ମହାମାରୀ କରୋନା ପାଇଁ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷକରି ରୋଜଗାର ହ୍ରାସ ପାଇଥିବାରୁ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏତିକିବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଗରିବ ପେଟକୁ ପାହାର ସଦୃଶ ହୋଇଛି। ଆଳୁ, ପିଆଜ, ଡାଲି, ତେଲ ସାଙ୍ଗକୁ ଜାଳେଣି ଗ୍ୟାସ୍ ଓ ପେଟ୍ରୋଲ ଦର ବୃଦ୍ଧି ଏହି ବର୍ଗର ଲୋକଙ୍କ ପାଇଁ କାଳ ହୋଇଛି। ଭଲରେ ମୁଠାଏ ଖାଇବା ଯୋଗାଡ଼ କରିପାରୁନଥିବା ଲୋକଟି ତା’ ପିଲାର ଅନ୍ଲାଇନ୍ ପାଠପଢ଼ା ପାଇଁ ମୋବାଇଲ୍ ରିଚାର୍ଜ କରି ପାରୁନାହିଁ। କିଲେ କିଲେ କିଣୁଥିବା ଲୋକଟି ଏବେ ଅଢ଼େଇ ଶହ ଗ୍ରାମ୍ରେ କାମ ଚଳାଇ ଖର୍ଚ୍ଚ କାଟ୍ କରିବାକୁ ବାଧ୍ୟ ହେଉଛି। ଅର୍ଥାତ୍ ବହୁ ଲୋକ ଏବେ ପରୋକ୍ଷରେ ପେଟରୁ କାଟି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସରକାର ଗରିବଙ୍କୁ କିଛି ଦିନ ପାଇଁ କିଛି ଜିନିଷ ମାଗଣାରେ ସହାୟତା ଆକାରରେ ଦେଲେ। କିନ୍ତୁ ଏବେ ଦରବୃଦ୍ଧି ଯୋଗୁଁ ସେହି ଗରିବମାନେ ସୁଧମୂଳ ଗଣୁଛନ୍ତି। ସରକାର କେବଳ ବଡ଼ ବଡ଼ ଗୋଲାପି ଯୋଜନାର ଚିତ୍ର ଦେଖାଉଛନ୍ତି, ମାତ୍ର ବାସ୍ତବରେ ସେସବୁର କିଛି ଅର୍ଥ ହିଁ ନାହିଁ। ମହଙ୍ଗା ମାଡ଼ରେ ଗରିବ ମରୁଛି।
ଦରବୃଦ୍ଧି କନ୍ଦେଇଲାଣି, ଯୋଜନାରୁ କ’ଣ ମିଳିବ!
ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଗରିବ କଲ୍ୟାଣ ଯୋଜନା କ’ଣ ହେଉଛି, କିଛି ଅନୁଭବ କରି ହେଉନାହିଁ। ମାତ୍ର ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଉପରେ ରୋକ୍ ଲଗାଇ ପାରୁନାହାନ୍ତି ସରକାର। କେବଳ ଯୋଜନା ପରେ ଯୋଜନା କରି ସ୍ବପ୍ନ ଦେଖାଇବାର ଅର୍ଥ କ’ଣ? ଡାଲି, ତେଲ, ଆଳୁ, ପିଆଜ ଭଳି ଅତି ଦରକାରୀ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି କନ୍ଦେଇଲାଣି। କରୋନାରେ ରୋଜଗାର ହ୍ରାସ ପାଇଛି। ଏତିକିବେଳେ ଏ ମହଙ୍ଗା ମାଡ଼ ବହୁ ବାଧୁଛି। ଚଳିବା କଷ୍ଟକର ହୋଇପଡ଼ିଲାଣି। ତେଣୁ ଖାଲି ଗୋଲାପି ଯୋଜନା ନୁହେଁ, ଦରବୃଦ୍ଧି ନିୟନ୍ତ୍ରଣ ଏବେ ବଡ଼ ଆହ୍ବାନ।
ସରିତ ସରିତାଭ ମହାକୁଡ଼, ଖଣ୍ଡଗିରି
