ଆଇଆଇଟି ଭୁବନେଶ୍ବରର ୮ମ ସମାବର୍ତ୍ତନ ଉତ୍ସବ : ଜୀବନରେ ଯାହା ଚାହିଁଛି, ପ୍ରଥମ ଉଦ୍ୟମରେ ପାଇନି – ଇସ୍ରୋ ଅଧ୍ୟକ୍ଷ

ସଫଳତାର ତିନି ସୂତ୍ରୀ ଫର୍ମୁଲା ଦେଲେ ଶିବନ୍

ଭୁବନେଶ୍ବର : ଜୀବନରେ ଲକ୍ଷ୍ୟ ହାସଲ କରିବାକୁ ହେଲେ ବହୁ ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିବ। ହେଲେ ଏଥିରେ ଭାଙ୍ଗି ପଡ଼ିବା ଠିକ୍ ନୁହେଁ। ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ନିଜର ଭୟ ଉପରେ ବିଜୟ ହାସଲ କର, ଦ୍ବିତୀୟରେ କିଛି ଯୋଜନାବଦ୍ଧ ରିସ୍କ ନିଅ, ତୃତୀୟରେ କିଛି ନୂଆ କରିବାର ଆକାଂକ୍ଷା ରଖ।

ଆଇଆଇଟି, ଭୁବନେଶ୍ବରର ୮ମ ସମାବର୍ତ୍ତନ ଉତ୍ସବରେ ଇସ୍ରୋର ଅଧ୍ୟକ୍ଷ କେ.ଶିବନ ମୁଖ୍ୟ ଅତିଥି ଭାବେ ଯୋ‌ଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ତିନି ସୂତ୍ରୀ ଫର୍ମୁଲା ଦେଇଛନ୍ତି। ସେ କହିଥିଲେ ଯେ ମୁଁ ଜୀବନରେ ଯାହା ଚାହିଁଛି ତାହା ପ୍ରଥମ ଥରରେ ପାଇନି। ମୋର ପାଠପଢ଼ାଠାରୁ ଆରମ୍ଭ କରି ବର୍ତ୍ତମାନର ଚାକିରି ଜୀବନ ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟରେ ପ୍ରଥମେ ବିଫଳତାର ସ୍ବାଦ ଚାଖିଛି। ସଦାବେଳେ ମୋ ମନକୁ ଲକ୍ଷ୍ୟରେ ନପହଞ୍ଚିବାର ଭୟ ଘାରିଥାଏ। କିନ୍ତୁ ଭବିଷ୍ୟତରେ ବହୁତ ଭଲ ପାଇବାର ଆକାଂକ୍ଷା ଦ୍ବାରା ମୁଁ ମୋର ଭୟ ଉପରେ ବିଜୟ ହାସଲ କରିଛି।

ଜୀବନରେ ଯଦି କେବେ କିଛି ରିସ୍କ ନେ‌ବନି ତେବେ ଜୀବନରେ କିଛି ବଡ଼ ହାସଲ କରିପାରିବନି। କିଛି ଯୋଜନାବଦ୍ଧ ରିସ୍କ ନେଲେ ଯଦି କିଛି ଅସୁବିଧା ହୁଏ ତେବେ ସେଥିରୁ ମୁକୁଳିପାରିବ। ମନ ଭିତରେ କିଛି ନୂଆ କରିବାର ଆକାଂକ୍ଷା ରହିଲେ ଅଧିକ ରିସ୍କ ନେବାକୁ ପଡ଼ିବ ଏବଂ ବିଫଳତାର ସ୍ବାଦ ବି ଚାଖିବାକୁ ପଡ଼ିପାରେ। ମୁଁ କହିବାକୁ ଚାହୁଁନି ଯେ ବିଦ୍ୟୁତ ବଲ୍‌ବ ଉଦ୍ଭାବନ କରିବା ପାଇଁ ଏଡିସନ୍ କେତେଥର ବିଫଳ ହୋଇଛନ୍ତି କି ଇସ୍ରୋ ପ୍ରକ୍ଷେପଣ ଯାନ ପ୍ରକ୍ଷେପଣ କରିବା ପାଇଁ କେତେଥରରେ ସଫଳ ହୋଇଛି। ଏହି ବିଫଳତା କିନ୍ତୁ କେବେ ବାଧକ ସାଜିନି। ଇସ୍ରୋ ଏହି ବିଫଳତାକୁ ସୁଯୋଗ ଭାବେ ନେଇଥିବାରୁ ଆଜି ଏତେ ସଫଳ ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ପାଇବାକୁ ହେଲେଏହି ସୂତ୍ର ଆପଣାଇବାକୁ ହେବ ବୋଲି ଶିବନ୍ କହିଛନ୍ତି।

