ଭୁବନେଶ୍ବର: ଆଇଜି ପାର୍କ ପରିସରରେ ଥିବା ଡିପ୍ସ ଆଣ୍ଡ ଡମ୍ବେଲ୍ସ ଜିମ୍କୁ ଆଜି ବିଡିଏ ସିଲ୍ କରିଛି। ଏହି ଜିମ୍ ଚଲାଉଥିବା ସଂସ୍ଥା ବିଡିଏରୁ ଘର ଓ ସରଞ୍ଜାମ ଭଡ଼ାରେ ନେଇଥିଲା। କିନ୍ତୁ ଦୀର୍ଘ ମାସ ହେଲା ସଂସ୍ଥା ବିଡିଏକୁ ଭଡ଼ା ଦେଉ ନଥିଲା କି ବିଦ୍ୟୁତ ବିଲ୍ ଦେୟ ଦେଉନଥିଲା। ଫଳରେ ବିଡଏର ଏନ୍ଫୋର୍ସମେଣ୍ଟ ଟିମ୍ ଏହାକୁ ସିଲ୍ କରିଛି।
ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତବର୍ଷ ଡିସେମ୍ବର ସୁଦ୍ଧା ଏହି ଜିମ୍ ଉପରେ ୩୪ଲକ୍ଷ ୭୩ହଜାର ୬୫୦ଟଙ୍କା ଭଡ଼ା ବାକି ଥିଲା। ସଂସ୍ଥାକୁ ବାରମ୍ବାର ନୋଟିସ୍ ସତ୍ତ୍ବେ ଭଡ଼ା ନ ଦେବାରୁ ଜାନୁଆରି ମାସରେ ସଂସ୍ଥା ବିରୁଦ୍ଧରେ ବିଡିଏ ଓପିପି କେସ୍ ୧/୨୦୨୧ ରୁଜୁ କରିଥିଲା। ଏହାର ଶୁଣାଣି କରି ବିଡିଏର ମେମ୍ବର ଇଷ୍ଟେଟ୍ ଏହାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ବିଡିଏର ଏନଫୋର୍ସମେଣ୍ଟ ଟିମ୍ ଏହି ଜିମ୍କୁ ସିଲ୍ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜିମ୍ ଚଳାଉଥିବା ସଂସ୍ଥା ଉପରେ ପ୍ରାୟ ୨ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ଅଛି।
ଏଠାରେ ପ୍ରଶ୍ନ ଉଠୁଛି, ବିଡିଏ କର୍ତ୍ତୃପକ୍ଷ ୩୪ ଲକ୍ଷ ୭୩ ହଜାର ହଜାର ଟଙ୍କା ଭଡ଼ା ବାକି ହେବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲେ। ଦୀର୍ଘ ବର୍ଷ ଧରି ଯେଉଁ ସଂସ୍ଥା ଭଡ଼ା ଦେଉ ନଥିଲା, ତାହାକୁ ପ୍ରଥମ ଦୁଇ ତିନି ମାସ ପରେ କାହିଁକି ସିଲ୍ କରାଗଲାନି। ଏବେ ଯେଉଁ ଭଡ଼ା ବାକି ରହିଛି, ତାହାକୁ ବିଡିଏ ଆଦାୟ କରିପାରିବ ତ!
ସୂଚନାଯୋଗ୍ୟ, କିଛି ବର୍ଷ ତଳେ ବିଡିଏ ଏହି ଜିମ୍ର ନବୀକରଣ କରିବା ବେଳେ କହିଥିଲା ଯେ ଏଠାରେ ଲୋକମାନେ ମାଗଣାରେ ବ୍ୟାୟାମ କରିବେ। ଏଥିପାଇଁ ବିଡିଏ ସମସ୍ତ ଯନ୍ତ୍ରାଂଶ କିଣିଥିଲା। କିନ୍ତୁ ଜିମ୍ ଉଦ୍ଘାଟନ ହେଲା ବେଳକୁ ନିଷ୍ପତ୍ତି ବଦଳି ଯାଇଥିଲା। ଜିମ୍ ଆସୁଥିବା ଲୋକଙ୍କ ପାଇଁ ମୋଟା ଅଙ୍କର ନାମଲେଖା ଓ ମାସିକ ଫି’ ଆଦାୟ କରାଗଲା। ଘରୋଇ ସଂସ୍ଥା ହାତକୁ ପୂରା ଜିମ୍ ଟେକି ଦେବାରୁ ସଂସ୍ଥା ବିନା ଅର୍ଥରେ କାହାକୁ ଜିମ୍ ଭିତରକୁ ଛାଡ଼ିଲାନି। ଲୋକଙ୍କୁ ମାଗଣାରେ ଅତ୍ୟାଧୁନିକ ଜିମ୍ ଯୋଗାଇବାର ଆଶା ଦେଖାଇ ଭଣ୍ଡାଇଥିବା ବିଏମ୍ସି ଏବେ ନିଜେ ଫସି ଯାଇଛି।