ଭୁବନେଶ୍ବର: କାର୍ତ୍ତିକ ମାସ ଆରମ୍ଭ ପରେ ଏକାମ୍ରକ୍ଷେତ୍ରକୁ ହବିଷ୍ୟାଳି ଆସୁଛନ୍ତି। ବିନ୍ଦୁସାଗର ନିକଟରେ ଥିବା ଧର୍ମଶାଳାରେ ରହି ସେମାନେ ହବିଷ ପାଳନ କରନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୪ଟି ସ୍ଥାନରେ ୨,୫୦୦ ହବିଷ୍ୟାଳିଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିବାବେଳେ ଏକାମ୍ରକ୍ଷେତ୍ରକୁ ଆସୁଥିବା ହବିଷ୍ୟାଳିଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ସେହିପରି ପର୍ଯ୍ୟଟକଙ୍କ ପାଇଁ ସୁଲଭମୂଲ୍ୟରେ ରହିବା ବ୍ୟବସ୍ଥା ନଥିବାରୁ ବହୁ ପର୍ଯ୍ୟଟକ ରାସ୍ତାକଡ଼ରେ ଶୋଉଛନ୍ତି। ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। 

Advertisment

ସୂଚନାଯୋଗ୍ୟ ଯେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲିଙ୍ଗରାଜ ମାର୍କେଟ ନିର୍ମାଣ ହୋଇଛି। ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ଏକକାଳୀନ ୮୦ ଯାତ୍ରୀ ରହିବା ଭଳି ଯାତ୍ରୀ ଆଶ୍ରୟସ୍ଥଳ ରହିଛି। ଏକାମ୍ର ବିକାଶ ଯୋଜନା ଆରମ୍ଭ ହେବା ଦିନରୁ ଏହି ଯାତ୍ରୀ ଆଶ୍ରୟସ୍ଥଳର କିଛି କୋଠରିରେ ମନ୍ଦିର କାର୍ଯ୍ୟାଳୟ ଚାଲିଥିବ‌ା ବେଳେ ଆଉ କିଛିରେ ଏକ ଅନୁଷ୍ଠାନର କାର୍ଯ୍ୟାଳୟ ରହିଛି। ତଥାପି ଆହୁରି ଅନେକ କୋଠରି ଖାଲିପଡ଼ିଛି। ସେଗୁଡ଼ିକ ପର୍ଯ୍ୟଟକଙ୍କ କାମରେ ଲାଗୁନି। ଏଠାରେ ଏକାମ୍ର ବିକାଶ ଯୋଜନାରେ ଅଧିକ କୋଠରି ତିଆରି କଲେ ଅନ୍ତିତଃ କାର୍ତ୍ତିକ ମାସରେ ହବିଷ୍ୟାଳି ରହିବାର ସୁଯୋଗ ପାଆନ୍ତେ। ଅନ୍ୟ ସମୟରେ ମଧ୍ୟ ତାହା ପର୍ଯ୍ୟଟକଙ୍କ କାମରେ ଲାଗନ୍ତା। ରହିବା ପାଇଁ ସୁଲଭ ମୂଲ୍ୟରେ ସ୍ଥାନ ନପାଇ ପର୍ଯ୍ୟଟକମାନେ ରାସ୍ତାକଡ଼ରେ ବା ଲିଙ୍ଗରାଜ ମାର୍କେଟ ବାହାରେ ଶୋଉଥିବାର ଦୃଶ୍ୟ ଏବେ ନିତିଦିନିଆ ହୋଇଗଲାଣି। 

ସକାଳୁ ଚଉରାମୂଳେ ପଡ଼ିଲା ମୁରୁଜ
ସକାଳୁ ସକାଳୁ ଚଉରାମୂଳେ ପଡ଼ିଲା ମୁରୁଜ। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ ଓ ଗରୁଡ଼ ଆଦି ଆଙ୍କି ହବିଷ୍ୟାଳିଙ୍କ ପୂଜା ଆରମ୍ଭ ହେଲା। ଏକାମ୍ରକ୍ଷେତ୍ରରେ ହବିଷ୍ୟାଳିଙ୍କ ବ୍ରତ ପରମ୍ପରା ଅନୁଯାୟୀ ଆଜି ଆରମ୍ଭ ହୋଇଛି। ହବିଷ୍ୟାଳିମାନେ ଏକାମ୍ରକ୍ଷେତ୍ରର ଦୁଦଵାଲା ଧର୍ମଶାଳାରେ ଆଜି ପଞ୍ଚରଙ୍ଗର ଚଉରାମୂଳେ ମୁରୁଜ ପକାଇ ପୂଜା ଆରମ୍ଭ କରିଛନ୍ତି। ସେପଟେ ସୁଆର ସେବାୟତମାନେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ୍ୟ ଡାଲମା ପ୍ରସ୍ତୁତି କରି ଯୋଗାଇଛନ୍ତି। ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦାମୋଦର ବେଶ ମଧ୍ୟ ଆରମ୍ଭ ହୋଇଛି। ମନ୍ଦିରରେ ସକାଳଧୂପ ଓ ସନ୍ଧ୍ୟାଧୂପରେ ଏହି ବେଶ କରାଯାଉଛି। ଆଜି ହବିଷ୍ୟାଳିମାନେ ଭୋର ୪ଟାରୁ ଉଠି ସ୍ନାନକରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସୂର୍ଯ୍ୟଙ୍କୁ ପାଣିଦେଇ ତୁଳସୀ ପାଣି ପାଇଥିଲେ। ତା’ପରେ ଚିତା ତିଳକ ଲଗାଇ ଭାଗବତ ପାଠ କରିଥିଲେ। ଏହାପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉରାମୂଳେ ମୁରୁଜ ପକାଇଥିଲେ। ସନ୍ଧ୍ୟାରେ ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରି ଆଳତି କରିଥିଲେ। ଦର୍ଶନ ସାରି ଅବଢ଼ା ପ୍ରସାଦ ସେବନ କରିଥିଲେ।

ଏଭଳି ପରିସ୍ଥିତିରେ ଧର୍ମଶାଳାଗୁଡ଼ିକରେ ଭଡ଼ା ଦେଇ ରହିବାକୁ ହବିଷ୍ୟାଳି ବାଧ୍ୟ ହେଉଛନ୍ତି। ପୁରୀରେ ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ସୁବିଧା ରହିଥିବା ବେଳେ ଏକାମ୍ରକ୍ଷେତ୍ରରେ ବିନ୍ଦୁସାଗର କୂଳରେ ଥିବା ଧର୍ମଶାଳାରେ ସେମାନେ ଟଙ୍କା ଦେଇ ରହୁଛନ୍ତି। ଆବଶ୍ୟକ ପଡ଼ିଲେ ଏହି ବୟସ୍କ ମହିଳାମାନଙ୍କୁ  କୌଣସି ସହାୟତା କରିବାଲାଗି ସରକାରଙ୍କ ପକ୍ଷରୁ ଜଣକୁ ହେଲେ ନିଯୁକ୍ତ କରାଯାଉନାହିଁ। ଏପରିକି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଏନେଇ କେବେ ଚିନ୍ତା କରିନାହିଁ। ଏସବୁ କାରଣରୁ ଏଠାକୁ ପୂର୍ବଭଳି ହବିଷ୍ୟାଳି ଆସୁନାହାନ୍ତି ବୋଲି କହନ୍ତି ସେବାୟତ ଶରତ ପଣ୍ଡା। ସେହିପରି ସ୍ଥାନୀୟ ଅଧିବାସୀ ମଣ୍ଟୁ ମହାପାତ୍ର କହିଲେ, ସରକାର ହବିଷ୍ୟାଳିଙ୍କ ରହିବା ପାଇଁ ଏଠାରେ ଘର ଓ ଖାଇବା ସୁବିଧା କଲେ ବହୁ ହବିଷ୍ୟାଳି ଏକାମ୍ର କ୍ଷେତ୍ରକୁ ଆସି ହବିଷ ପାଳନ କ‌ରନ୍ତେ। ଅନ୍ୟଜଣେ ସ୍ଥାନୀୟ ଅଧିବାସୀ ମଦନ ମୋହନ ପ୍ରଧାନ କହିଲେ, ବିଏମ୍‌ସି କେବଳ ନିଜ ପ୍ରଚାରରେ ବ୍ୟସ୍ତ ରହୁଛି। ପ୍ରକୃତ ସେବା ପାଇଁ କିଛି କରୁନାହିଁ। ଏଦିଗରେ ମନ୍ଦିର ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହିତ ଏକାମ୍ର ପ୍ରୋଜେକ୍ଟରେ ସରକାର ଏଥିପାଇଁ ବ୍ୟବସ୍ଥା କରିବା ଉଚିତ ବୋଲି ବୁଦ୍ଧିଜୀବୀ ଦାବି କରୁଛନ୍ତି।