ଭୁବନେଶ୍ବର: ସତ୍ୟମ୍, ଶିବମ୍, ସୁନ୍ଦରମ୍ ମନ୍ତ୍ରକୁ ସମସ୍ତ ଗଣମାଧ୍ୟମ ଅନୁସରଣ କଲେ ସେମାନେ ଲୋକଙ୍କ ଆଦୃତି ଲାଭ କରିପାରିବେ। ପକ୍ଷପାତିତାକୁ ଛାଡ଼ି ସମର୍ପଣର ଭାବ ରହିଲେ ସମ୍ବାଦପତ୍ର ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବ। ଯାହା ସାପ୍ତାହିକ ‘ନବୀନ’ କ୍ଷେତ୍ରରେ ପରିଲକ୍ଷିତ ହୋଇଆସୁଛି। ୧୯୩୦ ମସିହାରେ ଯେତେବେଳେ ଦେଶ ସ୍ୱାଧନୀତା ପାଇଁ ସଂଗ୍ରାମ କରୁଥିଲା, ସେହି ସମୟରୁ ଏହି ସାପ୍ତାହିକୀ ନିରବଚ୍ଛିନ୍ନ ଭାବେ ଚାଲିଛି। ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆ ଭାଷା ପାଇଁ ଏହାର ବହୁ ଅବଦାନ ରହିଛି। ଆଜି ଜୟଦେବ ଭବନରେ ସାପ୍ତାହିକୀ ‘ନବୀନ’ର ୯୩ତମ ସ୍ବନକ୍ଷତ୍ର ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏପରି କହିଛନ୍ତି।
ସଂପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବୀକୃତି ମିଳିବାରେ ସାପ୍ତାହିକୀ ‘ନବୀନ’ର ବିଶେଷ ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ ବି ବିଶ୍ବସନୀୟ ଖବର ପରିବେଷଣ କରିବାରେ ମୁଦ୍ରିତ ଗଣମାଧ୍ୟମର ସ୍ବତନ୍ତ୍ର ସ୍ଥାନ ରହିଛି ଓ ଏହି ସାପ୍ତାହିକୀ ତା’ର ଦାୟିତ୍ବ ଠିକରେ ନିର୍ବାହ କରୁଛି।
ମୁଖ୍ୟବକ୍ତା ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ସମ୍ପ୍ରତି ବିଜ୍ଞାନ ବହୁ ବିକଳ୍ପ ସୃଷ୍ଟି କରିଥିବାରୁ ଛାପା କାଗଜର ଚାହିଦା କ୍ରମଶଃ ହ୍ରାସ ପାଉଛି। ଏପରି ସ୍ଥଳେ ଖବର ପଛର ଖବରକୁ ତର୍ଜମା କରି ପରିବେଷଣ କରିପାରିଲେ ହିଁ ସାପ୍ତାହିକ ଖବରକାଗଜ ନିଜର ସ୍ଥିତି ବଜାୟ ରଖିପାରିବ। ତ୍ରୁଟି ସାମ୍ନାକୁ ଆସିଲେ ହିଁ ତାହାକୁ ସୁଧାରି ହେବ। ତେଣୁ ପ୍ରଶ୍ନ କରିବାର ଅଧିକାର ଆଦୌ ବ୍ୟାହତ ହେବା ଉଚିତ ନୁହେଁ। ସମାଜର ତ୍ରୁଟି ବିଚ୍ୟୁତିକୁ ସାମ୍ନାକୁ ଆଣିବା ପାଇଁ ୯୩ ବର୍ଷ ପୂର୍ବେ ‘ନବୀନ’ ଯେଉଁ ଆଭିମୁଖ୍ୟ ଗ୍ରହଣ କରି ଆରମ୍ଭ ହୋଇଥିଲା, ତାହା ସଂପୂର୍ଣ୍ଣ ସାଧିତ ହୋଇପାରିନାହିଁ। ଓଡ଼ିଆ ଭାଷା ସାହିତ୍ୟ, ମତ ମନ୍ତବ୍ୟର ବିକାଶ ପାଇଁ ଏହା କର୍ଣ୍ଣଧାର ସାଜିଲେ ହିଁ ଏହାର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ମାନିତ ଅତିଥି ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ ଯେ ଗଣମାଧ୍ୟମ ସବୁବେଳେ ସମାଜର ତ୍ରୁଟି ବିଚ୍ୟୁତିକୁ ସୁଧାରିବାରେ ମାର୍ଗଦର୍ଶକ ସାଜିଛି।
ଏହି ଧାରା ଜାରି ରହିବା ଦରକାର। ଅନ୍ୟତମ ଅତିଥି ଐତିହାସିକ କୈଳାସ ଚନ୍ଦ୍ର ଦାସ ଏହି ସାପ୍ତାହିକୀର ଗୌରବମୟ ଇତିହାସ ଉପରେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ‘ଶୋଭା’ର ସଂପାଦକ ସଞ୍ଜିତ ପଟ୍ଟନାୟକ ଓ କ୍ରୀଡ଼ାବିତ୍ ଏସ୍ ଅଜିତ୍ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରକାଶକ ମଞ୍ଜୁ ରଥ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅତିଥିମାନେ ‘ନବୀନ’ର ସ୍ବନକ୍ଷତ୍ର ସଂଖ୍ୟା ଉନ୍ମୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/31-2.jpg)