ଜୀବିକା ପାଇଁ ଅଧିକ ସୁଯୋଗ ସୃଷ୍ଟି ହେଲେ ଜଙ୍ଗଲ କ୍ଷୟକ୍ଷତି କମିବ

ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ-୨୦୨୨

ଭୁବନେଶ୍ବର: ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ-୨୦୨୨ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ସେ କହିଲେ, ଭାରତବର୍ଷର ସମଗ୍ର ଭୌଗୋଳିକ ଅଞ୍ଚଳର ଜଙ୍ଗଲ ଆଚ୍ଛାଦିତ ହାର ୨୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୩୩ ପ୍ରତିଶତରୁ ଅଧିକ। ଏହା ଆମ ପାଇଁ ଗୌରବର ବିଷୟ। ଲୋକମାନଙ୍କ ଜୀବନଜୀବିକା ସୁଯୋଗ ଅଧିକ ସୃଷ୍ଟି କଲେ, ଜଙ୍ଗଲ କ୍ଷୟକ୍ଷତି ମଧ୍ୟ କମିଯିବ। ଏଥିପାଇଁ ଆମକୁ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନଜୀବିକା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।

ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଏକବିଂଶ ଶତାବ୍ଦୀ ଆରମ୍ଭରୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣର ସ୍ଥିତି ବଦଳିଛି। ଆଗରୁ ଗ୍ରାମାଞ୍ଚଳର ଲୋକଙ୍କ ନିମନ୍ତେ ଜୀବନଜୀବିକାର ଅଧିକ ସୁଯୋଗ ନଥିବାରୁ ସେମାନେ ଜଙ୍ଗଲ ଉପରେ ଅଧିକ ନିର୍ଭର କରୁଥିଲେ। ଏବେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତୈଷୀ ଯୋଜନା ଯୋଗୁଁ ଲୋକମାନଙ୍କର ଜଙ୍ଗଲ ଉପରେ ନିର୍ଭର କମିଛି ବୋଲି କହିଥିଲେ।

ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ସ୍ବାଗତଭାଷଣ ଦେଇଥିଲେ। ସେ କହିଥିଲେ ଯେ ୧୫ ବର୍ଷ ଧରି ବର୍ଷକୁ ବର୍ଷ ଆମ ଜଙ୍ଗଲର ବୃଦ୍ଧି ଘଟି ଆସିଛି। ୨୦୨୧ମସିହା ଜାତୀୟ ସର୍ଭେ ଅନୁଯାୟୀ ରାଜ୍ୟରେ ୩୩ ପ୍ରତିଶତରୁ ଅଧିକ ଜଙ୍ଗଲ ଅଭିବୃଦ୍ଧି ସହ ଘଞ୍ଚ ଜଙ୍ଗଲ ମଧ୍ୟ ବଢ଼ିଛି।

କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨ଜଣ ବନାଞ୍ଚଳ ଅଧିକାରୀ, ୬ ବନପାଳ ଏବଂ ୧୨ ବନରକ୍ଷୀଙ୍କୁ ‘ରାଜ୍ୟ ବନ ପୁରସ୍କାର-୨୦୨‌୨ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ସ୍ବରୂପ ସେମାନଙ୍କୁ ଏକ ମାନପତ୍ର, ଫଳକ ସହ ୧୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ବନ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିବରଣୀ ସମ୍ବଳିତ ଏକ ସ୍ମରଣିକା ‘ହାଇଲାଇଟସ୍ ଅଫ୍ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର-୨୦୨୧’ ଏବଂ ଅନ୍ୟ ଏକ ପୁସ୍ତିକା ‘ଷ୍ଟେଟ୍ ଫରେଷ୍ଟ୍ରି ଆୱାର୍ଡ ୱିନର୍ସ-୨୦୨୨’ ର ଉନ୍ମୋଚନ ହୋଇଥିଲା। ମୁଖ୍ୟ ବନ ସଂରକ୍ଷକ ଓମ୍‌ ପ୍ରକାଶ ସିଂ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର