ଭୁବନେଶ୍ବର: ବାହାଘର ପରେ ବେଦିମୁହାଁ ପୋଡ଼ା ଭଳି ହକି ସରିଗଲା ପରେ ସହରର ସୌନ୍ଦର୍ଯ୍ୟୀକରଣକୁ ବା କିଏ ପଚାରେ। ସହରରେ ଯେତିକି ସୌନ୍ଦର୍ଯ୍ୟୀକରଣ ହୋଇଥିଲା, ଲୋକ ତା’ ଉପରେ ପାନ ଛେପ ପକାଇଲେଣି। କିଛି ଅବିବେକୀ ତା’ ଉପରେ ପରିସ୍ରା କରିବାକୁ ବି ଟିକିଏ ହେଲେ କୁଣ୍ଠାବୋଧ କରୁନାହାନ୍ତି। ସହରକୁ ସବୁଜିମାରେ ଭରିଦେବା ପାଇଁ ଯୋଉ ଗଛ ସବୁ ଲାଗିଥିଲା, ସେଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ପାଣି ନ ପାଇ ମରିବାକୁ ବସିଲେଣି। ଆଉ ଜବରଦଖଲ କଥା ତ ଛାଡ଼, ହକି ସରୁସରୁ ସେମାନେ ପୁଣି ରାସ୍ତାକଡ଼କୁ ମାଡ଼ି ଆସିଲେଣି। ଚଳିତଥରର ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ସରିଗଲା ହକି ବିଶ୍ୱକପ୍, ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣା ହେବ ତ?’ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।
ହକି ଚାଲିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଗଛଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ ଏବେ ପାଣି ନ ପାଇ ମରିବାକୁ ବସିଲାଣି। ସୁନ୍ଦର ଭାବେ ଚିତ୍ରିତ ହୋଇଥିବା କାନ୍ଥରେ ଲୋକ ପାନ ଛେପ ପକାଇବା ସହ ପରିସ୍ରା ମଧ୍ୟ କରୁଛନ୍ତି। ଏମାନଙ୍କୁ କେହି ରୋକିବାକୁ ବି ନାହିଁ। ତେଣୁ ସୌନ୍ଦର୍ଯ୍ୟୀକରଣ ରକ୍ଷଣାବେକ୍ଷଣା କଷ୍ଟକର ହୋଇପଡ଼ିବ।
-ତ୍ରିଲୋଚନ ରାଉତ, ବାପୁଜୀ ନଗର
ବାଲିଯାତ୍ରା ବେଳେ ମଧ୍ୟ ପଡ଼ିଆକୁ ସୁନ୍ଦର ଭାବେ ସଜାଯାଇଥିଲା। ହେଲେ ତା’ ଅବସ୍ଥା ଏବେ କ’ଣ? ରାଜଧାନୀରେ ହୋଇଥିବା ସୌନ୍ଦର୍ଯ୍ୟୀକରଣର ଅବସ୍ଥା ମଧ୍ୟ ଠିକ୍ ସେହିପରି ହେବ। ସୌନ୍ଦର୍ଯ୍ୟୀକରଣ ପୂରା ନଷ୍ଟ ହେବା ପାଇଁ ସରକାରୀ ଅଧିକାରୀମାନେ ଅପେକ୍ଷା କରିବେ। ପରେ ପୁଣି ସୌନ୍ଦର୍ଯ୍ୟୀକରଣ ଆଳରେ ଅଜସ୍ର ଟଙ୍କା ଖର୍ଚ୍ଚ କରିବେ। ଏମିତି କାହିଁକି କରାଯାଏ, ସେକଥା ସମସ୍ତେ ଭଲ ଭାବେ ଜାଣିଛନ୍ତି।
-ନବୀନ କୁମାର ପରିଡ଼ା, ଭୁବନେଶ୍ୱର
ହେବନି। କାରଣ ସହରରେ ଯେତିକି ବି ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା, ସେଗୁଡ଼ା କେନ୍ଦ୍ର ସରକାର ଦେଇଥିଲେ। ହକି ସରିଲା, କଥା ସରିଲା; ଆଉ ତାକୁ କିଏ ପଚାରେ। ଏବେ ଉଠାଦୋକାନୀମାନେ ପୁଣି ରାସ୍ତା ଅବରୋଧ କଲେଣି। ଦିନକୁ ଦୁଇଥର ଆସି ସଫେଇ କରୁଥିବା ସଫେଇ ଗାଡ଼ି ଏବେ ଥରେ ଆସୁଛି। ତେଣୁ ଖୁବ୍ଶୀଘ୍ର ରାଜଧାନୀ ତା’ ପୂର୍ବ ଅବସ୍ଥାକୁ ଫେରି ଆସିବ।
-ଉଦୟ କୁମାର ସାହୁ, ଅଶୋକ ନଗର
ହକି ବେଳେ ମଧ୍ୟ ସୌନ୍ଦର୍ଯ୍ୟୀକରଣ କାମଚଳା ଭାବେ ହୋଇଥିଲା। ତାହା ଏବେ ଧୀରେଧୀରେ ନଷ୍ଟ ହେବାକୁ ବସିଲାଣି। ଗଛରେ ଲାଗିଥିବା ସବୁ ଲିଚୁ ଲାଇଟ୍ ଖୋଲା ସରିଲାଣି। ରାସ୍ତାକଡ଼କୁ ପୁଣିଥିରେ ଦୋକାନୀମାନେ କବ୍ଜା କରିନେଲେଣି।
-ଆହ୍ୱାନ କୁମାର ପାଇକରାୟ, ୟୁନିଟ୍-୩
ସରକାର କରିଥିବା ସୌନ୍ଦର୍ଯ୍ୟୀକରଣ ଅତ୍ୟନ୍ତ ସୁନ୍ଦର ପଦକ୍ଷେପ ଅଟେ। ଏହାର ରକ୍ଷଣାବେକ୍ଷଣା ମଧ୍ୟ ଠିକ୍ ଭାବେ ହୋଇପାରିବ। ହକି ଅବସରରେ ଅବ୍ୟବସ୍ଥିତ ଭାବେ ପଡ଼ି ରହିଥିବା ଅନ୍ୟ ସ୍ଥାନ ତଥା ମନ୍ଦିର ଏବଂ ଅଞ୍ଚଳଗୁଡ଼ିକ ଏବେ ସ୍ୱଚ୍ଛ ଓ ସୁନ୍ଦର ହେଇପାରିଛି।
-ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼
ଠିକାଦାରଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ଆବଶ୍ୟକ ସରକାରୀ କର୍ମଚାରୀ/ଅଧିକାରୀ ନଥିବା, ସେମାନଙ୍କ ଦାୟିତ୍ୱହୀନତା, ଉଦାସୀନତା ଆଦି କାରଣରୁ ଆଗାମୀ ଦିନରେ ଏହି ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣ ହେବା ଅସମ୍ଭବ।
-ସତ୍ୟ ରଞ୍ଜନ ମହାପାତ୍ର, ଶାସ୍ତ୍ରୀନଗର
ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣ ଖାଲି କ’ଣ ପ୍ରଶାସନ ଓ ସରକାରଙ୍କ କାମ? ସରକାରଙ୍କ ଯେତିକି ଦାୟିତ୍ବ, ସହରର ସବୁ ନାଗରିକଙ୍କ ବି ସମାନ କର୍ତ୍ତବ୍ୟ, ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ।
-ଦିନନାଥ ଦାସ, ଲକ୍ଷ୍ମୀସାଗର
-ବୀରେନ୍ଦ୍ର କିଶୋର କଳସ, ପିଏନ୍ କଲେଜ
କାଇଁ ହେବନି! ନିଶ୍ଚିତ ଭାବେ ହେବ। ହକି ବିଶ୍ବକପ୍ ବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ ଭୁବନେଶ୍ବର ଓ ରାଉରକେଲାର ସୌନ୍ଦର୍ଯ୍ୟୀକରଣ ଦେଖି ଖୁସିବ୍ୟକ୍ତ କରିଥିଲେ। ଏହି ସୌନ୍ଦର୍ଯ୍ୟୀକରଣ ବଜାୟ ରହିଲେ, ଆଗକୁ ମଧ୍ୟ ବହୁ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆମ ସହରରେ ଆୟୋଜନ ହେବ। ଏକଥା ବି ସରକାର ଓ ପ୍ରଶାସନ ଖୁବ୍ ଭଲ ଭାବେ ଜାଣନ୍ତି। ତେଣୁ ନିଶ୍ଚିତ ଭାବେ ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣ ହେବ।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର
ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣା ବ୍ୟୟବହୁଳ। ତେଣୁ ସରକାର ଏଥିପାଇଁ ପ୍ରତିବର୍ଷ ସ୍ବତନ୍ତ୍ର କିଛି ଅନୁଦାନର ବ୍ୟବସ୍ଥା କରାନ୍ତୁ।
-କମଳାକାନ୍ତ ସେନାପତି, ନାଗେଶ୍ୱର ଟାଙ୍ଗି
ଜିନିଷଟିଏ ଗଢ଼ିବାଠାରୁ ତାହାର ରକ୍ଷଣାବେକ୍ଷଣା କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ କାମ। ସହରର ସୌନ୍ଦର୍ଯ୍ୟୀକରଣ ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଯଦି ଏହି କାର୍ଯ୍ୟକୁ ଦାୟିତ୍ୱର ସହ ତୁଲାଇବେ, ତେବେ ଏହା ସବୁ ଦିନ ପାଇଁ ସୁନ୍ଦର ହୋଇ ରହିବ।
-ନୀଳମଣି ମିଶ୍ର, ସୁନ୍ଦରପଦା
ଭୁବନେଶ୍ବରକୁ ଭଲ ଦେଖାଇବା ପାଇଁ ସରକାର ଉପରଠାଉରିଆ ଭାବେ ସହରକୁ ସୁନ୍ଦର କରାଇଥିଲେ। କିନ୍ତୁ ମୁକୁଳା ଡ୍ରେନ୍ରେ ବିଦେଶୀ ସାମ୍ୱାଦିକ ପଡ଼ି ଆହତ ହେବା ଓଡ଼ିଶା ପାଇଁ ଲଜ୍ଜାକର ବିଷୟ ହେଲା। ତେଣୁ ଏବେ ସେହି ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣା କେତେ ଦୂର ସମ୍ଭବ, ତାହା କଳ୍ପନା ବାହାରେ।
-ସୁଧାକର ଦାସ, ପିଏନ୍ କଲେଜ
ହକି ବିଶ୍ୱକପ୍ ପାଇଁ ହୋଇଥିବା ସୌନ୍ଦର୍ଯ୍ୟୀକରଣର ପାଇଁ ସରକାର ବହୁ ରାଜସ୍ୱ ଖର୍ଚ୍ଚ କରିଥିଲେ। ଏବେ ଏହାର ରକ୍ଷଣାବେକ୍ଷଣ ପାଇଁ ଆହୁରି ଖର୍ଚ୍ଚ ହେବ। ତେଣୁ ସବୁଦିନ ପାଇଁ ଏହି ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣା ସମ୍ଭବପର ନୁହେଁ।
-ସୁରେନ୍ଦ୍ର କୁମାର ନାୟକ, ନିଆଳି
କିଛି ସରକାର ବିରୋଧୀ ମନୋଭାବ ନେଇ ଚଳୁଥିବା ଲୋକଙ୍କ ପାଇଁ ଏହି ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣା ହୋଇପାରିବ ନାହିଁ। ସୌନ୍ଦର୍ଯ୍ୟୀକରଣ ଆରମ୍ଭ ଦିନ ଠାରୁ ଏବେ ଯାଏଁ ଅନେକ ଲୋକେ ଏହାକୁ ଶୁଖିଲାଟାରେ ବିରୋଧ କରି ଆସୁଛନ୍ତି।
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର
ହକି ବିଶ୍ୱ କପ୍ ପାଇଁ ହୋଇଥିବା ସୌନ୍ଦର୍ଯ୍ୟୀକରଣର ରକ୍ଷଣା ବେକ୍ଷଣା ହୋଇପାରିବ ନାହିଁ।
-କେଦାର ସାହୁ, ଲିଙ୍ଗିପୁର