ଏହି ଅବସରରେ ସେ କହିଥିଲେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍‌ କଲାମ କହିଥି‌‌ଲେ ଯେ ତୁମର ସ୍ବପ୍ନ ତୁମକୁ ରାତିରେ ଶୁଆଇ ନଦେବା ଦରକାର। ମହାନ୍ ଲୋକଙ୍କ କଥାରେ ଅନୁପ୍ରାଣିତ ହୁଅ। କିନ୍ତୁ ତାଙ୍କୁ ଅନୁକରଣ କରନି। ତୁମକୁ ସମସ୍ୟାର ପ୍ରକୃତ ସମାଧାନ କରିବାକୁ ହେବ, କାହାର ବିଚାରଧାରାର ନକଲ ନୁହେଁ। ଯଦି ତୁ‌େମ ଜଣେ ଜଣେ ଅବଦୁଲ୍‌ କଲାମ ହେବାକୁ ଚାହୁଁଛ, ତେବେ ତାଙ୍କ କେଶ ବିନ୍ୟାସକୁ ନୁହେଁ, ତାଙ୍କ ବିଚାରଧାରା ଏବଂ ବାର୍ତ୍ତାକୁ ଅନୁଧାବନ କର।

ସମାବର୍ତ୍ତନ ଉତ୍ସବରେ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ଆର୍‌.ଭି ରାଜକୁମାର ଅଧ୍ୟକ୍ଷତା କରି ଅନୁଷ୍ଠାନର ସଫଳତା ବିଷୟରେ କହିଥିଲେ। ଦେଶରେ ଥିବା ୨୩ଟି ଆଇଆଇଟି ମଧ୍ୟରୁ ଭୁବନେଶ୍ବର ଆଇଆଇଟି ସବୁଠୁ ଅଧିକ ନିଯୁକ୍ତି ଦେବାର ରେକର୍ଡ କରିଛି। ମାତ୍ର ୧୧ ବର୍ଷରେ ଅନୁଷ୍ଠାନକୁ ଏହି ସଫଳତା ମିଳିବା ଅତ୍ୟନ୍ତ ଗୌରବର କଥା। ଆଗାମୀ ଦିନରେ ଗବେଷଣା ଏବଂ ପ୍ରକାଶନକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ। ଆଇଆଇଟି ଭୁବନେଶ୍ବରର ଗଭର୍ଣ୍ଣିଂ ବଡି ସଦସ୍ୟ ଭି.କେ ତିୱାରୀ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ୩୨ଜଣଙ୍କୁ ପିଏଚ୍‌ଡି, ୧୦୫ଜଣଙ୍କୁ ଏମ୍‌.ଟେକ୍, ୬୭ଜଣଙ୍କୁ ଏମ୍‌ଏସ୍‌ସି, ୧୫୨ଜଣଙ୍କୁ ବିଟେକ୍ ଡିଗ୍ରି ପ୍ରଦାନ କରାଯାଇଥିଲା। ବି.ଟେକ୍ ଛାତ୍ର ଶ୍ରୋହନ ମହାପାତ୍ରଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣ ପଦକ, ଏମ୍‌ଟେକ୍ ଛାତ୍ର ରାହୁଲ ଦାସଙ୍କୁ ନିର୍ଦ୍ଦେଶକ ସ୍ବର୍ଣ୍ଣ ପଦକ, ଏମ୍‌ଏସ୍‌ସି ଛାତ୍ର ଅନୁଭବ ନାଥଙ୍କୁ ନିର୍ଦ୍ଦେଶକ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର