ଭୁବନେଶ୍ୱର: ଜଣେ ଦକ୍ଷ ଲେଖକ ନିଜ ସର୍ଜନାର ଏକ ସ୍ୱକୀୟ ମାର୍ଗ ନିର୍ମାଣ କରେ। ଅଣଆନୁଷ୍ଠାନିକତା ହିଁ ଜଗଦୀଶ ମହାନ୍ତିଙ୍କ ଲୋକପ୍ରିୟତାର ରହସ୍ୟ ବୋଲି ଜଗଦୀଶ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ଗାଳ୍ପିକ ଆଦିକନ୍ଦ ସାହୁ ମୁଖ୍ୟ ଅତିଥି ଏବଂ ଗବେଷିକା ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଗାଳ୍ପିକ ମଣିରାମ ଜେନାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ପ୍ରଦାନ କରାଯାଇଥିଲା।

Advertisment

ଏହି ଅବସରରେ ଟାଇମ୍‍ପାସ୍‍ ଦ୍ୱାରା ପ୍ରକାଶିତ ଜଗଦୀଶ ମହାନ୍ତିଙ୍କ ପାଞ୍ଚଟି ଉପନ୍ୟାସର ସମାହାର ‘ସୃଜନ ସମଗ୍ର ଭାଗ ୪’ ଏବଂ ମଣିରାମ ଜେନାଙ୍କ ନୂତନ ଗଳ୍ପ ସଂକଳନ ‘ଇଣ୍ଡିଆ’ ଲୋକାର୍ପିତ ହୋଇଥିଲା। ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡ. ସରୋଜିନୀ ସାହୁ। ‘ଟ୍ରଷ୍ଟ’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ ଅବିନାଶ ସାହୁ, ସଂଘମିତ୍ରା ଭଞ୍ଜ ଏବଂ ଅରୁଣ ଦାସ। ଓଡ଼ିଶାର ବିଭିନ୍ନ କୋଣଅନୁକୋଣରୁ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ।