ବିଦ୍ୟୁତ୍‌ ଚୁଲାକୁ ଭରସା ପାଉନି, ଚାପରେ ମଶାଣି

ଟେଣ୍ଡର୍‌ ଡାକି ଶୋଇଯାଇଛି ସିଏମ୍‌ସି, ଖରାପ ହେଲେ ଶବ ଯାଉଛି ଭୁବନେଶ୍ବର

ମଶାଣି ଉପରେ ଚାପ ବଢ଼ାଇଲାଣି କରୋନା। ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ସେହିପରି ସଂଦିଗ୍ଧଙ୍କ ଶବକୁ ବି ପ୍ରଶାସନ ଘରଲୋକଙ୍କୁ ହସ୍ତାନ୍ତର କରୁନି। ଫଳରେ ଦ୍ବୈତନଗରୀରେ ଥିବା ପ୍ରମୁଖ ମଶାଣି ଭୁବନେଶ୍ୱର ସତ୍ୟନଗର ଓ କଟକ ଖାନନଗର ଉପରେ ଲଗାତାର ଚାପ ବଢ଼ିବାରେ ଲାଗିଛି। ଦ୍ବୈତନଗରୀରେ ଚିକିତ୍ସିତ ହୋଇ ପ୍ରାଣ ହରାଉଥିବା କରୋନା ଆକ୍ରାନ୍ତ ଓ ସଂଦିଗ୍ଧଙ୍କୁ କେବଳ ଏହି ୨ଟି ମଶାଣିରେ ପୋଡ଼ା ଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଉଭୟ ମଶାଣିରେ ଦିନକୁ ହାରାହାରି ୧୪‌ରୁ ଊର୍ଧ୍ବ ଶବ ପୋଡ଼ା ଯାଉଛି। ବେଳେବେଳେ ଏପରି ସ୍ଥିତି ମଧ୍ୟ ଉପୁଜୁଛି, ଖାନନଗର ଶ୍ମଶାନରେ ଥିବା ଗ୍ୟାସ୍‌ଚୁଲା ଖରାପ ହୋଇଗଲେ, ମୃତକଙ୍କୁ ଭୁବନେଶ୍ବର ପଠାଇ ଦିଆଯାଉଛି। ଅପରପକ୍ଷେ ପୁରୀ ସ୍ବର୍ଗଦ୍ବାର ଏବେ ବାହାର ଜିଲ୍ଲାବାସୀଙ୍କ ପାଇଁ ବାରଣ ହୋଇଥିବାରୁ ଦୁଇ ସହରର ଅଣ‌କୋଭିଡ୍‌ ମୃତକଙ୍କୁ ବି ଏଠାକୁ ଅଣାଯାଉଛି। ଏପରି ସ୍ଥିତି ଲାଗି ରହିଲେ, ଆଗାମୀ ଦିନରେ ଦ୍ବୈତନଗରୀରେ ଶବଦାହ ଏକପ୍ରକାର ଅସମ୍ଭବ ହୋଇପଡ଼ିବ। ଦିନକୁ ଏତେ ସଂଖ୍ୟାରେ ଶବ ପୋଡ଼ିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ପ୍ରଶାସନର ବି ଚିନ୍ତା ବଢ଼ି ଯାଇଛି।

ଭୁବନେଶ୍ବର: ରାଜ୍ୟର ସବୁଠୁ ଚର୍ଚ୍ଚିତ ଶ୍ମଶାନ ଏବେ ସତ୍ୟନଗର ଶ୍ମଶାନ ପାଲଟିଯାଇଛି। କାରଣ ରାଜ୍ୟରେ ଏବେ ଯେତିକି କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି ସେଥିରୁ ୨୫୦ ଜଣଙ୍କର ଏଠାରେ ଶବଦାହ ହୋଇ ସରିଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାର ଓ ରାଜ୍ୟ ବାହାରର କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧ ବି ଏଠାରେ ପୋଡ଼ା ହୋଇଛନ୍ତି। ଗତ ସପ୍ତାହରେ ଏଠାରେ ଦିନକୁ ହାରାହାରି ୧୦ ଶବଦାହ ହେଉଥିବାବେଳେ ଚଳିତ ସପ୍ତାହରେ ଏହା ହାରାହାରି ୧୪କୁ ଛୁଇଁଯାଇଛି। ଆଗକୁ ଏହା ଆହୁରି ବଢ଼ିପାରେ। ଦିନକୁ ଏତେ ଶବ ପୋଡ଼ିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଏହି ଶ୍ମଶାନ ପାଇଁ ବିଏମ୍‌ସି ନୂଆ ଯୋଜନା କରୁଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ସତ୍ୟନଗରରେ ଦିନକୁ ପ୍ରାୟ ୧୪ଟି କରୋନା ଓ କରୋନା ସନ୍ଦିଗ୍ଧଙ୍କ ଶବଦାହ ହେଉଥିଲେ ହେଁ ଆଗକୁ ଏହା କଷ୍ଟକର ହୋଇଯିବ। ଏଠାରେ ଦିନକୁ ସର୍ବାଧିକ ୨୦ରୁ ୨୨ଟି ଶବଦାହ କରିହେବ। ଏହାଠାରୁ ଅଧିକ ହେଲେ ଆମକୁ ଅଲଗା ଶ୍ମଶାନରେ ବ୍ୟବସ୍ଥା କରିବାକୁ ପଡ଼ିବ। ନଚେତ୍‌ କୌଣସି ସ୍ଥାନରେ ମୃତ ଶରୀରଗୁଡ଼ିକୁ ପୋତିବାକୁ ପଡ଼ିପାରେ। ହେଲେ ଆମେ ସବୁ ଶବକୁ ଉଚିତ୍‌ ସମ୍ମାନର ସହ ସତ୍କାର କରିବାକୁ ଚାହୁଁଥିବାରୁ ସତ୍ୟନଗର ଶ୍ମଶାନର ଭିତ୍ତିଭୂମି ବଢ଼ାଇବାକୁ ଯୋଜନା କରିଛୁ । ଖୁବ୍‌ ଶୀଘ୍ର ଏଠାରେ ଗ୍ୟାସ ଚୁଲାରେ ଶବ ପୋଡ଼ିବା ବ୍ୟବସ୍ଥା କରାଯିବ। ଏହାସହ ଅଧିକ ଗୋଟିଏ ଚୁଲା କରି ନୂଆ ଚିମିନି ଲାଗିବ। ଏନେଇ ଖୁବ୍‌ ଶୀଘ୍ର ଟେଣ୍ଡର ଆହ୍ବାନ ହେବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ତିନିଟି କାଠ ଚୁଲା ଏବଂ ଗୋଟିଏ ବିଦ୍ୟୁତ ଚୁଲାରେ ଶବଦାହ କରିବା ବ୍ୟବସ୍ଥା ଅଛି। କିନ୍ତୁ ବିଦ୍ୟୁତ ଚୁଲାକୁ ଭରସା କରିହେଉନି। କାରଣ ଏହି ଚୁଲାକୁ ଦିନ ରାତି ୨୪ଘଣ୍ଟା ଜଳାଇ ରଖିଲେ ହେଁ ଏଥିରେ ଶବଦାହ କରିବା ସମ୍ଭବ। ଚୁଲା ଦିନ ରାତି ଜଳିଲେ ବି ଲୋକ ଏଥିରେ ଶବଦାହ କରିବାକୁ ରାଜି ହେଉନାହାନ୍ତି। ତେଣୁ ଏଥିରେ ଆମେ ଶବଦାହ କମ୍‌ କରୁଛୁ। ଏହି ବିଦ୍ୟୁତ ଚୁଲା ୫୫୦ଡିଗ୍ରି ସେଲସିୟସରେ ଜଳିଲେ ହିଁ ଗୋଟିଏ ଶବ ପୋଡ଼ି ହେବ। ଯଦି ଦିନରାତି ଚୁଲାଟି ଜଳୁଛି ତେବେ ଦିନକୁ ପ୍ରାୟ ୫ହଜାର ଟଙ୍କା ବିଦ୍ୟୁତ୍ ବିଲ୍‌ ଆସୁଛି। ଚୁଲାରେ କିଏ ପୋଡ଼ା ହୁଅନ୍ତୁ କି ନହୁଅନ୍ତୁ ମାସକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବିଲ୍‌ ଦେଉଛୁ। କେବଳ ଏତିକି ନୁହେଁ ଚୁଲାଟିରେ କିଛି ବି ଯାନ୍ତ୍ରିକ ତ୍ରୁଟି ଦେଖାଗଲେ କି କୌଣସି ପ୍ରକାରର ସମସ୍ୟା ଉପୁଜିଲେ ଚୁଲାକୁ ବନ୍ଦ କରି ମରାମତି କରିବାକୁ ପଡ଼ୁଛି। ଚୁଲା ଥଣ୍ଡା ହେବାକୁ ଦେଢ଼ ଦିନ ଲାଗୁଛି। ଏହାପରେ ପୁଣି ଶବ ପୋଡ଼ିବା ପାଇଁ ଚୁଲା ଲଗାଇଲେ ୫୫୦ଡିଗ୍ରି ସେଲସିୟସ୍‌ ହେବାକୁ ୧୦ରୁ ୧୨ଘଣ୍ଟା ଲାଗୁଛି। ଏହାବାଦ୍ ହିନ୍ଦୁ ଧର୍ମର ବହୁ ଲୋକ ଶବ ସତ୍କାର ପରେ ଅସ୍ତି ନେଉଥିବାରୁ ଏବଂ ଶବ ଦାହବେଳେ ମୁଖାଗ୍ନି ଦେଉଥିବାରୁ ବିଦ୍ୟୁତ ଚୁଲାକୁ ପସନ୍ଦ କରୁନାହାନ୍ତି। ଏଥିରେ କେବଳ ଅପରିଚିତ ମୃତଦେହ ଏବଂ ଯିଏ କହୁଛନ୍ତି ସେମାନଙ୍କର ଶବ ଦାହ ହେଉଛି।

ଏବେ ଗୋଟିଏ ଗ୍ୟାସ୍‌ ଚୁଲା ଏବଂ ନୂଆ ଚିମିନି ବ୍ୟବସ୍ଥା ହେଉଥିଲେ ହେଁ କରୋନା ଜନିତ ମୃତକଙ୍କ ସଂଖ୍ୟା‌ ବଢ଼ୁଥିବାରୁ ଆମେ ଆଉ ଏକ ବିଦ୍ୟୁତ ଚୁଲା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବୁ। କିନ୍ତୁ ଏଥିପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ବିଏମ୍‌ସି ମାସକୁ ମାସ ବିଦ୍ୟୁତ୍‌ ବିଲ୍‌ ଗଣିବ। ବିଦ୍ୟୁତ ଚୁଲାର ଯନ୍ତ୍ରାଂଶ ମିଳିବା କଷ୍ଟକର ହେଉଥିବାରୁ ଏବଂ କୋଲକାତାରୁ ଟେକ୍ନିସିଆନ ଆସି କାମ କରୁଥିବାରୁ ବିଏମ୍‌ସି ଅଧିକ ଖର୍ଚ୍ଚାନ୍ତ ହେଉଛି। ତେଣୁ ବିଦ୍ୟୁତ ଚୁଲା ନେଇ ବିଏମ୍‌ସି ପଛଘୁଞ୍ଚା ଦେଉଛି। ହେଲେ କରୋନା ଗାଇଡଲାଇନ୍ ଦେଖିଲାବେଳକୁ ବିଦ୍ୟୁତ୍ ଚୁଲା ଲଗାଇବା ଦରକାର ପଡ଼ୁଛି। ନହେଲେ ଅଧିକ ଶବ ସତ୍କାର କରିହେବନି। କେବଳ ଏତିକି ନ‌ୁହେଁ। ରାଜଧାନୀରେ ବହୁ ଲୋକ ମୃତଦେହଗୁଡ଼ିକୁ ପୁରୀ ସ୍ବର୍ଗଦ୍ବାର ନେଇଯାଆନ୍ତି। ଏବେ ସ୍ବର୍ଗଦ୍ବାର ନେବା ଉପରେ କଟକଣା ଲାଗିଥିବାରୁ ସତ୍ୟନଗର ଶ୍ମଶାନରେ ଅଧିକ ଭିଡ଼ ହେଉଛି। କରୋନା ପରେ ବିଦ୍ୟୁତ୍ ଚୁଲା ବ୍ୟବହାରରେ ନଲାଗିଲେ ଅଯଥା ଅର୍ଥ ବ୍ୟୟ ହେବ। ତେଣୁ ଆମେ ଗ୍ୟାସ୍‌ ଚୁଲା ଲଗାଇବାକୁ ଯୋଜନା କରିଛୁ। ଏଥିରେ ଯେତେବେଳେ ଶବ ଆସିବ ସେତେବେଳେ ଚୁଲା ଲାଗିବ। ୨୦ରୁ ୨୨କେଜି ଗ୍ୟାସ୍‌ ଖର୍ଚ୍ଚ ହେଲେ ଶବ ପୂରା ପୋଡ଼ିଯିବ। ଏଥିପାଇଁ ସର୍ବାଧିକ ୧ହଜାର ଟଙ୍କା ଖର୍ଚ୍ଚ ହବ। କାଠ ଚୁଲାଠାରୁ ବି କମ୍‌ ଖର୍ଚ୍ଚ ହେବ। କାରଣ ଦେଢ଼ରୁ ଦୁଇ କୁଇଣ୍ଟାଲ କାଠ ହେଲେ ଜଣଙ୍କୁ ପୋଡ଼ଯାଇପାରୁଛି। ସତ୍ୟନଗର ଶ୍ମଶାନର ଭିତ୍ତିଭୂମି ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଏହାକୁ ମଞ୍ଜୁର କଲେ ଆମେ କାମ ଆରମ୍ଭ କରିବୁ।

ଟେଣ୍ଡର୍‌ ଡାକି ଶୋଇଯାଇଛି ସିଏମ୍‌ସି
କଟକ: କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ଅଥବା ଆଇସୋଲେସନ ୱାର୍ଡରେ ଥାଇ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସତ୍କାରକୁ ନେଇ ଏବେ ଗୁରୁତର ସ୍ଥିତି। କଟକର ଖାନନଗର ଶ୍ମଶାନରେ ଥିବା ଏକମାତ୍ର ଗ୍ୟାସ୍ ଚୁଲା (ପୂର୍ବରୁ ଇଲେକ୍ଟ୍ରି ଚୁଲା) ଯଦି ଖରାପ ହୋଇ ଯାଉଛି ତେବେ ଶବ ସତ୍କାର ପାଇଁ ଯାଉଛି ଭୁବନେଶ୍ବର। ଅନ୍ୟପଟେ ବର୍ତ୍ତମାନ ବି‌ ଯେଉଁ ସଂଖ୍ୟାରେ ଶବ ସତ୍କାର ପାଇଁ ଆସୁଛି, ତାକୁ ଠିକରେ ସତ୍କାର କରିବାକୁ ସମସ୍ୟାରେ ପଡୁଛନ୍ତି ଶ୍ମଶାନ କର୍ମଚାରୀ। ଆଗକୁ ଯଦି କୌଣସି ପ୍ରକାର ଅଘଟଣରୁ ମୃତ୍ୟୁ ସଂଖ୍ୟା ବଢେ ତେବେ ଶବ ସତ୍କାର ହେବା ହୁଏତ ମୁସ୍କିଲ ହୋଇ ପଡ଼ିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କଟକରେ କରୋନା ଅଥବା ଆଇସୋଲେସନ୍‌ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ ଆଉ ପରିବାର ଲୋକଙ୍କୁ ଦିଆଯିବ ନାହିଁ। ସିଏମସି କର୍ତ୍ତୃପକ୍ଷ ଶବ ସତ୍କାର କରିବେ। ଖାନନଗର ଶ୍ମଶାନରେ ଥିବା ଗ୍ୟାସ୍‌ ଚୁଲାରେ ଏହି ଶବ ସତ୍କାର କରାଯିବ। ଏ ସଂପର୍କିତ ନିର୍ଦ୍ଦେଶ ଅନୁଯାୟୀ ଆଜି ସୁଦ୍ଧା ଗ୍ୟାସ୍‌ ଚୁଲାରେ ୬୪ଟି ଶବ ସତ୍କାର କରାଗଲାଣି। କିନ୍ତୁ ଜୁଲାଇ ୧୯ରୁ ୨୨ ପର୍ଯ୍ୟନ୍ତ ଚୁଲା ଅଚଳ ହୋଇ ଯିବାରୁ ଶବ ସତ୍କାର ପାଇଁ ଭୁବନେଶ୍ବର ସତ୍ୟନଗର ଶ୍ମଶାନକୁ ଯିବାକୁ ପଡ଼ିଥିଲା। ଜୁଲାଇ ୨୨ ତାରିଖରୁ ଯଦିଓ ଏଠାରେ ଶବ ସତ୍କାର ଚାଲିଛି କିନ୍ତୁ କରୋନା ମୃତକଙ୍କ ଶବ ସତ୍କାର ଯୋଗୁଁ ଅନ୍ୟ କାରଣରୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସତ୍କାର କାଠରେ କରାଯାଉଛି। କଟକରେ ଆଉ ଦୁଇଟି ନୂଆ ଗ୍ୟାସ୍‌ ଚୁଲା ପାଇଁ ଯୋଜନା ହୋଇଥିଲେ ବି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ। ମୃତକଙ୍କ ଶରୀରର ଆକାର ଅନୁଯାୟୀ ଗ୍ୟାସ ଚୁଲାରେ ଗୋଟିଏ ଶବ ସତ୍କାର ପାଇଁ ୪୫ରୁ ୮୦ ମିନିଟ ସମୟ ଲାଗୁଥିବା ବେଳେ ୧୫ରୁ ୨୫ କେଜି ଗ୍ୟା‌ସ୍‌ ବ୍ୟବହାର ହୋଇଥାଏ। ସହରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସତୀଚୌରା ଓ କାଳିଆବୁଦା ଶ୍ମଶାନରେ ଶବଦାହ ପାଇଁ ଗ୍ୟାସ୍‌ ଚୁଲାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗଲା ମାର୍ଚ୍ଚ ମାସରେ ସିଏମସି ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା। କିନ୍ତୁ ସିଏମସି କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ତାହା ଅଧାରେ ଅଟକି ରହିଛି।

ସୂଚନାଯୋଗ୍ୟ, ଖାନନଗର ଶ୍ମଶାନରେ ପ୍ରଥମେ ୧୯୮୩ରେ ଇଲେକ୍ଟ୍ରିକ ଚୁଲାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୧୯୯୯ ମହାବାତ୍ୟା ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ଓ ଚୁଲା କଏଲ୍‌ର