ଗୁରୁଙ୍କ ହାତ ଧରି ବାଟ ଚାଲିଲେ ସଫଳତା ମିଳେ

ଭୁବନେଶ୍ବର: ଗୁରୁଙ୍କ ବିନା ଜୀବନ ଅଚିନ୍ତନୀୟ, ଅକଳ୍ପନୀୟ। ଜଣେ ଭଲ ଗୁରୁ ନ ମିଳିଲେ, ମଣିଷ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରେ ନାହିଁ। ଗୁରୁଙ୍କ ହାତ ଧରି ବାଟ ଚାଲିଲେ, ଜୀବନରେ ବିଫଳତା ପାଖ ମାଡ଼େନା। ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତା ପଛରେ ତା’ ଗୁରୁଙ୍କ ହାତ ରହିଥାଏ; ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ପବିତ୍ର ଗୁରୁଦିବସ ଅବସରରେ ଛାତ୍ର ସମାଜକୁ ଉଚିତ ଦିଗ୍‌ଦର୍ଶନ ଦେଇ ଆସୁଥିବା ସେମିତି କିଛି ଗୁରୁଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଗୁରୁ ସର୍ବଦା ପୂଜ୍ୟ

ଛାତ୍ରଛାତ୍ରୀମାନେ ସବୁବେଳେ ଗୁରୁଙ୍କୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କ ଉପଦେଶ ମାନି କାର୍ଯ୍ୟ କରନ୍ତୁ। କାରଣ ଶିଷ୍ୟମାନଙ୍କ ପ୍ରତି ଗୁରୁଙ୍କ ଅବଦାନ କେବଳ ଶିକ୍ଷାରେ ସୀମିତ ନୁହେଁ, ସେ ତାଙ୍କୁ ସମାଜରେ ଚଳିବା ଏବଂ ନିଜର ଉନ୍ନତି ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତି। ଏ ଦୃଷ୍ଟିରୁ ଶିଷ୍ୟଙ୍କ ନିକଟରେ ଗୁରୁମାନେ ସର୍ବଦା ପୂଜ୍ୟ ଏବଂ ନମସ୍ୟ। ଏହି ଲିସାସ୍‌ ଅନୁଷ୍ଠାନ ଦୀର୍ଘ ୩୦ ବର୍ଷ ହେଲା ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ଏବଂ ଉତ୍କୃଷ୍ଟ ଶିକ୍ଷା ବାତାବରଣ ସୃଷ୍ଟି କରିଆସିଛି। ଓଡ଼ିଶାର କୋଣ ଅନୁକୋଣରେ ବିଭିନ୍ନ ପଦ ପଦବିରେ ଆମର ୪ ହଜାରରୁ ଊର୍ଦ୍ଧ୍ବ ପିଲା ଅବସ୍ଥାପିତ ହୋଇଅଛନ୍ତି। ଯାହା ଆମ ଶିକ୍ଷକତାକୁ ସଫଳତା କରିଛି।
ଲିନୁ ଚୟନି, ଲିସାସ୍‌ ଆଇଏସ୍‌

ଲକ୍ଷ୍ୟ ଉପରେ ବିଦ୍ୟାର୍ଥୀଙ୍କ ଲୟ ରହୁ

ଶିଷ୍ୟକୁ ସବୁବେ‌ଳେ ସତ୍‌ମାର୍ଗରେ ଚାଲିବା ପାଇଁ ଗୁରୁ ପ୍ରବର୍ତ୍ତାଇଥା’ନ୍ତି। ସେ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି। ଛାତ୍ରଛାତ୍ରୀମାନେ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ତାହାକୁ ପାଇବା ପାଇଁ ଆପ୍ରାଣ ଉଦ୍ୟମ କରନ୍ତୁ। ଏହାସହ କଠିନ ପରିଶ୍ରମ, ସମୟାନୁବର୍ତ୍ତିତା, ଏକାଗ୍ରତା ଏବଂ ସମୟର ସଦୁପଯୋଗ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତୁ। ତେବେ ଯାଇ ଅଭିଭାବକ ଓ ଶିକ୍ଷକଙ୍କ ସ୍ବପ୍ନ ସାକାର ହେବ। ସଫଳତାର ସୋପାନ ଚଢ଼ିବାରେ ପିଲାମାନଙ୍କର କୌଣସି ସମସ୍ୟା ଉପୁଜିବ ନାହିଁ।
ସୁସିଜିତ୍‌ ସାହୁ, ନିର୍ଦ୍ଦେଶକ, ଆପ୍ଟିପ୍ଲସ୍‌

