ଅପରାଜିତାଙ୍କୁ ବିପୁଳ ସମ୍ବର୍ଦ୍ଧନା; କମ୍ପିଲା ବିମାନବନ୍ଦର, ସାମିଲ ହେଲେନି କୌଣସି ରାଜ୍ୟ ନେତା

ଭୁବନେଶ୍ବର : ଇଣ୍ଟର ପାର୍ଲାମେଣ୍ଟାରି ୟୁନିଅନ୍‌(ଆଇପିୟୁ)ର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହୋଇ ଇତିହାସ ରଚିବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ବର ଫେରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ସେ ବିମାବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକ ବିମାନବନ୍ଦରରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ‘ଜିନ୍ଦାବାଦ୍‌ ଓ ଭାରତ ମାତା କି ଜୟ’ ଧ୍ବନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଭିନ୍ନ ସାଂସ୍କୃତିକ ଦଳ ମଧ୍ୟ ଏଥିରେ ସାମିଲ ‌ହୋଇଥିଲେ।।

ଶ୍ରୀମତୀ ଷଡ଼ଙ୍ଗୀ ପୂର୍ବାହ୍ନ ସାଢ଼େ ୧୧ଟାରେ ବିମାନବନ୍ଦରରେ ପହଞ୍ଚିବାର ସୂଚନା ରହିଥିଲା। ତେଣୁ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ଦିନ ୧୧ଟାରୁ ପୁରୁଣା ଟର୍ମିନାଲ୍‌ ନିକଟରେ ପହଞ୍ଚି ନାଚଗୀତରେ ମସଗୁଲ୍‌ ହୋଇଯାଇଥିଲେ। ସେଠାରେ ଅପରାଜିତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାଟି ନବୀନ ନିବାସ ଦେଇ ପଳାସପଲ୍ଲୀସ୍ଥିତ ଶ୍ରୀମତୀ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। କର୍ମୀଙ୍କ ସହ ଚାଲିଚାଲି ଅପରାଜିତା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବୀନ ନିବାସ ଦେଇ ଶୋଭାଯାତ୍ରା‌ ଗଲା ବେଳେ ବିଶୃଙ୍ଖଳା ଉପୁଜିବା ଆଶଙ୍କାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା‌। ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା ଶେଷ ହେବା ପରେ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଉପରେ ବିଶ୍ବାସ ରଖିଛନ୍ତି, ତାହା ସବୁଠାରୁ ବଡ଼ କଥା। ଏହା ଭାରତର ବିଜୟ।

ବିମାନବନ୍ଦରରେ ପହଞ୍ଚିବା ପରେ ମୁଁ ଭାବି ନଥିଲି ଯେ ଏତେ ସଂଖ୍ୟାରେ ଶୁଭେଚ୍ଛୁ ମୋତେ ସ୍ବାଗତ କରିବେ। କେବଳ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ନୁହେଁ, ବରଂ ରାଜ୍ୟର କୋଣଅନୁକୋଣରୁ ଲୋକମାନେ ଆସିଥିଲେ। ଲୋକଙ୍କର ଏହି ବିଶ୍ବାସ ଅତୁଟ ରହୁ ବୋଲି ସେ କାମନା କରିଥିଲେ। ତେବେ ଏହି ଶୋଭାଯାତ୍ରା ବା ସମ୍ବର୍ଦ୍ଧନା ଉତ୍ସବରେ ଜଣେ ହେଲେ ରାଜ୍ୟ ନେତାଙ୍କୁ ଦେଖିବାକୁ ମିଳିନଥିଲା। ନା ଦଳର ରାଜ୍ୟ ସଭାପତି ଥିଲେ, ନା କୌଣସି ବିଧାୟକ ଥିଲେ। ଏପରିକି ଜଣେ କର୍ପୋରେଟର୍‌ଙ୍କ ବି ଦେଖା ମିଳିନଥିଲା। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ପ୍ରଶ୍ନକୁ ଶ୍ରୀମତୀ ଷଡ଼ଙ୍ଗୀ ଏଡ଼ାଇ ଯାଇଥିଲେ।

ସୂଚନାଯୋଗ୍ୟ, ୨୦୦୨ରେ ନଜମା ହେଫତୁଲ୍ଲା ଏହି ଅନ୍ତର୍ଜାତୀୟ ଫୋରମ (ଆଇପିୟୁ)ରେ ଭାରତରୁ ପ୍ରତିନିଧିତ୍ବ କରିଥିଲେ। ଏହା ପରଠାରୁ କେହି ପ୍ରତିନିଧି ନଥିଲେ। ଏଥିରେ ଦୁଇ ତୃତୀୟାଂଶ ଭୋଟ୍‌ ପାଇ ଅପରାଜିତା ବିଜୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର