ଭୁବନେଶ୍ୱର/କଟକ: ସ୍ମାର୍ଟ ସିଟି ‘ଭୁବନେଶ୍ୱର’ ଓ ସିଲଭର୍ ସିଟି ‘କଟକ’ରେ ରବିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି ରହିଛି। ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ, ରବିବାର ସଂନ୍ଧ୍ୟାରେ ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ। ଦଶହରା ଅବସରରେ ଶନିବାର କଟକରେ ବଙ୍ଗାଳୀ ସମାଜ ଦ୍ୱାରା ଅନୁଷ୍ଠିତ ମା’ ଦୁର୍ଗାଙ୍କ ୮ଟି ମୂର୍ତ୍ତିକୁ ବିଦାୟ ଦିଆଯାଇଛି। ବଙ୍ଗାଳୀ ସମାଜ ଦ୍ୱାରା ଭବ୍ୟ ଶୋଭାଯାତ୍ରାରେ ମା’ଙ୍କୁ ନିଆଯାଇ ଦେବୀଗଡ଼ା ଘାଟରେ ବିସର୍ଜନ କରାଯାଇଥିଲା। ଭାଇ ଚାରାର ସହର କଟକରେ ସକାଳୁ ଅନେକ ଗୁଡ଼ିଏ ପୂଜା କମିଟି ଦ୍ୱାରା ସାହିମାନଙ୍କରେ ମା’ଙ୍କୁ ପରିକ୍ରମା କରାଇ ଦେବୀ ଗଡ଼ାକୁ ନିଆଯାଉଛି। ବ୍ୟସ୍ତବହୁଳ ରାସ୍ତାମାନଙ୍କରେ ଦର୍ଶକଙ୍କ ଭିଡ଼ ରହୁଥିବାରୁ ମା’ଙ୍କ ବସିର୍ଜନ ସୋମବାର ୧୧ଟା ପର୍ଯ୍ୟନ୍ତ ଶେଷ ହେବ ବୋଲି ଅନୁମାନ କରାଯାଉଛି। ପୂଜା କମିଟିର ସଦସ୍ୟ, ଭକ୍ତ, ଶ୍ରଦ୍ଧାଳୁଙ୍କ ଗହଳିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମା’ଙ୍କୁ ବିଦାୟ ଦିଆଯାଉଛି।
ଶାନ୍ତିଶୃଙ୍ଖଳା ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି
ଭସାଣି ଉତ୍ସବକୁ ଦୃଷ୍ଟିରେ ରଖି କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାଗ ଦେଇ ଅଧିକ ମେଢ଼ କଟକ ଦେବୀଗଡ଼ା ଘାଟରେ ପହଞ୍ଚିବେ। ୨୦ ଏଏସଆଇ ଓ ଏସ୍ଆଇ, ୮ପ୍ଲାଟୁନ ପୁଲିସ ଓ ୭୦ କନଷ୍ଟେବଲ ମୁତୟନ ରହିଛନ୍ତି। ଶିଖରପୁର, କଲେଜ ଛକ, ରାଣୀହାଟ, ବକ୍ସିବଜାର ଦେଇ ଗୋଟିଏ ରୁଟ ତିଆରି ହୋଇଥିବା ବେଳେ ଚାନ୍ଦିନୀଚୋକ, ଗୌରୀଶଙ୍କର ପାର୍କ ଦେଇ ଆଉ ଗୋଟିଏ ରୁଟ ତିଆରି ହୋଇଛି।
/sambad/media/post_attachments/wp-content/uploads/2017/10/Rasulgarh-275x300.jpg)
ଭୁବନେଶ୍ୱରରେ ସନ୍ଧ୍ୟାରେ ଭସାଣି
ଭୁବନେଶ୍ୱରରେ ଅପରାହ୍ନ ୪ଟାରେ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ମେଲଣ ପଡ଼ିଆରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆୟୋଜନ ହେଉଥିବା ପୂଜା କମିଟି ଦ୍ୱାରା ମା’ ଦୁର୍ଗାଙ୍କ ମୂର୍ତ୍ତିଗୁଡ଼ିକୁ ଅଣାଯିବ। ଏଠାରେ ପୂଜାର୍ଚ୍ଚନା ପରେ ମୂର୍ତ୍ତିଗୁଡ଼ିକୁ ବିଦାୟୀ ଦିଆଯିବ। ଶାନ୍ତିପୂର୍ଣ୍ଣ ଭସାଣି ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଉତ୍ସବ ସମାପନ କରିବାକୁ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଟ୍ରାଫିକ ଏସ୍ପି ଜତୀନ ପଣ୍ଡା ଶନିବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପଣ୍ଡାଙ୍କ ସୂଚନା ଅନୁସାରେ ଯେଉଁ ରାସ୍ତା ଦେବୀ ଦେବୀ ପ୍ରତିମା ଗୁଡ଼ିକ ଭସାଣୀ ଯିବେ, ରାସ୍ତା କଡ଼ରେ କେହି ଯାନ ବାହାନ ରଖି ପାରିବେ ନାହିଁ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା ଛକ, ରୂପାଲି ଛକ ଉପରେ ଟ୍ରାଫିକ ପୁଲିସର ନଜର ରହିବ। କାରଣ ଏହି ସ୍ଥାନମାନଙ୍କରେ ଦର୍ଶକମାନଙ୍କ ଭିଡ଼ ଅଧିକ ରହିଥାଏ। ସୂଚନାଯୋଗ୍ୟ, କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ctc.jpg)