ଭୁବନେଶ୍ବର : ରାଜଧାନୀରେ ଯେଉଁମାନେ ବିଡିଏରୁ ଜମି ନେଇଛନ୍ତି, କିନ୍ତୁ ସେଠାରେ ଘର କରିନାହାନ୍ତି ସେମାନଙ୍କୁ ଚେତାବନୀ ଦେଇଛି ବିଡିଏ। ୮ମାସ ଭିତରେ ଅର୍ଥାତ୍ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଖାଲି ଜମିରେ ଘର, କୋର୍ ହାଉସ୍ ନିର୍ମାଣ ନକଲେ ବିଡିଏ କାର୍ଯ୍ୟାନୁଷ୍ଠାନ ନେବ, ଆବଶ୍ୟକସ୍ଥଳେ ଆବଣ୍ଟନ ବାତିଲ୍ କରିଦେବ। ଏହା ୫ବର୍ଷ ପୂର୍ବରୁ ଜମି ନେଇଥିବା ଲୋକଙ୍କ କ୍ଷେତ୍ରରେ ଲାଗୁ ହେବ।
ବିଡିଏ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କୁ ଜମି ଆବଣ୍ଟନ ହୋଇଛି ସେମାନେ ଘର, କୋର୍ ହାଉସ୍ ନିର୍ମାଣ କରିବାକୁ ୨୦୧୨ ମସିହାରୁ ବାରମ୍ବାର କୁହାଯାଉଛି। ଏପରିକି ଜାଣିବାକୁ ମିଳିଛି ଯେ, କିଛି ଲୋକ ଜମି ନେବା ପରେ ଏହାକୁ ବିକିବା ପାଇଁ ୧୦ବର୍ଷ ପର୍ଯ୍ୟନ୍ତ ପଡ଼ିଆ ପକାଇ ରଖୁଛନ୍ତି। ଆଉ ଉଚ୍ଚା ଦାମ୍ରେ ବିଲଡର୍ଙ୍କୁ ବିକି ଦେଉଛନ୍ତି। ଯାହା ଜମି ଆବଣ୍ଟନ ନିୟମକୁ ଉଲ୍ଲଂଘନ କରୁଛି। ତେଣୁ ବିଡିଏ ୧୩୯ତମ ଅଥରିଟି ବୈଠକରେ ନିଷ୍ପତ୍ତିି ହୋଇଛି ଯେ, ବିଭିନ୍ନ ଗୃହ ପ୍ରକଳ୍ପ/ଜମି ଆବଣ୍ଟନ ଯୋଜନାରେ ଯେଉଁମାନେ ଜମି ନେଇଛନ୍ତି ସେମାନଙ୍କୁ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଘର କିମ୍ବା କୋର୍ ହାଉସ୍ ନିର୍ମାଣ କରିବାକୁ ହେବ। ଯଦି ଏହା ନକରନ୍ତି ତେବେ ତାଙ୍କର ଲିଜ୍ ଡିଡ୍ ହେବନି କି ଏନ୍ଓସି ଦିଆଯିବନି। ଏପରିକି ଏଠାରେ ଲୋକ ଯେଉଁ ଉଦ୍ଦେଶ୍ୟରେ ଜମି ନେଇଛନ୍ତି ସେହି ଅନୁଯାୟୀ ହିଁ ଘର କରିବା ଦରକାର ବୋଲି କୁହାଯାଇଛି। ସେହିପରି ଯେଉଁମାନେ ଭୁବନେଶ୍ବରରେ ଜମି ପାଇଛନ୍ତି କିନ୍ତୁ ବିଦେଶରେ ରହୁଛନ୍ତି ସେମାନଙ୍କୁ ଘର ନିର୍ମାଣ ପାଇଁ ଆଉ ଏକ ବର୍ଷର ସମୟ ଦିଆଯାଇଛି। କୋଭିଡ ଯୋଗୁଁ ଯାତାୟାତ ସୁବିଧା ନଥିବାରୁ ସେମାନଙ୍କ ସମ୍ପତ୍ତିର ଲିଜ୍ ଡିଡ୍ ପାଇଁ ଏହି ସମୟ ଦିଆଯାଇଛି।
ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଏହା ଶେଷ ଚେତାବନୀ। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ସମସ୍ତ ଆବଣ୍ଟନକାରୀଙ୍କୁ ଖାଲି ଜମିରେ ଘର ନିର୍ମାଣ କରିବାକୁ ୨୦୦୯, ୨୦୧୫, ୨୦୧୭, ୨୦୧୮, ୨୦୨୦ରେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦେଇଥିଲୁ। ବାରମ୍ବାର ଚେତାବନୀ ସତ୍ତ୍ବେ ଯେଉଁମାନେ ନିୟମ ମାନିନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ। ଆବଶ୍ୟକସ୍ଥଳେ ଆବଣ୍ଟନ ବାତିଲ୍ ହେବ। ସେମାନଙ୍କ ବିରୋଧରେ ସମ୍ପତ୍ତି ପରିଚାଳନା ଆବଣ୍ଟନ ନିୟମ ୨୦୧୫ ଏବଂ ବିଡିଏ ଜମି ନିୟମ ୨୦୧୫ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ ଯେ ରାଜଧାନୀରେ ଡେଙ୍ଗୁ, ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ପ୍ରମୁଖ କାରଣ ଖାଲିଥିବା ପ୍ଲଟ୍। ତିନି ବର୍ଷ ତଳେ ବିଏମ୍ସି ବିଡିଏକୁ ଏହା କହିଥିଲା। ପଡ଼ିଆ ପଡ଼ିଥିବା ଜମିରେ ଲୋକ ଆବର୍ଜନା ଗଦା କରୁଥିବାରୁ ମଶା ବଂଶ ବୃଦ୍ଧି ପାଉଛି। ତେଣୁ ବିଡିଏ ଏହା ଉପରେ କିଛି ପଦକ୍ଷେପ ନେଉ। ଏହାପରେ ବିଡିଏ ଚେତାବନୀ ଦେଇଥିଲା ଯେ ଯେଉଁମାନେ ବିଡିଏରୁ ଜମି ନେଇଛନ୍ତି କିନ୍ତୁ ଘର କରୁନାହାନ୍ତି ସେମାନଙ୍କ ଜମି ଆବଣ୍ଟନ ବାତିଲ୍ ହେବ। ହେଲେ ତିନି ବର୍ଷ ଭିତରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଇପାରିଲାନି। ଏବେ ରାଜଧାନୀରେ ପୁଣି ଡେଙ୍ଗୁ ବଢ଼ିବାରୁ ବିଡିଏ ତିନି ବର୍ଷ ତଳର ଧମକକୁ ପୁଣି ଦୋହରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/BhubaneswarDevelopmentAuthority.jpg)