ପୁଅ ତ ମିଳିଲାନି, ଅସ୍ଥି ଖଣ୍ଡେ ଦିଅନ୍ତୁ; ସହାୟତା ନଦେଲେ ବିଷ ପିଇ ଆତ୍ମହତ୍ୟା କରିବୁ

ସୀମାଞ୍ଚଳଙ୍କ ବାପା’ ମା’ଙ୍କ ରକ୍ତ ନମୁନା ସଂଗ୍ରହ

ଭୁବନେଶ୍ବର: ନ’ଦିନ ବିତିଗଲା। ମୋ’ ପୁଅ କିନ୍ତୁ ‌ଫେରିଲାନି। ମୋ ଧନ ଯେ ଆଉ ଏ ଦୁନିଆରେ ନାହିଁ, ସେ କଥା ଜାଣିସାରିଲିଣି। କାଲି ମୋ ପୁଅର ଦଶାହ। ମୃତ ଶରୀର ନ ମିଳିଲା ନାହିଁ, ବିସର୍ଜନ ପାଇଁ ଅସ୍ଥି ଖଣ୍ଡେ ଦେଇ ଦିଅନ୍ତୁ। ରାଜଭବନ ଛକ ପେ‌ଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ ଘଟଣାରେ ପୁଅର ମୃତ୍ୟୁ ପରେ ଅସ୍ଥି ଖଣ୍ଡେ ପାଇଁ ପୁଲିସ୍‌ ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତୃପକ୍ଷଙ୍କ ପାଖେ ଛୋଟ ପିଲା ଭଳି ଅଳି କରୁଥିଲେ ସୀମାଞ୍ଚଳଙ୍କ ମା’ ମାଳା ପରିଡ଼ା। ଛଳଛଳ ହୋଇ କହୁଥିଲେ, ପୁଅ ହାତରେ ବୁଢ଼ା ବାପା ମା’ଙ୍କ ଅନ୍ତ୍ୟେଷ୍ଟି ହେବା କଥା। ହେଲେ ଏ ବୟସରେ ଆମେ ତା’ର ଶେଷକୃତ୍ୟ ସମ୍ପନ୍ନ କରିବାକୁ ପଡ଼ୁଛି। ବୋଧେ ବିଧାତା କପାଳରେ ସେୟା ଲେଖିଥିଲା।

ସୀମାଞ୍ଚଳଙ୍କ ବାପା’ ମା’ଙ୍କ ରକ୍ତ ନମୁନା ସଂଗ୍ରହ
ବୟସ ୮୦ ଛୁଇଁଲାଣି। ଆଖିକୁ ଠିକ୍‌ରେ ଦିଶୁନି କି କାନକୁ ଭଲରେ ଶୁଭୁନି। ଅଣ୍ଟାରେ ଦମ୍ଭନାହିଁ। ପାଦ ବି ଠିକ୍‌ରେ ପଡ଼ୁ ନଥିଲା। ହେଲେ ଏ ବୟସରେ ସୀମାଞ୍ଚଳ ତାଙ୍କ ପୁଅ ବୋଲି ପ୍ରମାଣ ଦେବାକୁ ଦୁଇଶହ କିଲୋମିଟର ଧାଇଁ ଆସିଥିଲେ ସୀମାଞ୍ଚଳଙ୍କ ବାପା ତ୍ରିନାଥ ପରିଡ଼ା। ପୁଅ ମୃତ ବୋଲି ଧରି ନେଇଛନ୍ତି ପରିବାର, କୁଟୁମ୍ବ ଓ ପଡ଼ୋଶୀ। ପ୍ରତୀକାତ୍ମକ ଶବ ସଂସ୍କାର ବି କରି ସାରିଛନ୍ତି। କେବଳ ଫୋରେନସିକ୍ ବିଜ୍ଞାନ ଜରିଆରେ ପ୍ରମାଣ ହେବାକୁ ବାକି ରହିଛି। ଗତ ୭ ତାରିଖରେ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସାଇଟ୍‌ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ଚିହ୍ନଟ ଲାଗି ବାପା ତ୍ରିନାଥ ଓ ମା’ ମାଳା ପରିଡ଼ା(୭୨)ଙ୍କର କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଘରର ମେରୁଦଣ୍ଡ ଭାଙ୍ଗି ଯାଇଛି
ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର। ଭାଙ୍ଗିବେନି ବା କେମିତି, ୬ ଝିଅରେ ସୀମାଞ୍ଚଳ ଥିଲେ ଏକମାତ୍ର ପୁଅ। ପରିଣତ ବୟସରେ ସେ ହିଁ ଥିଲେ ବାପା ମା’ଙ୍କ ସାହାରା। ଭଲମନ୍ଦ, ଦେହପା ସବୁ ବୁଝୁଥିଲେ। ହେଲେ ସୀମାଞ୍ଚଳଙ୍କ ମୃତ୍ୟୁରେ ଘରର ମେରୁଦଣ୍ଡ ଭାଙ୍ଗି ଯାଇଛି। ଏବେ କେମିତି ଚଳିବେ ଓ ଦିନ କାଟିବେ, ସେଇକଥା ଭାବିଭାବି ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ଶୁଖୁନି। ଭାବିଥିଲେ ପୁଅ ତାଙ୍କ ମୁହଁରେ ନିଆଁ ଦେଇଥା’ନ୍ତା। କିନ୍ତୁ ଏହି ବୁଢ଼ା ବୟସରେ ପୁଅ କୋକେଇ(ପରିବାର ଲୋକଙ୍କ ପକ୍ଷରୁ ସଂସ୍କାର କରାଯାଇଥିବା ପ୍ରତୀକାତ୍ମକ ଶବ)କୁ କାନ୍ଧ ଦେବାକୁ ପଡ଼ିଲା। କୋଉ ବାପା ଭଲା ଏକଥା ସହିଥାଆନ୍ତେ। ଏ ବୟସରେ ବି ଏ କଥା ଦେଖିବାକୁ ବାକି ଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ତ୍ରିନାଥ।

ସହାୟତା ନଦେଲେ ବିଷ ପିଇ ଆତ୍ମହତ୍ୟା କରିବୁ
ସୀମାଞ୍ଚଳ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ସୀମାଞ୍ଚଳଙ୍କ ପତ୍ନୀ ବି ଯେମିତି ନିରବ ହୋଇଯାଇଛନ୍ତି। ପୁଅ(୧୧) ଓ ଝିଅ (୭) କେମିତି ପାଠ ପଢ଼ିବେ, ସେଇ ଚିନ୍ତା ଘାରିଛି। ତେଣୁ ତୁରନ୍ତ ସେ କାମ କରୁଥିବା କମ୍ପାନି ଓ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ନଚେତ୍ ବିଷ ପିଇ ଆତ୍ମହତ୍ୟା କରିବୁ ବୋଲି ସେ କହିଛନ୍ତି। ଏଥିସହ ସୀମାଞ୍ଚଳଙ୍କ ପତ୍ନୀଙ୍କୁ ଚାକିରି ଦେବା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଆଇଓସିଏଲ ପକ୍ଷରୁ ମୃତକଙ୍କ ପାଇଁ ୮ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସୀମାଞ୍ଚଳ ନିଖୋଜ ଥିବା ବେଳେ ବିସ୍ଫୋରଣସ୍ଥଳ ଓ ଆଖପାଖ ଅଞ୍ଚଳରୁ ମିଳିଥିବା ମାଂସ ଖଣ୍ଡଗୁଡ଼ିକର ଡିଏନ୍‌ଏ ଟେଷ୍ଟ କରାଯିବ। ଆଇନଗତ ଦୃଷ୍ଟିରୁ ମୃତଦେହ ଚିହ୍ନଟ ହେବା ପରେ ସହାୟତା ମିଳିବ ବୋଲି ସୂଚନା ମିଳିଛି।

୬ତାରିଖ ଥିଲା ଶେଷ କଲ୍‌
ସୀମାଞ୍ଚଳ ବାହାରେ ବୁଲି ବୁଲି କାମ କରୁଥିଲେ। କୋଲକାତାରେ ଅଧିକ ସମୟ ରହୁଥିଲେ। କିଛି ଦିନ ତଳେ ଭୁବନେଶ୍ବର କାମ କରିବାକୁ ଆସିଥିଲେ। ଗଲା ୬ ତାରିଖରେ ଫୋନ୍ କରି ପରିବାର ସହ କଥା ହୋଇଥିଲେ। ଦିନେ ଦୁଇଦିନ ଭିତରେ ଗାଁକୁ ଯିବେ ବୋଲି କହୁଥିଲେ। କିନ୍ତୁ ସବୁ ବଦଳିଗଲା। ସୀମାଞ୍ଚଳ ଗାଁ’କୁ ଫେରିଲେନି ଯେ ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଗଲେ। ସମ୍ପୂର୍ଣ୍ଣ ପରିବାର ଉଚ୍ଛନ୍ନ‌ ହୋଇଗଲା।

ସମ୍ବନ୍ଧିତ ଖବର