ଆଇଆଇଟିର ସପ୍ତମ ସମାବର୍ତ୍ତନ ଉତ୍ସବ: ବିଫଳତା ବିନା ସଫଳତା ସ୍ୱାଦହୀନ

ତିନି ଜଣଙ୍କୁ ସ୍ୱର୍ଣ୍ଣ, ୧୫ ଜଣଙ୍କୁ ରୌପ୍ୟ ପଦକ

ଜଟଣୀ: ଜୀବନରେ ବିଫଳତା ଆସିବା ସ୍ୱାଭାବିକ ଏବଂ ପ୍ରାକୃତିକ। ଏହା ବିନା ଜୀବନର ମୂଲ୍ୟବୋଧ ବୁଝିବା କଷ୍ଟକର। କାରଣ ବିଫଳତା ବିନା ସଫଳତା ସ୍ୱାଦହୀନ ହୋଇଥାଏ। ଉଭୟ ସଫଳତା ଏବଂ ବିଫଳତା ଜୀବନର କବିତା ସ୍ୱରୂପ। ତେଣୁ ବିଦ୍ୟାର୍ଥୀମାନେ ବିଫଳତାରେ ମର୍ମାହତ ନ ହୋଇ ଏକନିଷ୍ଠ ଚିତ୍ତରେ ଆଗେଇ ଯିବା ଦରକାର। ଏଭଳି ମନବୃତ୍ତି ଜଣକୁ ଗବେଷଣା, ଆବିଷ୍କାର ଏବଂ ଉଦ୍ଭାବନମୁହାଁ କରାଇବା ସହ ସମାଜକୁ କିଛି ନୂଆ କରି ଦେଖେଇବାର ଆହ୍ଵାନକୁ ମୁକାବିଲା ପାଇଁ ସହାୟକ ହୋଇପାରିବ। ଏଭଳି ବୌଦ୍ଧିକ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା। ଜଟଣୀ ନିକଟ ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ସପ୍ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଶର୍ମା ଛାତ୍ରଛାତ୍ରୀମାନଙ୍କୁ ପରୋକ୍ଷରେ ଗବେଷଣାମୁଖୀ ହେବା ପାଇଁ ଏଭଳି ଆହ୍ଵାନ କରିଛନ୍ତି।

ସମାବର୍ତ୍ତନ ଉତ୍ସବରେ ପୌରୋହିତ୍ୟ କରି ଆଇଆଇଟି ପରିଚାଳନା ପରିଷଦ ଅଧ୍ୟକ୍ଷ ପଙ୍କଜ ରମଣଭାଇ ପଟେଲ୍‌ କହିଥିଲେ ଯେ ଦେଶର ଅନ୍ୟ ଆଇଆଇଟି ତୁଳନାରେ ଶିକ୍ଷାଦାନ କ୍ଷେତ୍ରରେ ଭୁବନେଶ୍ୱର ଆଇଆଇଟି ନୂଆ ହୋଇଥିଲେ ମଧ୍ୟ ଖୁବ୍‌ କମ୍‌ ଦିନରେ ନିଜର ପରାକାଷ୍ଠା ଦେଖାଇ ପାରିଛି। ଆଇଆଇଟି ଭୁବନେଶ୍ୱର ନିଜସ୍ୱ ପରିସରରେ ଏବେ ପୂର୍ଣ୍ଣ କାଯ୍ୟର୍କ୍ଷମ ହେବାକୁ ଅଣ୍ଟା ଭିଡ଼ିଥିବା ସମୟରେ ଛାତ୍ରଛାତ୍ରୀମାନଙ୍କ ସଫଳତା ଏହାକୁ ଦ୍ୱିଗୁଣିତ କରିପାରିଛି ବୋଲି ମତ ରଖିଥିଲେ ନିର୍ଦ୍ଦେଶକ ପ୍ରଫେସର ଆର୍‌ଭି ରାଜାକୁମାର। ଏହି ଅବସରରେ ସେ ୭ଟି ବିଭାଗର ପିଚ୍‌ଡି, ଏମ୍‌ଟେକ୍‌, ଏମ୍‌ଏସ୍‌ସି ଏବଂ ବିଟେକ୍‌ ଡିଗ୍ରି ପାଇଁ ମୋଟ ୩୩୨ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବା ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନନ୍ଦୁରୀ ଦିବାକର ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ଶାୟନ ରାଏ ଏବଂ ଦେବଲିନା ମୁଖାର୍ଜୀ ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ବେଳେ ୧୫ ଜଣଙ୍କୁ ରୌପ୍ୟପଦକରେ ସମ୍ମାନିତ କରାଯାଇଛି। ଆଜିର ସମାବର୍ତ୍ତନ ଉତ୍ସବରେ ମୋଟ ୨୧୫ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଡିଗ୍ରି ପ୍ରମାଣପତ୍ର ହାସଲ କରିଥିଲେ। ସେହିପରି ଉତ୍ସବରେ ଆଇଆଇଟିର ବିଭିନ୍ନ ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରଫେସର ପ୍ରଭାସ ରଞ୍ଜନ ସାହୁ, ପ୍ରଫେସର ଭିଆର୍‌ ପେଡିରେଡି, ପ୍ରଫେସର ସରୋଜ ନାୟକ, ପ୍ରଫେସର ସ୍ୱରୁପ ମହାପାତ୍ର ଏବଂ କୁଳସଚିବ ଡ. ଦେବରାଜ ରଥ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର