ନାରୀ ସଶକ୍ତ ହେଲେ ଜାତି ଆଗକୁ ବଢ଼ିପାରିବ

ସ୍ବୟଂସିଦ୍ଧା ସମ୍ମାନ ସମାରୋହ

ଭୁବନେଶ୍ବର: ମହିଳା ମାନେ ଆମ ସମାଜର ମେରୁଦଣ୍ଡ। ସେମାନେ ନିଜକୁ ସଶକ୍ତ କରିବା ସହ ସର୍ବଦା ନିଜର ହକ୍ ଦାବି କରିବାର ଆବଶ୍ୟକତା ରହିଛି। ସମୟ ବଦଳିଛି, ତେଣୁ ମହି​ଳାମାନେ ଆଉ ଘରେ ନରହି ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକତା। ୱିମେନ୍ ଅର୍ଗାନାଇଜେସନ ଫର୍‌ ସୋସିଆଲୱେଲ୍‌ଫେୟାର (ୱସ୍ବ) ପକ୍ଷରୁ ଆୟୋଜିତ ସ୍ବୟଂସିଦ୍ଧା ସମ୍ମାନ ସମାରୋହ ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ କମିସନରେଟ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ନାରୀ ସଶକ୍ତ ଓ ସୁଦୃଢ ହେଲେ ଏ ଜାତି ଆଗକୁ ବଢ଼ିପାରିବ। ତେଣୁ ସବୁ କ୍ଷେତ୍ରରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସେମାନଙ୍କ ଅଧିକାରକୁ ସାବ୍ୟସ୍ତର ସୁଯୋଗ ଦେବା ଆବଶ୍ୟକ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପୂର୍ବତନ କୁ​ଳପତି ମଧୁମିତା ଦାସ ଯୋଗ ଦେଇ କହିଲେ, ଆଜିର ବ୍ୟବସ୍ଥାରେ ନାରୀ ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଆଗରୁ ମହିଳାମାନେ ଘର ଭିତରେ ସୀମିତ ରହୁଥିବା ବେଳେ ଏବେ ବାହାରକୁ ଗୋଡ଼ କାଢ଼ି ଉଚ୍ଚ ସ୍ଥାନକୁ ଯାଇପାରୁଛନ୍ତି। ମୁଖ୍ୟବକ୍ତା ଭାବେ ପ୍ରଫେସର ଜ୍ୟୋର୍ତିମୟୀ ଆଚାର୍ଯ୍ୟ କହିଲେ, ଶିକ୍ଷା କ୍ଷେତ୍ରରେ ନାରୀମାନଙ୍କୁ ବିଶେଷ ଗୁରୁତ୍ବ ଦିଆଯିବା ଦରକାର। ୱସ୍ବର ଉପଦେଷ୍ଟା ହୃଷୀକେଶ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡା. ତମାସାରାଣୀ ଦାସମହାପାତ୍ର, ଡା. ଅଞ୍ଜଳି ଛୋଟରାୟ ଯୋଗ ଦେଇଥିଲେ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜୟଲକ୍ଷ୍ମୀ ମିଶ୍ର, ଡ. ଗଙ୍ଗୋତ୍ରୀ ଦେବୀ, ମଧୁମିତା ରଥ, କଳ୍ପନା ଦାସ, ଲଲୁମଣି ସେନାପତି, ଶୁଭଦର୍ଶିନୀ ବେହେରା, ସୌଭାଗିନୀ ମହାପାତ୍ରଙ୍କୁ ‘ସ୍ବୟଂସିଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସଂପାଦିକା ଜ୍ୟୋତ୍ସ୍ନା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ବସନ୍ତ ମଞ୍ଜରୀ ନନ୍ଦ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଇତିଶ୍ରୀ ଦୀକ୍ଷିତ ପରିଚାଳନା କରିଥିଲେ। ମମତା ମହାନ୍ତି, ଅନ୍ନପୂର୍ଣ୍ଣା ସ୍ବାଇଁ, ଚନ୍ଦ୍ରକାନ୍ତ ଦାସ, ସଞ୍ଜୀବ ସାବତ, ମହେଶ ଦାସ, ପ୍ରମୋଦ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର