ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି: ବର୍ଷା ସାଜିଲା ବାଧକ, ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଶୋଭାଯାତ୍ରା

ଭୁବନେଶ୍ୱର/କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ, ରବିବାର ସଂନ୍ଧ୍ୟାରେ ଭୁବନେଶ୍ୱରରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଛି। କଟକର ଦେବୀଗଡ଼ା ଘାଟରେ ସନ୍ଧ୍ୟାରେ ଅନେକଗୁଡ଼ିଏ ମୂର୍ତ୍ତି ପହଞ୍ଚି ସାରିଛି। ଆହୁରି କିଛି ମୂର୍ତ୍ତି ଭସାଣ ପାଇଁ ଏଠାକୁ ଆସୁଛି। ଏହାରି ଭିତରେ ସନ୍ଧ୍ୟା ୫ଟାରେ ମୁସଳଧାରାରେ ବର୍ଷା ହେବାରୁ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ସ୍ଥାନର ଅଭାବ ଯୋଗୁଁ ଦର୍ଶକଙ୍କୁ ଭାରି ହଟହଟା ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ଦଶହରା ଅବସରରେ ଶନିବାର କଟକରେ ବଙ୍ଗାଳୀ ସମାଜ ଦ୍ୱାରା ଅନୁଷ୍ଠିତ ମା’ ଦୁର୍ଗାଙ୍କ ୮ଟି ମୂର୍ତ୍ତିକୁ ବିଦାୟ ଦିଆଯାଇଛି। ବଙ୍ଗାଳୀ ସମାଜ ଦ୍ୱାରା ଭବ୍ୟ ଶୋଭାଯାତ୍ରାରେ ମା’ଙ୍କୁ ନିଆଯାଇ ଦେବୀଗଡ଼ା ଘାଟରେ ବିସର୍ଜନ କରାଯାଇଥିଲା। ଭାଇ ଚାରାର ସହର କଟକରେ ଆଜି ସକାଳୁ ଅନେକ ଗୁଡ଼ିଏ ପୂଜା କମିଟି ଦ୍ୱାରା ସାହିମାନଙ୍କରେ ମା’ଙ୍କୁ ପରିକ୍ରମା କରାଇ ଦେବୀ ଗଡ଼ାକୁ ନିଆଯାଉଛି। ବ୍ୟସ୍ତବହୁଳ ରାସ୍ତାମାନଙ୍କରେ ଦର୍ଶକଙ୍କ ଭିଡ଼ ରହୁଥିବାରୁ ମା’ଙ୍କ ବସିର୍ଜନ ସୋମବାର ୧୧ଟା ପର୍ଯ୍ୟନ୍ତ ଶେଷ ହେବ ବୋଲି ଅନୁମାନ କରାଯାଉଛି। ପୂଜା କମିଟିର ସଦସ୍ୟ, ଭକ୍ତ, ଶ୍ରଦ୍ଧାଳୁଙ୍କ ଗହଳିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମା’ଙ୍କୁ ବିଦାୟ ଦିଆଯାଉଛି।

ଭସାଣି ଉତ୍ସବକୁ ଦୃଷ୍ଟିରେ ରଖି କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାଗ ଦେଇ ଅଧିକ ମେଢ଼ କଟକ ଦେବୀଗଡ଼ା ଘାଟରେ ପହଞ୍ଚିବେ। ୨୦ ଏଏସଆଇ ଓ ଏସ୍‌ଆଇ, ୮ପ୍ଲାଟୁନ ପୁଲିସ ଓ ୭୦ କନଷ୍ଟେବଲ ମୁତୟନ ରହିଛନ୍ତି। ଶିଖରପୁର, କଲେଜ ଛକ, ରାଣୀହାଟ, ବକ୍ସିବଜାର ଦେଇ ଗୋଟିଏ ରୁଟ ତିଆରି ହୋଇଥିବା ବେଳେ ଚାନ୍ଦିନୀଚୋକ, ଗୌରୀଶଙ୍କର ପାର୍କ ଦେଇ ଆଉ ଗୋଟିଏ ରୁଟ ତିଆରି ହୋଇଛି।

 

ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନରେ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ମେଲଣ ପଡ଼ିଆରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆୟୋଜନ ହୋଇଥିବା ପୂଜା କମିଟି ଦ୍ୱାରା ମା’ ଦୁର୍ଗାଙ୍କ ମୂର୍ତ୍ତିଗୁଡ଼ିକୁ ଅଣା ଯାଇଥିଲା। ଏଠାରେ ପୂଜାର୍ଚ୍ଚନା ପରେ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ସାମିଲ କରାଯାଇଛି। ବାଣୀବିହାର ଛକଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଅନେକ ଦୁର୍ଗାପୂଜା କମିଟି। ସହିଦ ନଗର ପୂଜା କମିଟି ଦ୍ୱାରା ପରିଚାଳିତ ଭସାଣ ଉତ୍ସବ ସମିତି ଦ୍ୱାରା ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ପୁଲିସକୁ ସହଯୋଗ କରାଯାଇଛି।

ସେହିଭଳି ଶାନ୍ତିପୂର୍ଣ୍ଣ ଭସାଣି ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଉତ୍ସବ ସମାପନ କରିବାକୁ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଟ୍ରାଫିକ ଏସ୍‌ପି ଜତୀନ ପଣ୍ଡା ଶନିବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପଣ୍ଡାଙ୍କ ସୂଚନା ଅନୁସାରେ ଯେଉଁ ରାସ୍ତା ଦେବୀ ଦେବୀ ପ୍ରତିମା ଗୁଡ଼ିକ ଭସାଣୀ ଯିବେ, ରାସ୍ତା କଡ଼ରେ କେହି ଯାନ ବାହାନ ରଖି ପାରିବେ ନାହିଁ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା ଛକ, ରୂପାଲି ଛକ ଉପରେ ଟ୍ରାଫିକ ପୁଲିସର ନଜର ରହିବ। କାରଣ ଏହି ସ୍ଥାନମାନଙ୍କରେ ଦର୍ଶକମାନଙ୍କ ଭିଡ଼ ଅଧିକ ରହିଥାଏ। ସୂଚନାଯୋଗ୍ୟ, କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି।

ସମ୍ବନ୍ଧିତ ଖବର