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରତ୍ୟାହର କ’ଣ ନିହାତି ଦରକାର ଥିଲା
ମହାମାରୀ କରୋନା ସଂକଟ ଚାଲିଥିବାବେଳେ ସରକାର ଅଧ୍ୟାଦେଶ ବଳରେ ନୂଆ କୃଷି ବିଲ୍ ଆଣିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିନେଲେ। ତେଣୁ ଦୁଇ ମାସ ପୂର୍ବେ କିଲୋ ପିଛା ୮୫/୯୦ ଟଙ୍କା ପଡ଼ୁଥିବା ଡାଲି ହଠାତ୍ ୧୨୦ଟଙ୍କା ହୋଇଗଲା। ସେହିଭଳି ସୋରିଷ ତେଲ ଦର ୧୫୦ ଟଙ୍କା ହୋଇଗଲା। କର୍ପୋରେଟ୍ ଜଗତକୁ କେନ୍ଦ୍ର ସରକାରଙ୍କ ଏହି ନୂଆ ପଦକ୍ଷେପ ବେଶ୍ ସୁହାଇଲା। ସେମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ମନ ଇଛା ଦର ବୃଦ୍ଧି କରିଛନ୍ତି। ସ୍ବଚ୍ଛଳବର୍ଗକୁ ଏହା ବାଧୁନାହିଁ। ମାତ୍ର ଗରିବ ସାଧାରଣ ପରିବାର ଏହା ଦ୍ବାରା କେତେ ଛଟପଟ ହେଉଛି, ତାହା ପାଖରୁ ନ ଦେଖିଲେ ଅନୁଭବ କରିହେବ ନାହିଁ। ପଖାଳ ସାଙ୍ଗକୁ ଆଳୁ ଚକଟାରେ ସୋରିଷ ତେଲ ଠୋପାଏ ପକାଇବା ସମ୍ଭବ ହେଉନାହିଁ। ନିଖୁରା ଶାଗ ଭଜାରେ ଲୋକଙ୍କ ଦିନ କଟୁଛି। ତେଣୁ ସରକାର କ’ଣ ପାଇଁ ଏଭଳି ଆଇନ ଆଣିଛନ୍ତି?
ଗୀତାଞ୍ଜଳି ସେନାପତି, ଗୃହିଣୀ, ଯାଁଳା ଉତ୍ତରମୁଣ୍ଡମୁହାଁଣ
ହାଣ୍ଡିଶାଳ ମାଡ଼ି ମାଡ଼ି ପଡ଼ୁଛି
ଏମିତି ଦରବୃଦ୍ଧି କାନ ଉଠିଲାଠାରୁ ଶୁଣିନଥିଲି। ତେଲ, ଡାଲି, ଆଳୁ, ପିଆଜ ଭଳି ଅତି ଦରକାରୀ ଖାଦ୍ୟ ସାମଗ୍ରୀର ଦର ଅହେତୁକଭାବେ ବୃଦ୍ଧି ପାଇଛି। ତେଣୁ ବାଧ୍ୟ ହୋଇ କାଣ୍ଟଛାଟ୍ କରି ଚଳିବାକୁ ପଡ଼ୁଛି। ସେଥିରେ ବି ବାଧୁଛି। କରୋନା ଯୋଗୁଁ ଆୟ କମିଛି, ଏତିକିବେଳେ ଏହି ଅସ୍ବାଭାବିକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ହାଣ୍ଡିଶାଳକୁ ଯିବାବେଳକୁ ଚିନ୍ତା ମାଡ଼ିବସୁଛି। ପରିବା ଦର ବି ଏତେ ଯେ ମାପୁଚୁପି ଚଳିବାକୁ ପଡ଼ୁଛି। ଏଭଳି କଷ୍ଟ ଆଉ କେବେ ନ ଆସୁ।
ରଶ୍ମିତା ସାହୁ, ଗୃହିଣୀ, ଜାଗମରା
ପିଲାଛୁଆଙ୍କ ଭଲ ଖାଇବା ଅଳି ଖୁବ୍ ବାଧୁଛି
କରୋନା କାଳରେ ସ୍ବଳ୍ପ ରୋଜଗାର ହେତୁ ପରିବାର ଚଳାଇବା କଷ୍ଟକର ହେଉଛି। ପ୍ରତିଦିନ ମଧ୍ୟ କାମ ମିଳୁନାହିଁ। ଏଭଳି ଅବସ୍ଥାରେ ଡାଲି, ତେଲ, ପରିବା ଦର ବୃଦ୍ଧି ଆମ ଭଳି ଗରିବ ପରିବାର ପେଟକୁ ଲାତ ମାରିଛି। ଭଲରେ ଦୁଇବେଳା ଖାଇବା ସମ୍ଭବ ହେଉନଥିବା ବେଳେ ପିଲାଛୁଆଙ୍କ ଭଲ ଖାଇବା ଅଳି ଖୁବ୍ ବାଧୁଛି। ସରକାର ରାସନ କାର୍ଡରେ ଚାଉଳ, ଡାଲି ଯୋଗାଇ ଦେଲେ। ମାତ୍ର ତାହା କିଛି ଦିନ ପାଇଁ। ଏବେ ଆମେ କିଣି ଖାଉଛୁ। ସେତେବେଳେ ମାଗଣାରେ ପାଇ ଯେତିକି ଖୁସି ହେଇଥିଲୁ, ଏବେ ଆକାଶଛୁଆଁ ଦରରେ କିଣି ତା’ଠାରୁ ବେଶି କାନ୍ଦୁଛୁ। ସରକାର ତୁରନ୍ତ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ନ ଲଗାଇଲେ, ଆମ ଭଳି ସାଧାରଣ ଗରିବ ପରିବାର ଘୋର ସଙ୍କଟରେ ପଡ଼ିବ ବୋଲି ଜଳଜଳ ଦିଶିଲାଣି।
ପ୍ରଫୁଲ୍ଲ କୁମାର ସେଠୀ, ମହୁଖଣ୍ଡା, ବାଲିପାଟଣା
ଖାଇବୁ କେତେ, ପିଲାଙ୍କ ପଢ଼ାରେ ଖର୍ଚ୍ଚ କରିବୁ କେତେ?
ମୋ ସ୍ୱାମୀ (ବାବୁଲି ରାୟ) ଗାଡ଼ି ଚଳାଇ ରୋଜଗାର କରନ୍ତି। ହେଲେ କରୋନା କଟକଣା ଲାଗୁ ହେବାପର ଠାରୁ ୧୦ ମାସ ହେଲା ରୋଜଗାର ନାହିଁ କହିଲେ ଚଳେ। ତେଣୁ ୫ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବା କଥା ଭାବିଲାବେଳକୁ ମୁଣ୍ଡ ଘୂରାଇ ଦେଉଛି। କମ୍ ରୋଜଗାରରୁ ଯାହା କିଛି କିଣୁଛୁ, ତାହା ପେଟ ପୂରା ପାଇଁ ହେଉନାହିଁ। ତେଣୁ ଏବେ ପେଟକୁ କାଟିବାକୁ ପଡ଼ୁଛି। ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ମୋବାଇଲରେ ହେଉଛି। ତେଣୁ ମୋବାଇଲ୍ ଫୋନ୍ ରିଚାର୍ଜ କରିବାକୁ ପଡ଼ୁଛି। ମାତ୍ର ବେଳେବେଳେ ଏହା ମଧ୍ୟ ସମ୍ଭବ ହେଉନି। ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଯେଉଁଠି ପେଟପୂରା ଖାଇବା ହୋଇପାରୁନି, ସେଠି ପାଠ କଥା କେମିତି ଚିନ୍ତା କରିବୁ! କିନ୍ତୁ କ’ଣ କରିବୁ? ଭାଗ୍ୟକୁ ଆଦରି ରହିବାକୁ ପଡୁଛି।
ନିରୁପମା ନାୟକ, ଓଡ଼ଖଣ୍ଡ, ବାଲିପାଟଣା
ଖୋଜୁଛୁ ଆଛେ ଦିନ୍
କରୋନା ସଂକଟ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଚ୍ଛେ ଦିନ୍ ଖୋଜୁଛୁ ଓ ବିଜୁବାବୁଙ୍କ ସ୍ୱପ୍ନସବୁକୁ କେବେ ନବୀନବାବୁ ପୂରଣ କରିବେ, ସେୟାକୁ ଅପେକ୍ଷା କରିଛୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ପାଇଁ ମୋଟେ ଚିନ୍ତିତ ନାହାନ୍ତି। ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆଦୌ ଚିନ୍ତା କରୁନାହାନ୍ତି। ସରକାର ତୁରନ୍ତ କିଛି ପଦକ୍ଷେପ ନେବା ଉଚିତ।
ରମେଶ ମହାପାତ୍ର, ପୁରୁଣା ଭୁବନେଶ୍ବର
ଯୋଗାଣ ବିଭାଗ ଶୋଇଛି ନା କ’ଣ?
ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବାକୁ କୌଣସି ସରକାର ଚିନ୍ତିତ ନୁହନ୍ତି। ଏକ ନିର୍ଦ୍ଦିଷ୍ଟ ଯୋଜନା କରିବା ପରିବର୍ତ୍ତେ ସବୁ ଦଳ କେବଳ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି। ଦରବୃଦ୍ଧି ବାସ୍ତବରେ ଯେତିକି ନ ହେଉଛି, ଯୋଗାଣ ବିଭାଗର ନିଷ୍କ୍ରିୟତା ପାଇଁ ବଜାରରେ ତା’ଠାରୁ ଅଧିକ ଦର ହୋଇ ଯାଉଛି। ପାଇକାରୀ ଦର ଓ ଖୁଚୁରା ଦର ମଧ୍ୟରେ ବହୁ ପ୍ରଭେଦ ରହୁଛି। ଅଥଚ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ନିଦା ବିଷ୍ଣୁ ସାଜିଛି। ଏ ଦିଗରେ ସରକାର ତୁରନ୍ତ କିଛି ପଦକ୍ଷେପ ନେଲେ, ଦରବୃଦ୍ଧିର ପ୍ରଭାବ କିଛିଟା କମ୍ ହୁଅନ୍ତା।
ରୋଜିନା ମିଶ୍ର, ଶ୍ରୀରାମ ନଗର
ଅଧା ଦରମା ସାଙ୍ଗକୁ ଦରବୃଦ୍ଧି ପେଟକୁ ପାହାର
କରୋନା ସଂକଟ ସମୟରେ ବହୁ ଘରୋଇ ସଂସ୍ଥା ଛଟେଇ କଲେ। ପୁଣି କିଛି ଚାକିରିଆଙ୍କୁ ଅଧା ଦରମାରେ ଖଟାଇଲେ। ତେବେ ନାହିଁ ମାମୁ ଠାରୁ କଣା ମାମୁ ନ୍ୟାୟରେ ଅଧା ଦରମା ହେଲେ ବି ଚଳେଇ ନେଲୁ। କାରଣ ପୂରା ଦରମା ଦାବି କଲେ ଚାକିରି ଯିବାର ଭୟ ରହିଛି। ତେଣୁ ଏପରି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ପେଟକୁ ପାହାର ସଦୃଶ ହୋଇଛି। ହାଟ ବଜାର ଆଡ଼କୁ ଯିବା ପାଇଁ ଭୟ ଲାଗୁଛି। ଚିନ୍ତାରେ ବିଭିନ୍ନ ରୋଗ ବାହାରିଲାଣି। ମାନସିକ ଯନ୍ତ୍ରଣା ବଳେଇଗଲାଣି। ହେଲେ ଗରିବଙ୍କ କଥା ବୁଝୁଛି କିଏ?
ଦେବତା ନାୟକ, ଇନ୍ଫୋସିଟି ଅଞ୍ଚଳ, ଘରୋଇ ସଂସ୍ଥାର ଚାକିରିଆ
ଅଧିକ ଖର୍ଚ୍ଚ ସତ୍ତ୍ବେ ଭଲରେ ମୁଠାଏ ଖାଇବା ହେଉନି
ସାଧାରଣତଃ ଘର ଚଳେଇବା ଗୃହିଣୀଙ୍କ ଦାୟିତ୍ବ। ପୁରୁଷ ଲୋକ ରୋଜଗାର କରନ୍ତି ସତ, କିନ୍ତୁ ଘରର ସବୁ ଖର୍ଚ୍ଚକୁ ତୁଲାଇବା ଦାୟିତ୍ବ ଗୃହିଣୀ ଉପରେ। ଏବେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ସିଧାସଳଖ ଗୃହିଣୀଙ୍କୁ ପ୍ରଭାବିତ କରୁଛି। ସବୁ ଦିଗରୁ କଟାକଟି କରିବାକୁ ପଡ଼ୁଛି। ମାପିଚୁପି ଚଳିବାକୁ ପଡ଼ୁଛି। ବିଶେଷକରି ଖାଦ୍ୟ ବାବଦରେ ଅଧିକ ଖର୍ଚ୍ଚ କରି ମଧ୍ୟ ଭଲରେ ମୁଠାଏ ଖାଇ ହେଉନାହିଁ। ଗ୍ୟାସ୍ଠାରୁ ଆରମ୍ଭ କରି ଡାଲି, ତେଲ, ଆଳୁ ପିଆଜ ଓ ପରିବା ଦର ସବୁ ବଢ଼ିଛି। ତେଣୁ ଜଣେ ମଧ୍ୟବିତ୍ତ ପରିବାର ପାଇଁ ଏହା ବଡ଼ କଷ୍ଟକର ପାଠ ହୋଇଛି। କୁଆଡ଼ୁ କାଟି କୁଆଡ଼ୁ ଭରଣା କରିହେବ, ଚିନ୍ତା କରି ହେଉନାହିଁ।
ରଂଜିତା ଦେଈ, ଗୃହିଣୀ, ଚନ୍ଦ୍ରଶେଖରପୁର
କିଲେ କିଲେ କିଣିବା ଭୁଲିଗଲୁଣି
ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦର ଆମର କିଣିବା ଶକ୍ତି କମାଇ ଦେଇଛି। କିଲେ କିଲେ କିଣିବା କଥା ଭୁଲିଗଲୁଣି। ଏବେ ଅଢ଼େଇ ଶହ ଗ୍ରାମ ଲେଖାଏଁ କିଣି କାମ ଚଳାଇବାକୁ ପଡ଼ୁଛି। ୨୦୦ ଟଙ୍କାରେ ଅଧ ବ୍ୟାଗ୍ ପରିବା ହେଉନି। ଯେଉଁଠି ପରିବା ଛୁଇଁ ହେଉନାହିଁ, ସେଠି ଫଳ କିଣି ଖାଇବା କଥା କିଏ ଭାବୁଛି! ଡାଲି, ତେଲ, ଆଳୁ, ପିଆଜ ସାଙ୍ଗକୁ ପେଟ୍ରୋଲ, ଜାଳେଣି ଗ୍ୟାସ୍ ଦର ବଢ଼ିଚାଲିଛି। ତେଣୁ ଚଳିବା କଷ୍ଟ ହେଲାଣି। ଆମେ ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ବଞ୍ଚିବୁ କେମିତି? ସରକାର ଶୀଘ୍ର କିଛି ବ୍ୟବସ୍ଥା କରନ୍ତୁ।
ସୀତାଂଶୁ କୁମାର ପରିଜା, ସ୍ଥାନୀୟ ବାସିନ୍ଦା
ଦରମା ବଢ଼ୁନି, ଦରଦାମ୍ ବଢ଼ୁଛି
ଦରଦାମ ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲଠାରୁ ଗ୍ୟାସ୍ ପର୍ଯ୍ୟନ୍ତ ସବୁ ବଢ଼ି ବଢ଼ି ଚାଲିଛି। ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ତେଲ, ଆଳୁ ପିଆଜ ଓ ପରିବା ଦର ମୁଣ୍ଡ ବିନ୍ଧା ବଢ଼ାଇଛି। କରୋନା ଯୋଗୁଁ ଚଳିତ ବର୍ଷ ଦରମା ବଢ଼ିଲାନି। କିନ୍ତୁ ବଜାର ଦର ବଢ଼ିବାରେ ଲାଗିଛି। ତା ସାଙ୍ଗକୁ ପୁଣି କରୋନା ପ୍ରତିରୋଧ ପାଇଁ ଆନୁସାଙ୍ଗିକ ଖର୍ଚ୍ଚ ବଢ଼ିଯାଇଛି। ମାସ୍କ, ସାନିଟାଇଜର୍, ସାବୁନ ସହ ବିଭିନ୍ନ ଭିଟାମିନ୍ ବଟିକା ବି କିଣିବାକୁ ପଡ଼ୁଛି। ଦରମା କଟିକି ମିଳୁଛି। ସେହି କମ୍ ଦରମାରେ କଷ୍ଟେମଷ୍ଟେ ୬ ମାସ ଚଳିଲୁ। କିନ୍ତୁ ଆଉ ହେଉନି। ଖାଇବା ପିଇବାକୁ ପାଉନୁ ଯେତେବେଳେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କଥା କିଏ ଭାବୁଛି!
ଅନସୂୟା ରଥ, ଗୃହିଣୀ
କମ୍ ଲାଭରେ ବ୍ୟବସାୟ କରୁଛୁ
୧୫ ବର୍ଷ ହେଲା ୧ ନଂ ହାଟରେ ଦୋକାନ ଦେଇ ବସିଛି। କିନ୍ତୁ ପୂର୍ବରୁ କେବେ ଏତେ ଲମ୍ବା ସମୟ ଧରି କ୍ଷତି ସହିନଥିଲି। ପ୍ରଥମତଃ ମହାମାରୀ କରୋନା ଲୋକଙ୍କ ରୋଜଗାରକୁ ଲାତ ମାରିଛି। ତେଣୁ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି। ମୋଟାମୋଟି ୫୦ ପ୍ରତିଶତ ବିକ୍ରି କମିଛି। ଏଥିସହିତ ଏବେ ଦରଦାମ ବୃଦ୍ଧି ଆମ ବ୍ୟବସାୟକୁ ଫିକା କରି ଦେଇଛି। ଦରବୃଦ୍ଧି ପାଇଁ ଅଧିକ ଟଙ୍କା ଆସୁଛି, କିନ୍ତୁ କମ୍ ପରିମାଣର ଜିନିଷ ବିକ୍ରି ହେଉଥିବାରୁ ଲାଭ ହାର କମୁଛି। ବିକ୍ରି ହ୍ରାସ ପାଇଥିବାରୁ ଖାଦ୍ୟ ସାମଗ୍ରୀଗୁଡ଼ିକ ଅଧିକ ଦିନ ପଡ଼ି ରହିବାରୁ ବହୁ ପରିମାଣରେ ନଷ୍ଟ ହେଉଛି। ତେଣୁ ବାଧ୍ୟ ହୋଇ ଅଳ୍ପ ଲାଭ ରଖି ଜିନିଷ ବିକ୍ରି କରିବାକୁ ପଡ଼ୁଛି। ଫଳରେ ଏବେ ହାତରୁ ଖାଇ ବେପାର କରିବା ସ୍ଥିତି ଉପୁଜିଛି।
ପ୍ରଦୀପ ସାହୁ, ସାହୁ ଭେରାଇଟି ଷ୍ଟୋର, ୧ ନଂ ହାଟ
ମଲ୍ ପାଇଁ ଆମ ବେପାର ମରିବାକୁ ଯାଉଛି
ମହାମାରୀ କରୋନା ପାଇଁ ବର୍ତ୍ତମାନ ବ୍ୟବସାୟ ପୂରା ମାନ୍ଦା ରହିଛି। ଲୋକଙ୍କ ରୋଜଗାର କମିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଲୋକେ କମ୍ ପରିମାଣର ଜିନିଷ କିଣୁଛନ୍ତି। ତେଣୁ ପୂର୍ବ ତୁଳନାରେ ବ୍ୟବସାୟରେ ୮୦ ପ୍ରତିଶତ ପ୍ରଭାବିତ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଜାରରେ ତେଲ, ଆଳୁ, ପିଆଜର ଦରଦାମ୍ ବଢ଼ୁଥିଲେ ବି ରିଲାଏନ୍ସ୍ ଭଳି କମ୍ପାନି ଏହିସବୁ ଜିନିଷ ଉପରେ ରିହାତି ଦେଇ ଖାଉଟିଙ୍କୁ ଆକୃଷ୍ଟ କରୁଛନ୍ତି। ମଲ୍ରେ ରିହାତି ଯୋଗୁଁ ଲୋକେ ଆମ ପାଖରୁ ମୁହଁ ଫେରାଇଲେଣି। ସେଭଳି କର୍ପୋରେଟ୍ ସଂସ୍ଥା ଭିନ୍ନ ରାସ୍ତା ଜରିଆରେ ଏହି ସବୁ ଜିନିଷରେ ରିହାତି ଦେଉଥିବାରୁ ଆମ ଭଳି ଛୋଟ ବ୍ୟବସାୟୀଙ୍କ ବେପାର ମରିବାକୁ ବସିଲାଣି।
ମଦନ ମୋହନ ମୁଦୁଲି, ଲକ୍ଷ୍ମୀ ଭେରାଇଟି ଷ୍ଟୋର୍, ନୂଆପଲ୍ଲୀ