ଭରତପୁର ଥାନାରେ ପରିବାରଲୋକ, ନୂଆପଲ୍ଲୀରେ ଆଇଆଇସି

କମିସନରେଟ ପୁଲିସର ଇଏ କେମିତିକା ବ୍ୟବସ୍ଥା?

ଭୁବନେଶ୍ୱର : ବଡ଼ ବିଚିତ୍ର ବ୍ୟବସ୍ଥା ଦେଇ ଗତି କରୁଛି କମିସନରେଟ୍‌ ପୁଲିସ। ଶୃଙ୍ଖଳିତ ବିଭାଗର ବିଶୃଙ୍ଖଳିତ ବ୍ୟବସ୍ଥାର ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି। ଗୋଟିଏ ପଟେ ମାସ ମାସ ଧରି ବଦଳି ହୋଇଥିବା ଅଫିସର୍‌ଙ୍କୁ ରିଲିଭ୍‌ ଦିଆଯାଉନଥିବା ବେଳେ, ଗୋଟିଏ ଆଇଆଇସିଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଥାନା ଦାୟିତ୍ବ ଦିଆଯାଇଥିବାରୁ କି’ ସମସ୍ୟା ସୃଷ୍ଟି ହେଉଛି, ତାହାର ଉଦାହରଣ ଆଜି ଏହି ଘଟଣାରେ ଦେଖିବାକୁ ମିଳିଥିଲା।

ସୁରେଖାଙ୍କ ହତ୍ୟା ଖବର ଶୁଣି ସଂଧ୍ୟାରେ ବ୍ରହ୍ମଗିରିରୁ ତାଙ୍କ ମା’ ଓ ସମ୍ପର୍କୀୟମାନେ ଭରତପୁର ଥାନାରେ ପହଞ୍ଚିଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇଥିଲେ ଓ ମୃତଦେହ ଯିବା ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। କିନ୍ତୁ ପରିବାରଲୋକ ପହଞ୍ଚିବା ବେଳକୁ ଆଇଆଇସି ଥାନାରେ ନ ଥିଲେ। କାରଣ ଭରତପୁର ଥାନାଧିକାରୀ ବିଶ୍ବରଞ୍ଜନ ସାହୁଙ୍କୁ ନୂଆପଲ୍ଲୀ ଥାନା ଆଇଆଇସି ଇନ୍‌ଚାର୍ଜ ଦାୟିତ୍ବରେ ରହିଛନ୍ତି। ତେଣୁ ସେହି ଥାନାର ମାମଲା ରୁଜୁ, ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ, କୋର୍ଟଚାଲାଣ କାଗଜପତ୍ର କାମରେ ଆଇଆଇସିଙ୍କ ଉପସ୍ଥିତି ନିହାତି ଜରୁରୀ। ଏପଟେ ଫେରାର୍‌ ଥିବା ହତ୍ୟା ଅଭିଯୁକ୍ତକୁ ଧରିବା ପାଇଁ ତ୍ବରିତ ତଦନ୍ତ, ପରିବାରଲୋକଙ୍କଠାରୁ ଯୁବତୀ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହର ଯଥେଷ୍ଟ ଆବଶ୍ୟକତା ରହିଥିଲା। ଯେତେଶୀଘ୍ର ତଦନ୍ତ ଓ ଅଭିଯୁକ୍ତ ସମ୍ପର୍କରେ ସୂଚନା ସଂଗ୍ରହ ହେବ, ସେତେ ଶୀଘ୍ର ଧରାପଡ଼ିବାର ସମ୍ଭାବନା ରହିଛି। କିନ୍ତୁ ଆଇଆଇସି ନୂଆପଲ୍ଲୀ ଥାନା ଦାୟିତ୍ବ ବୁଝିବା ଏକ ବଡ଼ ସମସ୍ୟା ଛିଡ଼ା କରିଛି।

ଆଇନଶୃଙ୍ଖଳା ଦୃଷ୍ଟିରୁ ଦୁଇଟି ଯାକ ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଥାନା। କାରଣ ଦୁଇ ଥାନା ଅଧୀନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ରହିଛି। ୨୦୨୧ରେ ଭରତପୁର ଥାନାରେ ୪୫୦ରୁ ଅଧିକ ଓ ନୂଆପଲ୍ଲୀରେ ୬୨୦ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ୧୦ଦିନ ଭିତରେ ଦୁଇଟି ଥାନାରେ ୩୦ରୁ ଅଧିକ ମାମଲା ହେଲାଣି। ଜଣେ ଆଇଆଇସି କିପରି ଦୁଇଟି ଗୁରୁତ୍ବପୂର୍ଣ୍ଣ ଥାନାର ଦାୟିତ୍ବ ତୁଲାଇବେ, ତାହା କେବଳ ଚିନ୍ତାଜନକ ନୁହେଁ ଚ୍ୟାଲେଞ୍ଜ ମଧ୍ୟ। ଯଦି ଦୁଇଟି ଥାନା ଅଞ୍ଚଳରେ ଏକା ସାଙ୍ଗରେ ଦୁଇଟି ହତ୍ୟାକାଣ୍ଡ ଘଟିଲା, ତାହେଲେ କିଭଳି ପରିସ୍ଥିତି ସୃଷ୍ଟି ହେବ, ତାହା ଆଜିର ଘଟଣାରୁ ସହଜେ ଅନୁମାନ କରାଯାଇପାରେ। ଡିଏସପି ପାହ୍ୟାକୁ ପଦୋନ୍ନତି ଓ ବଦଳି ହୋଇଥିବା ଶରତ ଚନ୍ଦ୍ର ସାହୁ ହଠାତ୍ ରିଲିଭ୍ ହେଲା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। କେବେ ନୂଆପଲ୍ଲୀ ଥାନାରେ ଆଇଆଇସି ନିଯୁକ୍ତ ହେବେ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର