ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଜମି ହଡ଼ପ ଘଟଣା: ନ୍ୟାୟ ନମିଳିଲେ ସପରିବାର ଆତ୍ମାହୁତି ଦେବେ

ବାଲିଅନ୍ତା: କମ୍ପାନିର ୨୫ପ୍ରତିଶତ ଅଂଶୀଦାର କରାଇ ଦେବାର ଲୋଭ ଦେଖାଇ ସୁବାସ ଚନ୍ଦ୍ର ମିଶ୍ର ନାମକ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ୩ ଏକର ୧୦୩ ଡେସିମିଲ ଜମି ହଡ଼ପ ଘଟଣା ଏବେ ଭିନ୍ନ ରୂପ ନେଇଛି। ତାଙ୍କୁ ନ୍ୟାୟ ନ ମି‌ଳିଲେ ସେ ସପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ‌ରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ନଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୁବାସଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବଲ୍‌ଡର୍‌ ଓ ଜଣେ ସ୍ଥାନୀୟ ରାଜନେତା ତାଙ୍କୁ ଏକ କମ୍ପାନିର ୨୫ ପ୍ରତିଶତ ଅଂଶୀଦାର କରାଇଦେବାର ଲୋଭ ଦେଖାଇଥିଲେ। ଏଥିପାଇଁ ତାଙ୍କର ୪ଏକର ପରିମିତ ପ୍ଲଟ୍‌ ଜମିରୁ ସେମାନଙ୍କ ନାମରେ ୩ ଏକର ୧୦୩ ଡେସିମିଲ୍‌ କରିବାକୁ ପଡ଼ିବ ବୋଲି କହିଥିଲେ। ଏଥିରେ ରାଜି ହୋଇ ସୁବାସ ରାଜନେତାଙ୍କ ନାମରେ ଉକ୍ତ ଜମି କରିଦେଇଥିଲେ। କିନ୍ତୁ ଏବେ ନା କମ୍ପାନିର ଦେଖା ଅଛି, ନା ଅଭିଯୁକ୍ତଦ୍ବୟ ତାଙ୍କ ଜମି ଫେରାଉଛନ୍ତି। ଅପରପକ୍ଷେ ଜମିର ମାଲିକାନା ଜାହିର କରି ରାଜନେତାଜଣକ ଉକ୍ତ ଜମିରେa ବାଡ଼ ପକାଇଛନ୍ତି। ଗତ ୨୫ ତାରିଖରେ ଶୀ ମିଶ୍ର ଜମି ନିକଟକୁ ଯାଇଥିବା ବେଳେ ସେଠାରେ ୧୦ଜଣ ଯୁବକ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ଲୁହାରଡ୍‌ ମାଡ଼‌ରେ ସୁବାସଙ୍କର ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହି ଗଣ୍ଡଗୋଳ ମାମଲାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜନେତା ଏବଂ ବିଲ୍ଡର୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଜମିର ମାଲିକାନା ସ୍ବତ୍ବ ରଦ୍ଦ କରି ବେଦଖଲ କରାଯିବା ସହ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି। ଏ ସଂପର୍କରେ ସେ ତହସିଲ କାର୍ଯ୍ୟାଳୟ, ବାଲିଅନ୍ତା ଥାନାଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ତେଣୁ ସେ ଆଗାମୀ ଦିନରେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବେ। ତେବେ ସେଠାରେ ସମାଧାନ ନ ହେଲେ ତହସିଲ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର