ଦୁଇ ମାୟାବିନୀ ଯୁବତୀ ଚିହ୍ନଟ

ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ ଘଟଣା

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଜରିଆରେ ଜାଲ ବିଛାଇ ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ ଓ ମୁଣ୍ଡ ଜାମିନ୍‌ ରଖିବା ଘଟଣାରେ ସଂପୃକ୍ତ ଥିବା ଦୁଇ ମାୟାବିନୀ ଯୁବତୀଙ୍କୁ ପୁଲିସ ଚିହ୍ନଟ କରିଛି। ଦୁଇ ଜଣ ଯାକ ଇଂଜିନିୟରିଂ ଡିଗ୍ରିଧାରୀ ଛାତ୍ରୀ ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କୁ ପଚରାଉଚରା କରିବାକୁ ପୁଲିସର ଦୁଇଟି ଟିମ୍‌ ଆସନ୍ତାକାଲି ପୁରୀ ଯିବେ। ସେହିପରି ପୁଲିସ ଗୋପାଳକୃଷ୍ଣ ମହାପାତ୍ର ଓରଫ୍‌ ଗୋପୀ ଓ ଶୁଭ୍ରରାଜ ବେହେରା ଓରଫ ଟିଟିକୁ ରିମାଣ୍ଡରେ ଆଣିବ। ଏ ନେଇ ଆସନ୍ତାକାଲି କୋର୍ଟରେ ଆବେଦନ କରାଯିବ। ଦୁହିଁଙ୍କୁ ରିମାଣ୍ଡରେ ଅଣାଯିବା ପରେ ଯୁବତୀ ଦ୍ୱୟ ଓ ଅପହରଣର ଶିକାର ହୋଇଥିବା ଛାତ୍ରଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ। ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏଭଳି ସମ୍ବେଦନଶୀଳ ଘଟଣାରେ ଦୁଇ ଜଣ ଶିକ୍ଷିତ ଯୁବତୀ ଓ ଇଂଜିନିୟରିଂ ଯୁବକ ସଂପୃକ୍ତ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଏହାଛଡ଼ା ଦୁହେଁ ସୋସିଆଲ ମିଡିଆକୁ ବ୍ୟବହାର କରିଥିବାରୁ ପୁଲିସ ତଦନ୍ତ ଜୋରଦାର୍‌ କରିଛି। ଯୁବତୀ ଦ୍ୱୟ ଓ ଗୋପୀ ଗ୍ୟାଙ୍ଗ୍‌ ପୂର୍ବରୁ ଆଉ କାହାକୁ ଫେସ୍‌ବୁକ୍‌ରେ ଏଭଳି ଫେକ୍‌ ଆଇଡି କରି ଲୁଟ୍‌ପାଟ୍‌ କରିଛନ୍ତି ସେ ନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଗୋପୀ ଓ ଟିଟିକୁ ରିମାଣ୍ଡରେ ଆଣିବ। ପୂର୍ବରୁ ଗୋପୀ ଅନେକ ଦିନ ଧରି ହାଇଦ୍ରାବାଦରେ ରହୁଥିଲା। ତେଣୁ ସେଠାରେ ସେ ଏଭଳି ଅପରାଧ ଘଟାଇଛି କିମ୍ବା ନାହିଁ ତାର ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସ୍ପେସାଲ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ କହିଛନ୍ତି।

ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତି ସନ୍ଦେହ
ପୁରୀ ଯିବ କମିସନରେଟ୍‌ ପୁଲିସ
ସଂଗ୍ରହ ହେବ ଭଏସ୍‌ ସାମ୍ପଲ୍‌

ସେହିପରି ମାୟାବିନୀ ଯୁବତୀ ଦ୍ୱୟ ଫୋନ୍‌ ମାଧ୍ୟମରେ ଧନୀ ଘରର ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇବାବେଳେ ହୋଇଥିବା ବାର୍ତାଳାପର ଭଏସ୍‌ ରେକର୍ଡ ମଧ୍ୟ ପୁଲିସ ସଂଗ୍ରହ କରିବ। ସେହି ଭଏସ୍‌ ରେକର୍ଡର ଯାଞ୍ଚ ପାଇଁ ପୁଲିସ ରାଜ୍ୟ ଫରେନ୍‌ସିକ୍‌ ଲାବୋରୋଟାରିକୁ ମଧ୍ୟ ପଠାଇବାକୁ ଯୋଜନା କରିଛି। ପୂର୍ବରୁ ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ଯୁବତୀମାନେ ଏଭଳି ଟେଲିଫୋନ୍‌ରେ କଲ୍‌ କରି ଯୁବକମାନଙ୍କଠାରୁ ଲୁଟ୍‌ପାଟ୍‌ କରୁଥିଲେ। ବିଗତ ଦିନରେ ମଞ୍ଚେଶ୍ୱର ଓ ଖଣ୍ଡଗିରି ଥାନା ପୁଲିସ ଏଭଳି ଦୁଇ ଦୁଇଟି ଗ୍ୟାଙ୍ଗର ପର୍ଦାଫାସ କରିଥିଲା। ତେଣୁ ଏହି ଦୁଇ ମାୟାବିନୀ ଯୁବତୀମାନେ ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରିଛି। ଏଠାରେ ପ୍ରକାଶ ଥାଉକି, ଯୁକ୍ତ ଦୁଇରେ ପଢ଼ୁଥିବା ଶୈଳଶ୍ରୀବିହାର ଅଞ୍ଚଳର ଜଣେ ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ପୁଅଙ୍କ ସହିତ ଯୁବତୀ ଜଣକ ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲି ସମ୍ପର୍କ ଯୋଡ଼ିଥିଲା। ପରେ ମୋବାଇଲ୍‌ ନମ୍ବର ଦିଆନିଆ ହୋଇଥିଲା। ଛାତ୍ର ଜଣଙ୍କ ସଂପୃକ୍ତ ଯୁବତୀ ସହିତ ଗପସପ କରିବା ପରେ ତାଙ୍କ ଜାଲରେ ପଡ଼ି ଯାଇଥିଲେ। ତେବେ ଯୁବତୀ ଜଣକ ତାଙ୍କୁ ପୁରୀ ଡେଟିଂ ପାଇଁ ଡକାଇଥିଲେ ମଧ୍ୟ ଛାତ୍ର ଜଣକ ଯାଇ ନଥିଲେ। ଶେଷରେ ଫେବ୍ରୁଆରି ୨୭ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଛାତ୍ରଙ୍କୁ ଡମଣା ଛକକୁ ଡକାଇଥିଲେ। ଛାତ୍ର ଜଣକ ସେଠାକୁ ଯିବାରୁ ଯୁବତୀଙ୍କ ପୁରୁଷ ବନ୍ଧୁ ଗୋପୀ ଓ ତା’ର ସହଯୋଗୀମାନେ ତା’କୁ ଏକ କାର୍‌ରେ ଅପହରଣ କରି ନେଇଥିଲେ ଏବଂ ମୁଣ୍ଡ ଜାମିନ ରଖି ୧୧ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକ ଏ ନେଇ ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ଅପହର୍ତାମାନଙ୍କ ପତ୍ତା ପାଇ ନ ଥିଲା। ଅନ୍ୟପକ୍ଷରେ ପରିବାର ଲୋକ ୨ ଲକ୍ଷ ଟଙ୍କା ଦେଇଦେବାରୁ ଅପହର୍ତାମାନେ ଛାତ୍ର ଜଣକୁ ଛାଡ଼ି ଦେଇ ପଳାଇଥିଲେ। ତେବେ ଦୁଇ ଦିନ ତଳେ ପୁଲିସ ବମିଖାଲର ଏକ ଘର ଉପରେ ଚଢ଼ଉ କରି ଏହି ଅପହରଣରେ ସଂପୃକ୍ତ ୩ ଜଣ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର