ରଙ୍ଗିନ୍‌ ଦୁନିଆରୁ ଜେଲ କୋଠରି, ସଂଗରୋଧ ଓ୍ୱାର୍ଡରେ ବାପ-ପୁଅ

ରାତି ସାରା ନିଦ ନାହିଁ, ରୁଚିଲା ରୁଟି, ସନ୍ତୁଳା?

ଭୁବନେଶ୍ୱର : ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବା, ପଞ୍ଚତାରକା ହୋଟେଲର ଅୟସ୍ କରିବା, ବିମାନରେ ବୁଲି ରଙ୍ଗିନ ଦୁନିଆରେ ଜୀବନ ବିତାଉଥିଲେ ପାଠକ ପରିବାର। କେବଳ ଲକ୍‌ଡାଉନ୍‌ରେ ଚାର୍ଟର୍‌ ବିମାନରେ କୋଟି କୋଟି ଟଙ୍କାରେ ୨୦ଥର ବିଦେଶ ବୁଲିବା ଘଟଣାରୁ ସେମାନଙ୍କର ଆକାଶରେ ଉଡ଼ିବା ସଉକ ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଦେଶ ବୁଲିବା, ମୁମ୍ବାଇ ତାଜ୍ ପ୍ୟାଲେସ୍‌ରେ ୯୦ଲକ୍ଷ ଟଙ୍କା ଉଡ଼ାଇବା, କୋଟିଏ ଟଙ୍କାର ଫ୍ଲାଟ୍ ଭଡ଼ା, ୨୫ଲକ୍ଷ ଟଙ୍କାର ମର୍ସିଡିଜ୍ ଭଡ଼ା, ଏକରୁ ଆର‌କେ ଦାମୀ କାର୍‌, ତାରକା ହୋଟେଲ ଭଳି ଫ୍ଲାଟ୍‌ରେ ଜୀବନ ବିତାଉଥିଲେ ରଙ୍ଗିନ ମିଜାଜର ଆଇଏଫଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ। ସବୁ ଦିନ ଏଭଳି ଅୟସ ଆରାମରେ ଜୀବନ ବିତାଉଥିବା ପାଠକ ବାପ-ପୁଅ ଯେ ଦିନେ ଜେଲର ଅନ୍ଧାର କୋଠରି ଭିତରେ ଦିନ କାଟିବେ, ତାହା ସେମାନେ କେବେ କଳନା କରିପାରି ନଥିଲେ।

ଆକାଶ ବିବାହକୁ ନେଇ ଯେତେବେଳେ ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବ ସମସ୍ତେ ମସଗୁଲ୍‌ ଥିଲେ, ସେତେବେଳେ ପଡ଼ିଥିଲା ଭିଜିଲାନ୍ସ ଚଡ଼କ। ବାପ-ପୁଅଙ୍କ କଳା ସାମ୍ରାଜ୍ୟର ଖୁଲାସା ହୋଇ ଯାଇଥିଲା। ରାଜା ଭଳି ଜୀବନ ବିତାଉଥିବା ବାପ-ପୁଅଙ୍କୁ ଏବେ ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡ଼ିଛି। ସନ୍ଧ୍ୟା ପ୍ରାୟ ୭ଟାରେ ଉଭୟଙ୍କୁ ଜେଲ ହାଜତକୁ ନିଆ ଯାଇଥିଲା। ନିୟମ ଅନୁସାରେ, ଉଭୟଙ୍କୁ ପ୍ରଥମେ ସଂଗରୋଧ ଵାର୍ଡରେ ରଖାଯାଇଛି। ଆଇଏଫଏସ୍‌ ଅଭୟକାନ୍ତଙ୍କୁ ୧୧ ନମ୍ବର ଵାର୍ଡରେ ରଖା ଯାଇଥିବା ବେଳେ ଆକାଶଙ୍କୁ ୯ ନମ୍ବର ଵାର୍ଡରେ ରଖାଯାଇଛି। ସେମାନଙ୍କୁ ୧୪ ଦିନ ସଂଗରୋଧରେ ରଖାଯିବ। ଯଦି କୌଣସି ଲକ୍ଷଣ ନ ବାହାରିବ, ତାହାଲେ ସାଧାରଣ ଵାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଅୟସ ଆରାମରେ ଜୀବନ ବିତାଉଥିବା ବାପ-ପୁଅଙ୍କର ଜେଲ୍ ଭିତରେ ମୁହଁ ଶୁଖି ଯାଇଥିଲା। ପଞ୍ଚତାରକା ହୋଟେଲର ଡିନର ଖାଉଥିବା ବାପ ପୁଅଙ୍କୁ ମିଳିଥିଲା ଜେଲର ରୁଟି ଓ ସନ୍ତୁଳା। ଖାଦ୍ୟ ପସନ୍ଦ ହୋଇ ନ ଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହୋଇ ନ ଥିଲା। ଜେଲ ଭିତରେ କେମିତି ଦିନ କାଟିବେ ଏବେ ଚିନ୍ତା ଘାରିଛି।

ସମ୍ବନ୍ଧିତ ଖବର