ସମସ୍ୟା ମଧ୍ୟରେ ଏହା ଚାଲୁଥିଲା। ମାତ୍ର ମହାବାତ୍ୟାରେ ଏହା ପୂରା ଭାଙ୍ଗିଗଲା। ପରେ ୨୦୦୮ରେ ଏହାରର ନବୀକରଣ କରାଗଲା। ୨୦୧୮ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଚୁଲା ଚାଲିଥିବା ବେଳେ ସେହି ବର୍ଷ ତାହାକୁ ଗ୍ୟାସ ଚୁଲାରେ ପରିଣତ କରାଗଲା। ଧୂଆଁ ନିର୍ଗତ ପାଇଁ ଉଚ୍ଚ ଚିମିନ୍‌ର ବ୍ୟବସ୍ଥା କରାଯାଇଥିଲା। ଗତବ‌ର୍ଷ ମେ ୩ ତାରିଖରେ ଆସିଥିବା ଫନି ବାତ୍ୟାରେ ଚିମିନ୍ ଭାଙ୍ଗି ଯାଇଥିବାରୁ ଏହା ପ୍ରାୟ ୧୦ମାସ କାଳ ବନ୍ଦ ରହିଥିଲା। ପରେ ଏହାର ମରାମତି କରାଯାଇ ଗତ ବର୍ଷ ଏପ୍ରିଲରେ ଏହାକୁ କାର୍ଯ୍ୟକ୍ଷମ କରାଗଲା। ସାଧାରଣ ସମୟରେ ବୟସ୍କଙ୍କ ପାଇଁ ଅଢେଇ ଶହ ଟଙ୍କା ଓ ୧୨ ବର୍ଷରୁ କମ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ସତ୍କାର ଦେୟ ବାବଦକୁ ନିଆ ଯାଉଥିବା ବେଳେ ବିପିଏଲ୍‌ ଓ ରାସନ କାର୍ଡ ଥିବା ଲୋକଙ୍କ ଶବ ସତ୍କାର ଗ୍ୟାସ ଚୁଲାରେ ମାଗଣାରେ କରାଯାଇଥାଏ। କିନ୍ତୁ ଏବେ କୋଭିଡ୍‌ ମୃତକଙ୍କ ଶବକୁ ଏଠାରେ ମାଗଣାରେ ସତ୍କାର କରାଯାଉ ଥିବା ବେଳେ ବର୍ତ୍ତମାନ ସମୟରେ ଅନ୍ୟକାରଣରୁ ମୃତକଙ୍କ ସତ୍କାର କାଠରେ କରାଯାଉଛି।

ଆଗକୁ ଭରତପୁର, ସୁନ୍ଦରପଦାରେ ଶବଦାହ ହୋଇପାରେ
ଏବେ ସତ୍ୟନଗର ଶ୍ମଶାନରେ ‌କରୋନା ଆକ୍ରାନ୍ତ/ସନ୍ଦିଗ୍ଧଙ୍କର ଶବ ଦାହ ହେଉଥିଲେ ହେଁ ଦିନକରେ ଏତେ କାମ କରିବାକୁ କର୍ମଚାରୀ ରାଜି ହେଉନାହାନ୍ତି। ଏହାବାଦ୍ ସତ୍ୟନଗର ଶ୍ମଶାନରେ ଦିନକୁ ସର୍ବାଧିକ ୨୦ରୁ ୨୨ଟି ଶବ ପୋଡ଼ି ହେବ। ‌ଯଦି ରାଜ୍ୟ ସରକାର କିଛି ବ୍ୟବସ୍ଥା ନକରନ୍ତି ତେବେ ଆଗକୁ ଭରତପୁର ଓ ସୁନ୍ଦରପଦା ଶ୍ମଶାନରେ ଶବ ସତ୍କାର ହେବ। ଏହି ଦୁଇଟି ଶ୍ମଶାନକୁ ବିଏମ୍‌ସି ନିକଟରେ ଉନ୍ନତୀକରଣ କରିଥିବାରୁ ଏଠାରେ ଶବଦାହ କରିବାରେ କିଛି ଅସୁବିଧା ହେବନି। ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର