ଘରୋଇ ମହିଳା ଶ୍ରମିକ ୟୁନିୟନ ପକ୍ଷରୁ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର: ଘରୋଇ ଶ୍ରମିକ, ଜୋତା କାରିଗର, ସଫେଇ କର୍ମଚାରୀ, ବୁଲାବିକାଳି ଓ ଅଟୋ ଚାଳକ ଆଦି ଅଣସଂଗଠିତ ଶ୍ରମିକଙ୍କୁ କୋଭିଡ୍-୧୯ ସହାୟତା ପ୍ରଦାନ ସମେତ ୭ଦଫା ଦାବି ନେଇ ଆଜି ଟିୟୁସିଆଇ ଅନୁବଦ୍ଧିତ ଘରୋଇ ମହିଳା ଶ୍ରମିକ ୟୁନିୟନ ପକ୍ଷରୁ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ୟୁନିୟନର ସଭାନେତ୍ରୀ ପ୍ରମିଳା ବେହେରାଙ୍କ ସଭାପତିତ୍ବରେ ଶତାଧିକ ମହିଳା ଶ୍ରମିକ କର୍ମୀ ଏଥିରେ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀମତୀ ବେହେରା କହିଛନ୍ତି ଯେ, ଲେବର କାର୍ଡ ପାଇଥିବା ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ କରୋନା ସହାୟତା ୧୫ ଶହ ଟଙ୍କା ପ୍ରଦାନ କରିଥିବା ବେଳେ ଘରୋଇ ମହିଳା ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ଲକଡାଉନ୍ ଦେଢ଼ବର୍ଷ ହୋଇଥିଲେ ମଧ୍ୟ ସରକାରଙ୍କ ତରଫରୁ ମହିଳା ଶ୍ରମିକ ମାନଙ୍କୁ ସହାୟତା ରାଶି ମିଳି ନାହିଁ। ଏହି ସମସ୍ୟାକୁ ନେଇ ୟୁନିୟନ ପକ୍ଷରୁ ଅନେକ ଥର ଇ-ମେଲ, ଟୁଇଟର ଜରିଆରେ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ ସଚିବ, ଶ୍ରମ କମିସନରଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏହି ଗଣଧାରଣାକୁ ଟିୟୁସିଆଇ ସମର୍ଥନ କରିଥିବା ବେଳେ ଘରୋଇ ମହିଳା ଶ୍ରମିକ ୟୁନିୟନର ଉପ ସଭାନେତ୍ରୀ ମୀନତି ଭୋଇ, ସମ୍ପାଦିକା ଶଶିଲେଖା ବେହେରା ପ୍ରମୁଖ ଶ୍ରମ କମିସନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିୟୁସିଆଇର ରାଜେନ୍ଦ୍ର ପ୍ରସାଦ ବାରିକ, କିଶୋର ଭୋଇ ଓ ବିଚିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର