ଗଛ ବଞ୍ଚିଲେ ଆମେ ବଞ୍ଚିବା : ମନ୍ତ୍ରୀ ପ୍ରଦୀପ ଅମାତ

ବୃକ୍ଷରୋପଣ ସାମୂହିକ ଆନ୍ଦୋଳନରେ ପରିଣତ ହେଉ: ସୌମ୍ୟରଂଜନ

ଭୁବନେଶ୍ବର: ବର୍ତ୍ତମାନ ବ୍ୟାପକ ବୃକ୍ଷରୋପଣ ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଗଛ ଲଗାଇବାରେ ଲୋକମାନଙ୍କ ଯେତେ ସଂପୃକ୍ତି ରହିବ, ତାହା ଜଙ୍ଗଲ ସୃଷ୍ଟି କରିବାରେ ସେତେ ସହାୟକ ହେବ। ବୃକ୍ଷରୋପଣ ଉପରେ ଏବେଠାରୁ ଉପଯୁକ୍ତ ଧ୍ୟାନ ଦିଆ ନଗଲେ, ଆଗାମୀ ଦିନରେ ପୂରା ପ୍ରାଣୀଜଗତ ଘୋର୍‌ ବିପଦର ସମ୍ମୁଖୀନ ହେବ। ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍‌ ଆର୍ମି ପକ୍ଷରୁ ଟ୍ରି-ବ୍ୟାଙ୍କ ଓ ସିଡ୍‌ସ୍‌-ବ୍ୟାଙ୍କର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ଏହା କହିଛନ୍ତି। ‘ପ୍ରେରଣା’ ଭଳି ଅନ୍ୟ ଅନୁଷ୍ଠାନମାନେ ମଧ୍ୟ ଏଭଳି ମହତ୍‌ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ଟ୍ରି ବ୍ୟାଙ୍କ ଓ ସିଡସ୍ ବ୍ୟାଙ୍କ ଉଦ୍‌ଘାଟିତ

ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଗଛ ଲଗାଇବା ଏକ ସାମୂହିକ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ଲୋକଦେଖାଣିଆ ଭାବେ ଗଛ ନ ଲଗାଇ ତାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରାଯାଉ। ପ୍ରେରଣା ପକ୍ଷରୁ ଖୋଲାଯାଇଥିବା ଟ୍ରି-ବ୍ୟାଙ୍କ ଘରୋଇ ବ୍ୟାଙ୍କ ଭଳି ନ ହୋଇ ସାର୍ବଜନୀନ ବ୍ୟାଙ୍କ ହେବା ଆବଶ୍ୟକ। ଏହାଦ୍ବାରା ସମସ୍ତେ ଗଛ ପାଇପାରିବେ ଓ ଏହି ବ୍ୟାଙ୍କର ପରିକଳ୍ପନା ସଫଳ ହୋଇପାରିବ।
ସମ୍ମାନିତ ଅତିଥି ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ ଯେ କଣ୍ଟାକ୍ଟ୍ ଓ କନେକ୍ସନ୍ ଦୁଇଟି ଶବ୍ଦ, ଯାହାର ଦୁଇପ୍ରକାରର ଅର୍ଥ ରହିଛି। ଗଛଟିଏ ଲଗାଇବାକୁ ଆମେ ବିଭିନ୍ନ ଲୋକଙ୍କୁ କଣ୍ଟାକ୍ଟ୍ କରନ୍ତି। କିନ୍ତୁ ସେହି ଲୋକମାନେ କେତେ ଆମ ସହ କନେକ୍ସନ୍ ରଖି ଗଛ ଲଗାଉଛନ୍ତି କି ନା, ସେଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପରିବେଶପ୍ରେମୀ, ବୃକ୍ଷପ୍ରେମୀ, ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବୃକ୍ଷରୋପଣ ଜନସଚେତନତା ସୃଷ୍ଟି ପାଇଁ ସବୁଜ ଓଡ଼ିଶା ପାଇଁ ଯୁବଶକ୍ତି ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ମେଜର କଳ୍ପନା ଦାସ, ରୋଟାରି କ୍ଲବ ସମୂହର ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଅଭିନେତ୍ରୀ ତୃପ୍ତି ସାହୁ, ସବିତା କର, ସମାଜସେବୀ ସ୍ମିତା ଭ୍ରମରବର ରାୟ, ନେହରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ମିଲନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ନିଲୁ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର