ଭୁବନେଶ୍ବର: ଆଜି ରାତିରେ ପୁଣି ଅବକାରୀ ସ୍କ୍ବାଡ୍ ରାଜଧାନୀର କିଛି ବାର୍ରେ ଚଢ଼ଉ କରିଥିଲା। ବାର୍ଗାର୍ଲଙ୍କୁ ନଚାଉଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବାର୍ଗାର୍ଲମାନେ ନାଚୁଥିବା ପ୍ରମାଣ ମିଳିବାରୁ ୨ବାର୍ରେ ଅବକାରୀ ସ୍କ୍ବାଡ୍ ତାଲା ଠୁଙ୍କିଛି। ସିଲ୍ ହୋଇଥିବା ଏହି ୨ବାର୍ ହେଲା ଆମ୍ବିଆନ୍ସ ଓ ବାର୍ବି। ଏହି ୨ ବାର୍ରେ ବାର୍ଗାର୍ଲମାନେ ଗ୍ରାହକଙ୍କ ଚଉକି ପାଖରେ ନାଚୁଥିବା ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଥିଲା। ଏହି ଦୁଇ ବାର୍ରେ ପାଖାପାଖି ୧୫ ବାର୍ଗାର୍ଲ ନୃତ୍ୟ କରୁଥିବା ଜଣାପଡ଼ିଛି। ପୂର୍ବରୁ ପେଣ୍ଟାଗନ ଓ ଏକାମ୍ର ବାର୍କୁ ସମାନ ଅଭିଯୋଗରେ ଅବକାରୀ ସ୍କ୍ବାଡ୍ ସିଲ୍ କରିଥିଲା। ଅବକାରୀ ବିଭାଗର ସଂଶୋଧିତ ନିୟମାନୁସାରେ ଅନୁମତି ପାଇଥିବା ବାର୍ଗୁଡ଼ିକରେ ବାର୍ଗାର୍ଲ ନିୟୋଜିତ ହୋଇପାରିବେ। ସେମାନେ କେବଳ ଗୀତ ଗାଇବାକୁ ଓ ମ୍ୟୁଜିକ୍ ବଜାଇବାକୁ ନିଯୁକ୍ତ ହେବେ।
କୌଣସିଠାରେ ବାର୍ଗାର୍ଲମାନେ ନୃତ୍ୟ କରିପାରିବେ ନାହିଁ। କିନ୍ତୁ ବାର୍ମାଲିକମାନେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାକୁ ଗଳାବାଟ ବାହାର କରିଛନ୍ତି। ବାର୍ଗାର୍ଲମାନଙ୍କୁ ମଞ୍ଚରେ ନାଚିବାକୁ ଦିଆଯାଉନାହିଁ। କିନ୍ତୁ ସେମାନେ ଗୀତ ଗାଇବା ବାହାନାରେ ଗ୍ରାହକଙ୍କ ନିକଟକୁ ଆସି ନୃତ୍ୟ କରୁଛନ୍ତି। ଗ୍ରାହକଙ୍କ ଚଉକିକୁ ଧରି ନୃତ୍ୟ କରୁଛନ୍ତି। ଏଭଳି ଗଳାବାଟ ବି ଗ୍ରାହକଙ୍କୁ ବେଶ୍ ସୁହାଉଛି। ପୂର୍ବରୁ ସେମାନେ ନକଲି ନୋଟ୍ ଉଡ଼ାଉଥିଲେ ଏବେ ଟିପ୍ସ ଆକାରେ ଅସଲି ନୋଟ୍ ଗେଞ୍ଜି ଦେଉଛନ୍ତି। ଏମିତି ଅଭିଯୋଗ ଆସିବା ପରେ ଅବକାରୀ ସ୍କ୍ବାଡ୍ ଚଢ଼ଉ ଚଳାଇଛି। ଗତ ସପ୍ତାହରେ କଟକରୋଡ୍ସ୍ଥିତ ପେଣ୍ଟାଗନ୍ ଓ ଏକାମ୍ର ବାର୍ରେ ଚଢ଼ଉ କରାଯାଇଥିଲା। ଏହାପରେ ପୁଣି କିଛି ବାର୍ ବିରୋଧରେ ଏଭଳି ଅଭିଯୋଗ ଆସିଥିଲା। ମାତ୍ର ବାର୍ମାଲିକମାନେ ଏହାକୁ ଅସ୍ବୀକାର କରିଥିଲେ। କିନ୍ତୁ ଆଜି ଅତର୍କିତ ଭାବେ ଆମ୍ବିଆନ୍ସ ଓ ବାର୍ବି ବାର୍ରେ ଚଢ଼ଉ କରାଯାଇଛି। ତୁରନ୍ତ ବାର୍ ଦୁଇଟିକୁ ସିଲ୍ କରାଯିବା ସହ ମାଲିକମାନଙ୍କୁ ନୋଟିସ୍ କରାଯାଇଛି।