ସଂସ୍କୃତି ବିଭାଗ ଚାହିଲେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ବଞ୍ଚି ରହିବ

ମନେପଡ଼ନ୍ତି ‘ଗୌର ପାର୍ବତୀ’

ଚନ୍ଦ୍ରଶେଖରପୁର: ଓଡ଼ିଆ ଚଳଚ୍ଚିତ୍ରର ଯୁଗ ବଦଳିଛି, ହେଲେ ଆଜି ବି ଦର୍ଶକ ପୁରୁଣା ଚଳଚ୍ଚିତ୍ର ଓ ପୁରୁଣା କଳାକାରଙ୍କୁ ଝୁରୁଛନ୍ତି। ଜୟଦେବବିହାରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ମନେ ପଡ଼ନ୍ତି ଗୌର ପାର୍ବତୀ’‌ରେ ଯୋଗ ଦେଇଥିବା ଅତିଥିମାନେ ଆଜି ଏପରି କହିଛନ୍ତି। ସ୍ବର୍ଗତ ଗୌର ପ୍ରସାଦ ଘୋଷ ଓ ସ୍ବର୍ଗତ ପାର୍ବତୀ ଘୋଷଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ସଂଳାପକାର, ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଯୋଗଦେଇଥିଲେ। ଆଜିର ଅତ୍ୟାଧୁନିକ ଡିଜିଟାଲ ଯୁଗରେ ବୁଡ଼ି ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ରାଜ୍ୟ ସଂସ୍କୃତି ବିଭାଗ ଚାହିଲେ ବଞ୍ଚାଇ ରଖିପାରିବ ବୋଲି ନିଜ ନିଜ ବକ୍ତବ୍ୟରେ ସେମାନେ ଆଶାପ୍ରକଟ କରିଥିଲେ।

ଅଭିନେତ୍ରୀ ପାର୍ବତୀଙ୍କ ସାନ ଭଉଣୀ କ୍ଷୀରୋଦ ନାୟକ ଓ ପରିବାରଲୋକଙ୍କ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଗୌର ଓ ପାର୍ବତୀଙ୍କ ସ୍ମୃତିଚାରଣ କରିବା ସହ କିଛି ଅଭୁଲା ସ୍ମୃତି ଉପରେ କହିଥିଲେ। ଏହି ସଫଳ ଯୋଡ଼ିଙ୍କୁ ନେଇ ଦୀପକ କୁମାର ଦାସଙ୍କ ସହଯୋଗରେ ପ୍ରାଚୀତାରା ଏକ ଡିଜିଟାଲ ଆତ୍ମଜୀବନୀ ତିଆରି କରିଛନ୍ତି, ଯାହା ଆଜି ୟୁଟ୍ୟୁବ୍‌ରେ ଜିପିଜି ପ୍ରଡକ୍ସନ୍‌ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଏଥିରେ ଗୌର-ପାର୍ବତୀଙ୍କ ସହ ବିଭିନ୍ନ ଚଳଚ୍ଚିତ୍ରରେ କାମ କରିଥିବା କଳାକାରଙ୍କର ମତାମତ ରହିଛି। କାର୍ଯ୍ୟକ୍ରମକୁ ରତି ଘୋଷ ବର୍ମନ୍ ଓ ଶେଖର ବର୍ମନ୍‌, କ୍ଷୀରୋଦ ନାୟକ, ସ୍ବରୂପ ନାୟକ, ପାଭଲିନା ଘୋଷ ଓ କ୍ରିସ୍ କ୍ୟାମ୍ପୋସ୍ ଏବଂ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର