ଭୁବନେଶ୍ବର ଆଇଆଇଟି ଦେଖାଇଲା ନୂଆ ବାଟ, କାଗଜ କଲମରେ ଅନଲାଇନ୍‌ ପରୀକ୍ଷା

ଭୁବନେଶ୍ବର : କୋଭିଡ୍‌ ଦ୍ବିିତୀୟ ଲହର ସହ ସାରା ଦେଶ ସଂଗ୍ରାମ କରୁଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି। ଏହି ସମୟରେ ଭୁବନେଶ୍ବର ଆଇଆଇଟି କାଗଜ କଲମରେ ଅନ୍‌ଲାଇନ୍‌ ପରୀକ୍ଷା କରି ଅନ୍ୟ ଶିକ୍ଷାନୁଷ୍ଠାନଙ୍କ ପାଇଁ ଉଦାହରଣ ପାଲଟିଛି। ଭୁବନେଶ୍ବର ଆଇଆଇଟି ଏହାର ବି.ଟେକ୍‌ ପ୍ରଥମ ବର୍ଷ ପରୀକ୍ଷା ବ୍ୟତୀତ ସମସ୍ତ ପରୀକ୍ଷା ଶେଷ କରିଛି। ତାହା ପୁଣି କାଗଜ କଲମରେ। ଛାତ୍ରଛାତ୍ରୀ ନିଜ ଘରେ ମୋବାଇଲ କିମ୍ବା ଲାପଟପ୍‌ ସମ୍ମୁଖରେ ବସିବେ। ଏହାର ସିଧାସଳଖ ଚିତ୍ର ନିରୀକ୍ଷକ ଦେଖିବେ। ପରୀକ୍ଷାର କିଛି ସମୟ ପୂର୍ବରୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ପରୀକ୍ଷାର୍ଥୀ କାଗଜ କଲମରେ ଲେଖିବେ। ନିର୍ଧାରିତ ସମୟରେ ଉତ୍ତର ଲେଖିବା ପରେ ନିରୀକ୍ଷକଙ୍କ ନିକଟକୁ ଫଟୋ କପି ପଠାଇବେ। ସମ୍ପୂର୍ଣ୍ଣ ପରୀକ୍ଷାକୁ ନିରୀକ୍ଷକ ତଦାରଖ କରିବେ। କୌଣସି ପରୀକ୍ଷାର୍ଥୀଙ୍କର କିଛି ଅସୁବିଧା ହେଲେ, ସେମାନେ ସଙ୍ଗେସଙ୍ଗେ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ହେଲ୍ପ-ଡେସ୍କ ନମ୍ବରରେ କଲ କରିପାରିବେ। ଏସବୁ ପ୍ରକ୍ରିୟା ନିର୍ଦ୍ଧିଷ୍ଟ ସମୟରେ ହେଉଥିବାରୁ ଏହା ସ୍ବଚ୍ଛ ହୋଇପାରିଛି ବୋଲି ଆଇଆଇଟି ନିର୍ଦେଶକ ଆର୍‌.ଭି ରାଜାକୁମାର କହିଛନ୍ତି।

୨୦୨୦ ମାର୍ଚ୍ଚରେ ଲକଡାଉନ୍ ଘୋଷଣା ହେବା ପୂର୍ବରୁ ଶିକ୍ଷାନୁଷ୍ଠାନ ନିରନ୍ତର ଭାବେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ ଶିକ୍ଷା ଦେଉଛି। କାଗଜ ଓ କଲମରେ ପରୀକ୍ଷା କରିବା ପାଇଁ ଏକ ନିଆରା ଏବଂ ଅଭିନବ ଅନ୍‌ଲାଇନ୍ ପଦ୍ଧତି ମଧ୍ୟ ବିକଶିତ କରିଥିଲା। ଏଥିପାଇଁ ଅଧ୍ୟାପକଙ୍କୁ ତାଲିମ ଦିଆଯାଇଥିଲା। ଶେଷ ସେମିଷ୍ଟର୍‌ ପରୀକ୍ଷା କରିବା ପାଇଁ ସଫଳତାର ସହିତ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିଥିଲା। ଫଳରେ ପରିସ୍ଥିତି ସହ ସାଲିସ ନ କରି ଶିକ୍ଷାନୁଷ୍ଠାନ ୨୦୨୦-୨୧ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରିପାରିଛି। କୋଭିଡ୍‌ ମୁକାବିଲାରେ ଭୁବନେଶ୍ବର ଆଇଆଇଟି ଅନେକ ଉତ୍ପାଦ ପରିଚାଳନା ଓ ସଫଳତାର ସହ ବିକଶିତ କରିଥିଲା। ମହାମାରୀ ସମୟରେ ଏହାର ପ୍ରଦର୍ଶନ ପାଇଁ ଅନୁଷ୍ଠାନକୁ ଏଫ୍‌ଆଇସିସିଆଇ ଦ୍ବାରା ୟୁନିଭର୍ସିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର