ କରି ଦାନ ଧର୍ମ ମଧ୍ୟ କରିଥିଲେ। ଏଥିପାଇଁ ପ୍ରାୟ ସବୁ ମସ୍ଜିଦ୍ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସହରର ୟୁନିଟ୍-୩ ଜାମା ମସ୍ଜିଦ୍, ୟୁନିଟ୍-୪ କ୍ୟାପିଟାଲ ମସ୍ଜିଦ୍, ଝାରପଡ଼ା, ସୁନ୍ଦରପଦା, ଝରଣା ସାହି, ଯଦୁପୁର, ୟୁନିଟ୍-୮, ସତ୍ୟନଗର, ଶିଖରଚଣ୍ଡୀ, ବାଲିଅନ୍ତା, କଟକ ରୋଡ୍ ଓ ସିଆର୍ପିଏଫ୍ ବାଟାଲିଅନ୍ରେ ଥିବା ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାହମାନଙ୍କରେ ସମୂହ ନମାଜ ପାଠ କରାଯାଇଥିଲା।
ଇସ୍ଲାମ୍ ଧର୍ମର ତାତ୍ତ୍ୱିକ କଥାକୁ ବଖାଣିଥିଲେ ଇମାମ୍। ଏକ ଘଣ୍ଟା କାଳ ଧର୍ମଚର୍ଚ୍ଚା ହୋଇଥିଲା। ଏହାପରେ ପବିତ୍ର ସମୂହ ନମାଜ ପାଠ କରାଯାଇଥିଲା। ଶେଷରେ ପିଲାଠାରୁ ବୟସ୍କ ସମସ୍ତ ମୁସଲମାନ୍ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍ ମୁବାରକ୍’ ଜଣାଇଥିଲେ। ଏହା ଖାଲି ମୁସଲ୍ମାନ୍ ସମ୍ପ୍ରଦାୟରେ ସୀମିତ ନଥିଲା। ରାସ୍ତାରେ ଯିଏ ବି ଦେଖା ହେଉଥିଲେ, ମୁସଲ୍ମାନ୍ ଭାଇମାନେ ତାଙ୍କୁ ନିଜ ଭାଇ ଭଳି କୋଳେଇ ନେଉଥିଲେ ଓ ‘ଇଦ୍ ମୁବାରକ୍’ କହୁଥିଲେ। ମଧ୍ୟାହ୍ନରେ ଜମିଥିଲା ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ଆସର। ଲଚ୍ଛା ସିମେଇ, ବିରିଆନି, ରୋଷ୍ଟ କବାବ୍, ଚିଲି ଚିକେନ୍, ଚିକେନ୍ କୁର୍ମା ଓ ମଟନ୍ ମୁଗଲାଇ ଆଦି ଘରେ ଘରେ ତିଆରି କରାଯାଇଥିଲା। ଏ ଦିନ ଚିକେନ୍ ଓ ମଟନ୍ ବିରିଆନି ପ୍ରମୁଖ ଖାଦ୍ୟ ଭାବେ ପରିଗଣିତ ହୁଏ। ଏହାସହ ମଧ୍ୟାହ୍ନରେ ବନ୍ଧୁମିଳନ ପର୍ବ ମଧ୍ୟ ସଂଗଠିତ ହୋଇଥିଲା।
ୟୁନିଟ୍-୩ ଜାମା ମସ୍ଜିଦ୍
ସକାଳ ପ୍ରାୟ ୮ଟାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଜାମା ମସ୍ଜିଦ୍କୁ। ଇମାମ୍ ହାପିଜ୍ ମେରାଜ ସକାଳ ୯ଟା ୪୫ରେ ସମସ୍ତଙ୍କୁ ନମାଜ ପାଠ କରାଇଥିଲେ। ୩ ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଏଠାରେ ଉପସ୍ଥିତ ରହିଥିଲେ। ଏହି ପବିତ୍ର ମାସରେ ଦାନ ଧର୍ମ କଲେ ଦାନର ୭୦% ଅଧିକ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ବୋଲି ମସ୍ଜିଦ୍ର ସଭାପତି ମହମ୍ମଦ ଶାହ ନମାଜ କହିଛନ୍ତି।
ୟୁନିଟ୍-୪ କ୍ୟାପିଟାଲ ମସ୍ଜିଦ୍
ୟୁନିଟ୍-୪ସ୍ଥିତ କର କ୍ଲିନିକ୍ ନିକଟସ୍ଥ ଅହମଦିଆ ମୁସ୍ଲିମ୍ ମସ୍ଜିଦ୍ଠାରେ ସକାଳ ପ୍ରାୟ ୧୦ଟାରେ ନମାଜ ପାଠ ହୋଇଥିଲା। ମୌଲାନା ଫଜଲ୍ ହକ୍ ଖାନ୍ ସମସ୍ତଙ୍କୁ ନମାଜ ପାଠ କରାଇଥିଲେ। ଭାଇଚାରା ଓ ବିଶ୍ୱଶାନ୍ତି ବାର୍ତ୍ତା ବାଣ୍ଟିବା ଅସହାୟଙ୍କୁ ସାହାଯ୍ୟ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ମୌଲାନା ଖାନ୍ କହିଛନ୍ତି। ଏଠାରେ ପ୍ରାୟ ୫୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା।