ଭୁବନେଶ୍ବର: କିନ୍ନରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରଣୟନ କରାଯାଉଛି। ସୁବିଧା ସୁଯୋଗ ଦିଆଯାଉଛି। ଶିକ୍ଷା କ୍ଷେତ୍ରରେ ବି ଅଗ୍ରାଧିକାର ମିଳୁଛି। ତେବେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) କର୍ତ୍ତୃପକ୍ଷଙ୍କ ଭିନ୍ନ ନୀତି ଏବେ ପଦାକୁ ଆସିଛି। ଗତବର୍ଷ କିନ୍ନରଙ୍କୁ ମାଗଣାରେ ନାମ ଲେଖାଇବା ସହ ଶିକ୍ଷାଦାନ ଲାଗି ନିଷ୍ପତ୍ତି ନେଇଥିଲେ। କିଛି କିନ୍ନର ବି ପଢ଼ିବା ଲାଗି ଆଗ୍ରହ ଦେଖାଇଥିଲେ। ତେବେ ଗୋଟିଏ ବର୍ଷ ଯାଇନି ନିଷ୍ପତ୍ତି ବଦଳାଇଦେଲେ। ଏଣିକି କିନ୍ନରମାନେ ଆଉ ମାଗଣାରେ ଇଗ୍ନୋରେ ପଢ଼ିପାରିବେ ନାହିଁ। ପଢ଼ିବାକୁ ହେଲେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋଜ କୁମାର ଦାଶ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିନ୍ନରଙ୍କୁ ମାଗଣା ପଢ଼ାଇବା ଯୋଜନା ଫଳପ୍ରଦ ହେଲା ନାହିଁ। ଯେଉଁଥିପାଇଁ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ଇଗ୍ନୋ ମୁଖ୍ୟାଳୟ ପକ୍ଷରୁ ଉକ୍ତ ନିଷ୍ପତ୍ତି ହୋଇଛି। ଯଦି କୌଣସି ସ୍ଥାନରେ ଅଧିକ ସଂଖ୍ୟାରେ କିନ୍ନର ପଢ଼ିବା ପାଇଁ ଆଗ୍ରହ ଦେଖାଇବେ, ବିଶ୍ବବିଦ୍ୟାଳୟର ଶିକ୍ଷକମାନେ ସେଠାକୁ ଯାଇ ପଢ଼ାଇପାରିବେ।
ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଲେ ୨୦୧୯-୨୦ ଶିକ୍ଷାବର୍ଷରୁ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ୧୦ଟି ନୂଆ ପାଠ୍ୟକ୍ରମ ଆରମ୍ଭ ହେବ। ପିଜି ଡିପ୍ଲୋମା ଇନ୍ ଆନିମାଲ୍ ୱେଲଫେୟାର୍, ପିଜି ଡିପ୍ଲୋମା ଇନ୍ ଡେଭଲପ୍ମେଣ୍ଟ ଷ୍ଟଡିଜ୍, ଡିପ୍ଲୋମା ଇନ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍, ସାର୍ଟିଫିକେଟ୍ ଇନ୍ ଯୋଗ, ସାର୍ଟିଫିକେଟ୍ ଇନ୍ ପର୍ସିଆନ୍ ଲାଙ୍ଗୁଏଜ୍, ସାର୍ଟିଫିକେଟ୍ ଇନ୍ ଜେନେରାଲ୍ ଡ୍ୟୁଟି ଆସିଷ୍ଟାଣ୍ଟ୍, ସାର୍ଟିଫିକେଟ୍ ଇନ୍ ଜେରିଆଟିକ୍ କେୟାର୍ ଆସିଷ୍ଟାଣ୍ଟ୍, ସାର୍ଟିଫିକେଟ୍ ଇନ୍ ହେଲଥ୍ ଆସିଷ୍ଟାଣ୍ଟ୍ ଓ ଆୱାରନେସ୍ ଇନ୍ ଜିଏସଟି ଭଳି ବହୁ ନୂତନ ପାଠ୍ୟକ୍ରମ ଆରମ୍ଭ ହେବ। ଏବେ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ଗତ ଜୁଲାଇ ସୁଦ୍ଧା ୨୪ ହଜାର ୨୧୨ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ହଜାର ୭୨ଜଣ ରାଜ୍ୟ ସରକାରଙ୍କ ଏନଏଚଏମ୍ ଯୋଜନାରେ ପଢ଼ିବେ।
ଅନ୍ୟପକ୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଯୋଜନାରେ କେନ୍ଦ୍ର ସହାୟତାରେ ୧୦ଟି ଜିଲ୍ଲାରେ ୬୫ ଶହ ଆଶାକର୍ମୀଙ୍କୁ ସାର୍ଟିଫିକେଟ୍ କୋର୍ସରେ ପ୍ରଶିକ୍ଷଣ ଦେବାକୁ ସ୍ଥିର କରିଛି। ଏବେ ସୁଦ୍ଧା ୫ ହଜାର ୯୨ ଜଣ ଆବେଦନ କରିଥିବା ବେଳେ ଆସନ୍ତା ୧୪ ତାରିଖ ଶେଷ ହେବ। ପୂର୍ବରୁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରାଜ୍ୟର ୪ଟି ଜେଲ୍ରେ ଶିକ୍ଷାଦାନ କରାଯାଉଥିବା ବେଳେ ଚଳିତ ବର୍ଷରୁ ନୂଆ ୧୦ଟି ଜେଲ୍ରେ ପଢ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଇଗ୍ନୋର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପାଣିଗ୍ରାହୀ, ବିଜୟ କୁମାର ସାହୁ ଓ ପ୍ରଭାତ କୁମାର ଜେନା ଉପସ୍ଥିତ ଥିଲେ।