‘ସାହିତ୍ୟିକ କବି ବନ୍ଧୁ ପରିବାର’ର ବାର୍ଷିକ ସମାରୋହ ଓ ପୁସ୍ତକ‌ ଲୋକାର୍ପଣ: ଭାଷା ବଞ୍ଚିଲେ ଜାତି ବଞ୍ଚିବ

ଭୁବନେଶ୍ବର: ବାଲେଶ୍ବରର ‘ସାହିତ୍ୟିକ କବି ବନ୍ଧୁ ପରିବାର’ ଅନୁଷ୍ଠାନ ପକ୍ଷରୁ ଆଜି ଲୋହିଆ ଏକାଡେମିରେ ପୁସ୍ତକ‌ ଲୋକାର୍ପଣ ଓ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ପ୍ରଫେସର୍‌ ସୁଦର୍ଶନ ସାସମଲ୍‌ ଯୋଗଦେଇ କହିଲେ, ଭାଷା ବଞ୍ଚିଲେ ଜାତି ବଞ୍ଚିବ। ଆମ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସମସ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଛି।

ସମ୍ମ‌ା‌ନିତ ଅତିଥି ରାଜ୍ୟବର୍ଦ୍ଧନ ଧଳମହାପାତ୍ର‌ କହିଲେ, ଗୀତା, ଭାଗବତ, ରାମାୟଣ ଓ ମହାଭାରତରେ ଅସଲ ସାହିତ୍ୟ ବିଦ୍ୟମାନ। ସେସବୁ ଅନୁଭବ କରି ଆମେ ସାହିତ୍ୟ ରଚନାକୁ ଅଗ୍ରସର କରିବାର ଆବଶ୍ୟକତା ରହିଛି। ମୁଖ୍ୟବକ୍ତା ପ୍ରଫେସର୍‌ ନଟବର ଶତପଥୀ କହିଲେ, ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଏଭଳି ପ୍ରତିଷ୍ଠାନମାନଙ୍କର ଆବଶ୍ୟକତା ରହିଛି। ବାଲେଶ୍ବର ସାହିତ୍ୟର ସହର।‌ ସେଠାରୁ ଜନ୍ମ‌ ନେଇ ଅନେକ ସାହିତ୍ୟକ ଆଜି ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛନ୍ତି। ସମ୍ମାନିତ ବକ୍ତା ଗୋବିନ୍ଦ ଚନ୍ଦ୍ର ଚାନ୍ଦ କହିଲେ, ଜଣେ ସାହିତ୍ୟିକ ସବୁବେଳେ ଗୋଷ୍ଠୀକୈନ୍ଦ୍ରିକ। ଜଣେ ବ୍ୟକ୍ତିକୁ ଆଧାର କରି ସେ ପୂରା ସମାଜର କଥାକୁ ବର୍ଣ୍ଣନ‌‌ା କରିପାରେ। ବରେଣ୍ୟବକ୍ତା ପ୍ରଫେସର୍‌ ସନ୍ତୋଷ ତ୍ରିପାଠୀ କହିଲେ, ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଏବେ ନୂତନପିଢ଼ିକୁ ସମୃଦ୍ଧ କରି ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ବ। ତାଙ୍କୁ ସଶକ୍ତ କରି ଆଗକୁ ଛାଡ଼ି ପାରି‌ଲେ ଯାଇ ଆମ ଭାଷା ବଞ୍ଚିବ ଓ ସାହିତ୍ୟର ଉନ୍ନତି ହୋଇପାରିବ। ଅନ୍ୟତମ ଅତିଥି ଭାବେ ହେମନ୍ତ ଜେନା, ଇନ୍ଦିରା ଦତ୍ତ, ସଭାପତି ଦେବେନ୍ଦ୍ର ନାଏକ, ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଓ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ।

ଦ୍ବିତୀୟ ଅଧିବେଶନରେ ସାହିତ୍ୟିକ ବିଶେଶ୍ବର ମାଝୀ, ପ୍ରଫୁଲ୍ଲ ଦାସ, ସ୍ନେହା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କବିତା ପାଠୋତ୍ସବ ହେବା ସହ ବିଶେଶ୍ବର ମାଝୀଙ୍କ ‘ଛନ୍ଦ‌ରେ ଛନ୍ଦରେ’, ପ୍ରଣତି ମହାପାତ୍ରଙ୍କର ‘ଗୀତରେ ଗୀତରେ ଆମେ ନାଚିବା’, ବାମନ ଚନ୍ଦ୍ର ଦୀକ୍ଷିତଙ୍କର ‘ମ୍ଲାନ ମୂର୍ଚ୍ଛନ୍ନା’ ଏବଂ ‘ଶ୍ରୁତି ସୁଧା’, ପ୍ରତିମା ଶତପଥୀଙ୍କର ‘କନ୍ୟାରତ୍ନ’, ତପନ ବିଶ୍ବାଳଙ୍କର ‘ରୋମନ୍ଥନ’, ବନଲକ୍ଷ୍ମୀ ମହାନ୍ତିଙ୍କର ‘ଭକ୍ତି ଅର୍ଘ୍ୟ’, ପୁଷ୍ପଲତା ମିଶ୍ରଙ୍କର ‘ଗୀତି ସ୍ରୋତସ୍ବିନୀ’, ଦିବ୍ୟାଂଶୀ ମହାନ୍ତିଙ୍କର ‘ଦିବ୍ୟାଂଶୀର ଦିବ୍ୟ ଭାବନା’ ଓ ଅନୁଷ୍ଠାନର ମୁଖପତ୍ର ‘ଶିଖା: ମନ ଚେତନାର ନବ ଦିଗନ୍ତ’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର