ଭୁବନେଶ୍ବର: ବାଘ, ଭାଲୁ, ହାତୀ ବିଚରଣ କରୁଥିବା ଘଞ୍ଚ ଜଙ୍ଗଲ ମଝିରେ ଥିଲା ମା’ଙ୍କ ଆସ୍ଥାନ। ନରେଇଶ ଓ ଚୁଲ୍ଲିଝିକା ଗଛ ତଳେ ପଥରର ହାତୀ, ଘୋଡ଼ା ସହ ପଥର ରୂପରେ ମା’ ପୂଜା ପାଉଥିଲେ। ଏହାର ପଛ ପାଖରେ ରହିଥିଲା ଏକ ଶ୍ମଶାନ। ଭୂତ, ପ୍ରେତ ଓ ପିଶାଚମାନେ ସେଠାରେ ବିଚରଣ କରୁଥିବା ବେଳେ ମା’ଠାକୁରାଣୀ ସେମାନଙ୍କ ଦମନ ନିମନ୍ତେ ମଶାଲ ଧରି ଜଙ୍ଗଲରେ ଭ୍ରମଣ କରୁଥିଲେ। ମା’ ସେତେବେଳେ ବନଦୁର୍ଗା ଭାବେ ପୂଜା ପାଉଥିଲେ। କାହାର ଗାଈ ହଜିଲେ, ପୁଅ ବାଳୁଙ୍ଗା ହେଲେ ବା ଯେକୌଣସି ସମସ୍ୟା ହେଲେ ମା’ଙ୍କୁ ନଡ଼ିଆ ବା ଖିରି, ଖେଚୁଡ଼ି ଯାଚିଲେ ମାନସିକ ପୂରଣ ହେଉଥିବାର ବିଶ୍ବାସ ରହିଛି। ଏବେ ବି ମା’ ସହରର ପ୍ରବେଶ ପଥରେ ରହି ନିଜ ଆଶୀର୍ବାଦର ଛାୟାରେ ସମସ୍ତଙ୍କୁ ସୁରକ୍ଷିତ କରୁଛନ୍ତି।

Advertisment

ଆସନ୍ତୁ ଜାଣିବା ମା’ଙ୍କର  ବନଦୁର୍ଗାରୁ ଦକ୍ଷିଣକାଳୀ ରୂପରେ ବରମୁଣ୍ଡାରେ ପ୍ରତିଷ୍ଠାର କାହାଣୀ...। ଶ୍ରୀ ଶ୍ରୀ ମା’ ଦକ୍ଷିଣ କାଳୀଖାଇ ଆଶ୍ରମ ପରିଚାଳନା ସମିତିର ସଭାପତି ଭଜମନ ସାହୁ କହିଛନ୍ତି, କେଉଁ କାଳରୁ ମା’ ଏଠାରେ ପୂଜା ପାଉଛନ୍ତି ସେକଥା କାହାକୁ ଜଣାନାହିଁ। ମା’ଙ୍କ ପୀଠକୁ ଯିବା ପାଇଁ ବରମୁଣ୍ଡା ଗାଁ ଲୋକ ଜଙ୍ଗଲ ମଧ୍ୟରେ ଗୋଟିଏ ରାସ୍ତା ବାହାର କରି ଯା’ ଆସ କରୁଥିଲେ। ନଟବର ଦାସ ନାମକ ଜଣେ ବ୍ୟକ୍ତି ମନ୍ଦିର ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ କଟକ ଜିଲ୍ଲାର ହରିଅନ୍ତା ଗାଁର ବାସିନ୍ଦା ଥିଲେ ଓ ବରମୁଣ୍ଡା ଗାଁରେ ବିବାହ କରିଥିଲେ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ସେ ଚାକିରି କରୁଥିଲେ। ଚାକିରିରୁ ଅବସର ପରେ ସେ ଆସି ଖଣ୍ଡଗିରି ପାହାଡ଼ ଉପରେ ସାଧନା କଲେ। ପରେ ମା’ କାଳୀଙ୍କ ପୀଠରେ ୧୯୬୫ ମାର୍ଚ୍ଚ ୧୧ରେ ସେ ଆସି ମା’ଙ୍କ ଆରାଧନା କରିଥିଲେ। ପରେ୧୯୬୮ ଜାନୁଆରି ୨୩ ତାରିଖରେ ସେ ବରମୁଣ୍ଡା ଜଙ୍ଗଲ ମଧ୍ୟରେ କୁଡ଼ିଆଟିଏ କରି ମା’ଙ୍କ ପୀଠ ପାଖରେ ରହିଲେ। ମା’ଙ୍କ ପୀଠକୁ ମନ୍ଦିର କରିବାକୁ ନଟବର ଇଚ୍ଛା ପ୍ରକାଶ କରିବା ସହ ବରମୁଣ୍ଡା ଗାଁ ଲୋକଙ୍କ ସହାୟତାରେ ସେ ପ୍ରଥମ ଥର ୨୫ ଡିସେମ୍ବର ୧୯୭୯ରେ ମା’ କାଳୀଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ କରିଥିଲେ। ଏହାର ୬ ବର୍ଷ ପରେ ୧୯୮୫ ମସିହା ଜୁନ୍‌ ୧୨ରେ ବରମୁଣ୍ଡା ଜାତୀୟ ରାଜପଥ କଡ଼ରେ ନିର୍ମାଣ ହୋଇଥିଲା ୪ ଏକର ପରିମିତ ମା’ କାଳୀଙ୍କ ଏହି ଭବ୍ୟ ମନ୍ଦିର। 

ମା’ଙ୍କ ମନ୍ଦିର ପ୍ରତିଷ୍ଠାର କେତେ ବର୍ଷ ପରେ ନଟବରଙ୍କୁ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା। ମା’ ବୈଷ୍ଣବ କାଳୀ ହୋଇଥିବାରୁ ବାସୁଦେବଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ମା’ ନିର୍ଦ୍ଦେଶ ଦେଇଥିଲେ। ୧୯୯୨ ଡିସେମ୍ବର ୧୫ରେ ବାସୁଦେବ ମନ୍ଦିର ନିର୍ମାଣ ପାଇଁ ଶୁଭ ପଡ଼ିଥିଲା। ୨ ବର୍ଷରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ୧୯୯୪ ମସିହା ଗୁଣ୍ଡିଚା ଯାତ୍ରା ଦିନ ବାସୁଦେବ ମନ୍ଦିର ପ୍ରତିଷ୍ଠା ହୋଇଥିଲା। 
ପରିଚାଳନା କମିଟିର ସମ୍ପାଦକ ଧୋବେଇ ପାଟ୍ଟଶାଣୀ କହିଛନ୍ତି, ଏହି ମନ୍ଦିର ସରକାରୀ ଜାଗାରେ ଅବସ୍ଥିତ। ସରକାରୀ ଉଦ୍ୟମରେ ମନ୍ଦିରର ଦ୍ବାରଦେଶ ବହୁଥର ଭାଙ୍ଗିବାର ଉଦ୍ୟମ ହୋଇଥିଲେ ବି ସଫଳ ହୋଇନାହିଁ। ମନ୍ଦିର ଭିତରେ ଥିବା କମ୍ୟୁନିଟି ହଲ୍‌ ବିବାହ, ବ୍ରତ, ଜନ୍ମଦିନ, ଏକାଦଶାହ ଓ ଏକୋଇଶିଆ ଆଦି ପାଇଁ ଭଡ଼ା ଦିଆଯାଏ। ଏଥିସହ ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ଏହାର ସାତ୍ତ୍ବିକ ଭୋଜନ। ପ୍ରତିଦିନ ଏଠାରେ ୨୦୦ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ଭାତ, ଡାଲ୍‌ମା, ଖଟା, ଶାଗ, ବେସର ସହ ଖିରିକୁ ୭୦ ଟଙ୍କା ରହିଥିବା ବେଳେ ପାର୍ସଲ ନେଲେ ୮୦ ଟଙ୍କା ରହୁଛି। ମନ୍ଦିରର ପ୍ରମୁଖ ଉତ୍ସବ କାଳୀପୂଜା ହୋଇଥିବା ବେଳେ ୫ ଦିନ ଧରି ମହାସମାରୋହରେ ପୂଜା, ଯଜ୍ଞ ହୋଇଥାଏ। ଏଥିସହ ନଟବରଙ୍କ ଶ୍ରାଦ୍ଧୋତ୍ସବ ବି ମନ୍ଦିରରେ ପାଳିତ ହୁଏ।