ଭୁବନେଶ୍ବର: ଏଣିକି ବାର୍ରେ ମଦ ପିଇବାକୁ ନେଇ ଲାଗିବ କଟକଣା। କୌଣସି ପରିସ୍ଥିତିରେ ବାର୍ରେ ଗାଡ଼ି ଚାଳକଙ୍କୁ ମଦ ଦିଆଯିବ ନାହିଁ, ସେ ବନ୍ଧୁମାନଙ୍କ ସହ ଦଳରେ ଆସିଥାଅନ୍ତୁ କି ଏକା। ବାର୍ରେ ପହଞ୍ଚିବା ପରେ କର୍ମଚାରୀମାନେ ଚାଳକ କିଏ ବୋଲି ପ୍ରଥମେ ପଚାରି ବୁଝିବେ। ଯଦି ଗାଡ଼ିର ସ୍ବତନ୍ତ୍ର ଚାଳକ ଥିବେ, ତା’ହେଲେ ହିଁ ପିଇବାକୁ ଅନୁମତି ମିଳିବ। ଦଳରେ ଭିତରେ ଥିବା ଚାଳକଙ୍କୁ ମଦ ଦିଆଯିବ ନାହିଁ। ତାଙ୍କୁ ବାଦ୍ଦେଇ ଅନ୍ୟମାନଙ୍କୁ ମଦ ଦିଆଯିବ। ମଦ ପିଇ ଯେପରି କେହି ଗାଡ଼ିଚଳାଇ ପାରିବେ ନାହିଁ, ତାହାକୁ ନିଶ୍ଚିତ କରାଯିବ। ଏଭଳି କଡ଼ା ନିଷ୍ପତ୍ତି ନେବାକୁ ଯାଉଛି କମିସନରେଟ୍ ପୁଲିସ। ନିୟମ ଉଲ୍ଲଂଘନ କଲେ ଗାଡ଼ି ଜବତ କରାଯିବା ସହ ମଦ୍ୟପ ଚାଳକ ବନ୍ଧାହୋଇ ଜେଲ୍ ଯିବେ। ସେମିତି ଯଦି ବାର୍ କର୍ମଚାରୀ ନିୟମ ଉଲ୍ଲଂଘନ କରିଥାଆନ୍ତି, ଅର୍ଥାତ୍ ଚାଳକକୁ ମଦ ପରିବେଷଣ କରିଥାଆନ୍ତି; ତେବେ ବାର୍ ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନରେ ସଞ୍ଜୀବ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ ଯେ ଏଭଳି ନିୟମ ଅନେକ ଦେଶରେ ରହିଛି।
ବିଶେଷ କରି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସେଠାରେ ଏହି ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଇଥାଏ ବୋଲି ସିପି ଶ୍ରୀ ପଣ୍ଡା କହିଛନ୍ତି। ପ୍ରକୃତରେ ବାର୍ କର୍ମଚାରୀ ଓ ଚାଳକ ଏହି ନିୟମକୁ ପାଳନ କରୁଛନ୍ତି ନା ନାହିଁ, ଏହାର ଯାଞ୍ଚ ପାଇଁ ରାଜଧାନୀର ପଟିଆ, ଚନ୍ଦ୍ରଶେଖରପୁର, କଟକ ରୋଡ୍ ଭଳି ସ୍ଥାନମାନଙ୍କରେ ଗଢ଼ି ଉଠିଥିବା ବାର ଓ କ୍ଲବ୍ଗୁଡ଼ିକ ଉପରେ ପୁଲିସର ସ୍ବତନ୍ତ୍ର ଟିମ୍ ନଜର ରଖିବ। ସେହିସବୁ ଅଞ୍ଚଳରେ ପୁଲିସ ଟିମ୍ ଯାଞ୍ଚ କରିବାସହ ବିଳମ୍ବିତ ରାତିରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରିବ। ଏହି ସମୟରେ କୌଣସି ଚାଳକ ମଦ୍ୟପାନ କରିଥିବା ଜଣାପଡ଼ିବା ପରେ ତୁରନ୍ତ ପୁଲିସ ଟିମ୍ ତାଙ୍କୁ ଜେରାକରି ସମସ୍ତ ତଥ୍ୟ ଆଦାୟ କରିବ। ସେ କେଉଁ ବାର୍ ବା ନାଇଟ୍ କ୍ଲବ ଯାଇଥିଲେ, ମଦ ପିଇବା ପୂର୍ବରୁ ତାଙ୍କୁ ବାର୍ର କର୍ମଚାରୀ ଚାଳକଙ୍କ ସମ୍ପର୍କରେ ଥିବା ନିୟମ ବିଷୟରେ ଅବଗତ କରାଇଥିଲେ କି ନାହିଁ ଏସବୁ ତଥ୍ୟ ଆଦାୟ କରାଯିବ। ସମସ୍ତ ତଥ୍ୟ ହାତେଇବା ପରେ ମଦ୍ୟପ ଚାଳକ କେତେ ସତ କହିଛନ୍ତି, ତାହାର ମଧ୍ୟ ଯାଞ୍ଚ ହେବ। ତା’ପରେ ପୁଲିସ ଟିମ୍ ସମ୍ପୃକ୍ତ ବାର୍କୁ ଯାଇ କର୍ମଚାରୀଙ୍କୁ ଜେରା କରିବ। ସେମାନେ ନିୟମ ସମ୍ପର୍କରେ ଅବଗତ କରାଇଥିଲେ ନା ନାହିଁ, କେଉଁ ପରିସ୍ଥିତିରେ ତାଙ୍କୁ ମଦ ପିଇବାକୁ ଅନୁମତି ଦେଇଥିଲେ, ତଥା ଉଭୟ ପକ୍ଷଙ୍କ କଥାରେ କେତେ ସତ ରହିଛି, ସେମାନଙ୍କ କଥା ମିଶୁଛି ନା ନାହିଁ ଆଦି ଯାଞ୍ଚ କରାଯିବ। ସେଥିପାଇଁ ସିସିଟିଭି ଯାଞ୍ଚ କରାଯିବ। ମଦ୍ୟପ ଚାଳକ ବନ୍ଧାହୋଇ ଜେଲ୍ ଯିବା ତ ନିଶ୍ଚିତ, ବାର୍ ପାଇଁ ବି ଅଡ଼ୁଆ ବଢ଼ିବ। ଦରକାର ପଡ଼ିଲେ ବାର୍ରେ ତାଲା ବି ଝୁଲିପାରେ। କମିସନରେଟ୍ ପୁଲିସର ଏଭଳି ନୂଆ ନିୟମ ପରେ ଏବେ ବାର୍ ଓ କ୍ଲବ ମାଲିକଙ୍କ ଭିତରେ ଛାନିଆ ପଶିବା ଥୟ।
ଅନ୍ୟପଟେ ଏହି ନିୟମକୁ ଲାଗୁ ପୂର୍ବରୁ ପୁଲିସ ଗତ ୪ଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ ଅଧିକ କଡ଼ାକଡ଼ି କରିଛି। ଫେବ୍ରୁଆରି ପହିଲାରୁ ୪ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ୪୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେହିପରି ୪୦ଟି ଗାଡ଼ି ମଧ୍ୟ ଜବତ ହୋଇଛି।
ବାର୍ରେ ବାଉନ୍ସର ନିଯୁକ୍ତି ନେଇ କଟକଣା
ଭୁବନେଶ୍ବର: ରାଜଧାନୀର ବାର୍ ମାଲିକମାନେ ଆଉ ମନଇଚ୍ଛା ବାଉନ୍ସର୍ ବା ସୁରକ୍ଷାକର୍ମୀ ନିଯୁକ୍ତ କରିପାରିବେ ନାହିଁ। ନିଯୁକ୍ତି ଦେବା ପୂର୍ବରୁ ବାର୍ ମାଲିକ ସେମାନଙ୍କ ସମସ୍ତ ତଥ୍ୟ ଟିକିନିଖି ଯାଞ୍ଚ କରିବେ। ବିଶେଷକରି ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଯାଞ୍ଚ କରିବେ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୨ ମାସ ପର୍ଯ୍ୟନ୍ତ (ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ)ଦ୍ବୈତନଗରୀରେ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ପୁଲିସ୍ କମିସନର୍ ସଞ୍ଜୀବ ପଣ୍ଡା କହିଛନ୍ତି। ନିୟମ ଅନୁସାରେ ଘରୋଇ ସୁରକ୍ଷା ସଂସ୍ଥାରୁ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ। କିନ୍ତୁ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସକୁ ଲିଖିତ ଭାବେ ଜଣାଇବାକୁ ବାର୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆବଶ୍ୟକସ୍ଥଳେ ୧୧୨କୁ କଲ୍କରି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ। ଏହି ସୁରକ୍ଷା କର୍ମଚାରୀମାନେ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଦ୍ବୈତନଗରୀରେ ଥିବା ବାରଗୁଡ଼ିକରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ନାମରେ ବହୁ ଅପରାଧ ମାମଲା ଥିବା ପୁଲିସ ନଜରକୁ ଆସିଛି। ଏମିତିକି ଅନେକ ସମୟରେ ସେମାନେ ବାର୍ରେ ଉପୁଜୁଥିବା ଅପ୍ରୀତିକର ପରିସ୍ଥିତିରେ ଆଇନକୁ ହାତକୁ ନେଇଛନ୍ତି। ସେମାନେ ଗ୍ରାହକଙ୍କ ସହିତ ଖରାପ ବ୍ୟବହାର କରିବାଠୁ ଆରମ୍ଭ କରି ମାଡ଼ ମାରିବାଭଳି ଘଟଣା ମଧ୍ୟ ଘଟିଛି।