ଭୁବନେଶ୍ବର: ୧୮ ମାସରେ ହଂସପାଳ ଫ୍ଲାଏଓଭର କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ହେଲେ ୪୮ ମାସ ବିତିଥିଲେ ହେଁ ଏବେ କାମ ଅଧା ସରିଛି। ଶୁକ୍ରବାର ହଂସପାଳ ଫ୍ଲାଏଓଭର ଖୋଲିବ। ହେଲେ ଏଥିରେ ଉତ୍ସାହିତ ହେବାର ସେମିତି ବଡ଼ କାରଣ ନାହିଁ। କାରଣ, କେବଳ ଗୋଟିଏ ପାଖ (କଟକ ପଟରୁ ଭୁବନେଶ୍ବର) ରାସ୍ତା ଖୋଲା ଯିବ। ଅନ୍ୟ ପାଖଟି ସମ୍ପୂର୍ଣ୍ଣ ହୋଇନଥିବାରୁ ଖୋଲାଯାଇ ପାରିବ ନାହିଁ। ବାକି ରହିଥିବା ଅଧା କାମ ସରିବାକୁ ଆଉ କେତେ ମାସ ସମୟ ଲାଗିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୯ ଅଗଷ୍ଟ ୧୯ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ୍ କରି ହଂସପାଳରେ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ପାଇଁ ସୂଚନା ଦେଲେ। ୧୨୦ ଦିନ ଭିତରେ ଟେଣ୍ଡର କାମ ଶେଷ ହେବ ବୋଲି କୁହାଗଲା। ହେଲେ ଟେଣ୍ଡର ପ୍ରକ୍ରିୟା ସରିବାକୁ ବର୍ଷେ ଲାଗିଗଲା। ୨୦୨୦ ଅଗଷ୍ଟ ୮ରେ ଏହାର ଶିଳାନ୍ୟାସ କରାଗଲା। ୨୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫୫୮ ମିଟର ଲମ୍ବା ଓ ୬ ଲେନ୍ ବିଶିଷ୍ଟ ଏହି ଫ୍ଲାଏଓଭର ୧୮ ମାସରେ ଶେଷ ହେବ ବୋଲି ଘୋଷଣା କରାଗଲା। ଏହି ଟେଣ୍ଡର୍ ପାଇଥିଲା ବ୍ରିଜେଶ ଅଗ୍ରୱାଲ ଠିକାସଂସ୍ଥା। ତେବେ ୨୦୨୦ ମସିହାରେ କୋଭିଡ୍ ପାଇଁ କାମରେ ବିଳମ୍ବ ହେଲା। ସେଥିପାଇଁ ପ୍ରାୟ ୧ ବର୍ଷ ସମୟସୀମା ବୃଦ୍ଧି କରାଯାଇ ୨୦୨୨ ମସିହା ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହାପରେ ୨୦୨୩ ଦୁର୍ଗାପୂଜା ପୂର୍ବରୁ କାମ ଶେଷ ପାଇଁ କୁହାଗଲା, ତଥାପି ସରିଲା ନାହିଁ। ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଶେଷ ଥର ପାଇଁ ଗତ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଠିକାସଂସ୍ଥାକୁ ନୋଟିସ୍ ଦେଇଥିଲା ଏନ୍ଏଚ୍ଏଆଇ। ତଥାପି ମଧ୍ୟ କାମ ସାରି ପାରିଲା ନାହିଁ ଏହି ଠିକା ସଂସ୍ଥା। ଫଳରେ ଗତ ଜୁନ୍ ମାସରେ ବ୍ରିଜେଶ ଅଗ୍ରୱାଲ୍ ଟେଣ୍ଡର ବାତିଲ କରାଗଲା। ବାକି ଥିବା କାମ ଓଡ଼ିଶାର ଠିକାସଂସ୍ଥା ଅଭୀପ୍ସା କନଷ୍ଟ୍ରକ୍ସନ୍ କରିବ ଏବଂ ମାସେ ଭିତରେ କାମ ଶେଷ ହେବ ବୋଲି ଏନ୍ଏଚ୍ଏଆଇ ପକ୍ଷରୁ କୁହାଗଲା। ହେଲେ ଏବେ ବି କାମ ଧିମା ଚାଲିଛି।
ଦେଢ଼ ମାସ ଭିତରେ କେବଳ ଗୋଟିଏ ପାଖ କାମ ସାରିବାକୁ ସକ୍ଷମ ହୋଇଛି ଠିକାସଂସ୍ଥା। ଏବେର ସ୍ଥିତି ଯାହା ବାକି କାମ ସାରିବାକୁ ଆହୁରି ମାସାଧିକ ସମୟ ଲାଗିବ। କାରଣ ଅପରପାଖ (ଭୁବନେଶ୍ବର ପଟୁ କଟକ) ରାସ୍ତାର ମଝି ସ୍ଥାନରେ ବ୍ରିଜ୍ କାମ କରାଯାଉଛି। ଦୁଇ ବ୍ରିଜ୍କୁ ଡଷ୍ଟ ପକାଯାଇ ଗୋଟିଏ ପାଖ ସଂଯୋଗ ହୋଇଥିବା ବେଳେ ଅନ୍ୟ ପାଖଟି ଆଦୌ କାମ ହୋଇନାହିଁ। ଏମିତିକି ଏହି ପାଖରେ ଡଷ୍ଟକୁ ରଖିବା ପାଇଁ ନିର୍ମାଣ ହେଉଥିବା ସିମେଣ୍ଟ ପାଚେରି ପ୍ରାୟ ୭୦ ପ୍ରତିଶତ କରାଯାଇନାହିଁ। ଫଳରେ ନିକଟ ଭବିଷ୍ୟତରେ କାମ ଯେ ଶେଷ ହେବ ନାହିଁ ତାହା ସ୍ପଷ୍ଟ ଜଣାପଡ଼ୁଛି। ଅନ୍ୟ ଦିଗଟି ହେଲା, ଠିକା ସଂସ୍ଥା ବ୍ରିଜେଶ ଅଗ୍ରୱାଲ୍ ୮୫ ପ୍ରତିଶତ କାମ ସରିଥିବା ଦର୍ଶାଇ ୨୦ କୋଟି ଟଙ୍କା ନେଇଛି। କିନ୍ତୁ ପ୍ରକୃତରେ କାମ ଆହୁରି ୩୦ ପ୍ରତିଶତ ବାକି ରହିଛି। ତେବେ କେଉଁ ପରିସ୍ଥିତିରେ ଏନ୍ଏଚ୍ଏଆଇ ବ୍ରିଜେଶ ଅଗ୍ରୱାଲ୍କୁ ଏତେ ଟଙ୍କା ଦେଇଛି ତା’ର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଏନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଭୁବନେଶ୍ବର ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାଓ କହିଛନ୍ତି, ଆଜି ସକାଳେ କିଛି ସମୟ ପାଇଁ ଫ୍ଲାଏଓଭର ଉପରେ ଗାଡ଼ି ଛଡ଼ା ଯାଇଥିଲା। ଆସନ୍ତାକାଲି ଠାରୁ ନିୟମିତ ଭାବେ ଗୋଟିଏ ପାଖରେ ଗାଡ଼ି ଛଡ଼ାଯିବ। ସେଥିପାଇଁ ଆଜି ସଂଯୋଗ ସ୍ଥାନଗୁଡ଼ିକ କାମ କରାଯାଉଛି। ବାକି ରହିଥିବା ଅନ୍ୟ ପଟ କାମ ବର୍ଷା ପାଇଁ ବିଳମ୍ବ ହେଉଛି। ଖୁବ୍ ଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି।