ଭୁବନେଶ୍ୱର: ରାଷ୍ଟ୍ରପ୍ରେମରେ ଜୀବନକୁ ସରଳତାର ଆଲୋକରେ ଉଦ୍ଭାସିତ କରିଥିବା, ଚିନ୍ତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିଥିବା, ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ବ୍ୟକ୍ତିତ୍ୱ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ସେ ଥିଲେ ପ୍ରତିଭାବାନ୍ ଛାତ୍ର, ମହାନ ସଂଗଠକ, ଗଭୀର ଚିନ୍ତକ, ଦାର୍ଶନିକ, ଶକ୍ତିଶାଳୀ ଲେଖକ, ସାମ୍ବାଦିକ ଏବଂ ପରିପୂର୍ଣ୍ଣ ମାନବବାଦୀ ରାଷ୍ଟ୍ରନୀତିଜ୍ଞ। ତାଙ୍କର ଆଦର୍ଶବାଦୀ ମନୋଭାବ ଏବଂ ଶୁଦ୍ଧ ରାଷ୍ଟ୍ରଭାବନା ତାଙ୍କୁ ଦେଶପ୍ରେମରେ ବ୍ରତୀ କରିଥିଲା ବୋଲି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ଏଭଳି କହିଛନ୍ତି।
ଜୟଦେବ ଭବନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ରାଷ୍ଟ୍ରପ୍ରେମରେ ଜୀବନକୁ ଉତ୍ସର୍ଗ କରି ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ବ୍ୟକ୍ତିତ୍ୱ ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ମାନବବାଦର ପ୍ରବର୍ତ୍ତକ ଭାବେ ସମାଜ, ପ୍ରକୃତି ଓ ବ୍ୟକ୍ତିକୁ ଏକାତ୍ମଭାବେ ଦେଖି ସମତାପୂର୍ଣ୍ଣ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ସମ୍ପଦ, ଶ୍ରମ ଓ ପ୍ରଜ୍ଞାକୁ ସ୍ୱଦେଶୀ ପଥରେ ବ୍ୟବହାର କରି ଦେଶକୁ ସ୍ବାବଲମ୍ବୀ କରିବାର ସ୍ବପ୍ନ ସେ ଦେଖିଥିଲେ। ତାଙ୍କର ଦୃଢ଼ ପରିଶ୍ରମ ଓ ନେତୃତ୍ୱରେ ଗଢ଼ିଉଠିଥିବା ଭାରତୀୟ ଜନସଂଘ ଆଜି ବିଶାଳ ଗଣତାନ୍ତ୍ରିକ ଦଳରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ସମ୍ମାନିତ ଅତିଥି ଏକାମ୍ର ବିଧାୟକ ବାବୁ ସିଂହ କହିଲେ ଯେ ସମାଜର ସବୁଠାରୁ ନିମ୍ନସ୍ତରରେ ଥିବା ମଣିଷଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦୀନଦୟାଲ ଉପାଧ୍ୟାୟଙ୍କର ଲକ୍ଷ୍ୟ ରହିଥିଲା। ତାଙ୍କ ସ୍ୱପ୍ନକୁ ସାକାର କରିବା ଆମର କର୍ତ୍ତବ୍ୟ ବୋଲି ବିଧାୟକ କହିଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇ କହିଲେ, ଦୀନଦୟାଲ ଜଣେ ଗଭୀର ଓ ମୌଳିକ ଚିନ୍ତାନାୟକ ଥିଲେ। ତାଙ୍କର ଦର୍ଶନ ଆଜି ବି ଦେଶକୁ ନୂତନ ପ୍ରେରଣା ଓ ପଥ ପ୍ରଦର୍ଶନ କରୁଛି। ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/untitled-14-2025-09-26-06-32-06.jpg)