‘ଗୁରୁ’ ସମାଜ ରୂପକ ମୂର୍ତ୍ତିକାରେ ଏକ ବୋଧିଦ୍ରୁମ

ସମାଜ ରୂପକ ମୂର୍ତ୍ତିକା ଉପରେ ଫଳ, ପୁଷ୍ପଭରା ବୋଧିଦ୍ରୁମ ହେଉଛନ୍ତି ଗୁରୁ। ତାଙ୍କରି ଡାଳ‌ରେ ବସା ବାନ୍ଧି ଶାନ୍ତିର କପୋତମାନେ ଅହରହ କଳରବ କରୁଥା’ନ୍ତି। ନିରନ୍ତର ସତ୍ୟ, ଅହିଂସାର ମନ୍ତ୍ର ଉଚ୍ଚାରଣ କରୁଥାନ୍ତି ‘ଗୁରୁ’ ଏକ ମଣିଷ ତିଆରି କାରଖାନା। ପ୍ରତି ମୁହୂର୍ତ୍ତରେ ନିସ୍ବାର୍ଥପର ଭାବେ ଗଢ଼ୁଥା’ନ୍ତି ନୂଆନୂଆ ବ୍ୟକ୍ତିତ୍ବ ସମୂହ। ‘ଗୁରୁ’ ମଧୁସ୍ରାବୀ ମନ୍ଦାକିନୀ। ତାଙ୍କ ସ୍ପର୍ଶରେ ସମାଜର କୋଣ ଅନୁକୋଣ ଚଳଚଞ୍ଚଳ ହୋଇଉଠେ।
ମ‌ନୋଜ କୁମାର ପଣ୍ଡିତ, ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲ

ଅନ୍ଧାରରେ ଆଲୋକର ପଥପ୍ରଦର୍ଶକ ଗୁରୁ

ଗୁରୁଙ୍କ ପ୍ରଧାନ କର୍ତ୍ତବ୍ୟ ହେଉଛି ଛାତ୍ରକୁ ଅନ୍ଧାରରୁ ଉଦ୍ଧାର କରି ଆଲୋକ ଆଡ଼କୁ ପଥ ପ୍ରଦର୍ଶନ କରିବା। ମୋ ଜୀବନରେ ଗୁରୁଙ୍କ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ। ମୁଁ ମୋ ଗୁରୁଙ୍କ ପଦାଙ୍କ ଅନୁସରଣ କରି ଛା‌ତ୍ରମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଚେଷ୍ଟା କରୁଛି। ଯେଉଁ କିଞ୍ଚିତ୍ ଶିକ୍ଷା ମୋତେ ମୋ ଗୁରୁଙ୍କ ନିକଟରୁ ମିଳିଛି, ସେସବୁକୁ ମୋ ଛାତ୍ରମାନଙ୍କୁ ପ୍ରାଞ୍ଜଳ ଭାବେ ଦେବାକୁ ଚେଷ୍ଟା କରୁଛି। ଦେଶର ଭବିଷ୍ୟତ ଗଢ଼ିବାରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଉପାୟରେ ମୁଁ ଦେଶ ନିର୍ମାଣରେ କାମରେ ଆସିପାରୁଥିବାରୁ ନିଜକୁ ଗର୍ବ ମନେ କରୁଛି।
ଭବାନୀ ଶଙ୍କର ମହାପାତ୍ର, ଆପ‌୍‌ଟେକ୍ ଲର୍ଣ୍ଣିଂ

ଗୁରୁ-ଶିଷ୍ୟର ପରମ୍ପରା ବହୁ ଉନ୍ନତ

ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ଗୁରୁ-ଶିଷ୍ୟ ପରମ୍ପରା ବହୁ ଉନ୍ନତ। ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ଦେଶର ଶିଷ୍ୟକୁ ଉଚିତ ମାର୍ଗଦର୍ଶନ କରାଇଥା’‌ନ୍ତି ଗୁରୁ। ଯୁଗ ଯୁଗ ଧରି ଗୁରୁ-ଶିଷ୍ୟ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ହୋଇପାରିଛି। ଏ ସଂପର୍କ ବଜାୟ ରହିଲେ ସମାଜରେ ଶୃଙ୍ଖଳା ବଜାୟ ରହିପାରିବ।
ସ୍ବର୍ଣ୍ଣମଞ୍ଜରୀ ମିଶ୍ର,
ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ

ସମ୍ବନ୍ଧିତ ଖବର