କରୋନା ପାଇଁ ଆଇଆଇଟି ଭୁବନେଶ୍ବର ନିର୍ମାଣ କଲା ଛୋଟ ଭେଣ୍ଟିଲେଟର୍‌

ଭୁବନେଶ୍ବର : କରୋନାକୁ ମାତ୍‌ ଦେବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟୋଗ ହେଉଥିବା ବ‌େଳେ ଆଇଆଇଟି ଭୁବନେଶ୍ବର ଏକ ନୂଆ ପ୍ରକାରର ଭେଣ୍ଟିଲେଟର ପ୍ରସ୍ତୁତ କରିଛି। ସବୁଠୁ ବଡ଼ କଥା ହେଉଛି, ଏହା ଏକ ସେମି-ଅଟୋମେଟେଡ୍‌ ଭେଣ୍ଟିଲେଟର। ଏହାର ନାମ ରଖାଯାଇଛି ପେସେଣ୍ଟ ରେସପନ୍‌ସିଭ୍‌ ଆକ୍ଟିଭ ଆସିଷ୍ଟ କଣ୍ଟ୍ରୋଲ୍‌ (ପ୍ରାଣ)। ଏହା ଜରିଆରେ ଜଣଙ୍କ ଆବଶ୍ୟକତା ମୁତାବକ ଅମ୍ଳଜାନ ଯୋଗାଇ ଦିଆଯାଇପାରିବ। ଏହାର ପମ୍ପିଂ ମଧ୍ୟ ଆବଶ୍ୟକତ‌‌ା ଅନୁସାରେ କମାଯାଇପାରିବ ଓ ବଢ଼ାଯାଇପାରିବ। ଆଇଆଇଟି, ଭୁବନେଶ୍ବର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏଥିପାଇଁ ୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ତେବେ ମାର୍କେଟ୍‌ରେ ଏହାକୁ ବହୁ ସଂଖ୍ୟାରେ ଯୋଗାଇବା ପାଇଁ ୧୦ ହଜାର ଟଙ୍କାରେ ଉପଲବ୍ଧ ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

ସ୍କୁଲ୍‌ ଅଫ ମିନେ‌ରାଲ୍‌ସ, ମେଟାଲର୍ଜିକାଲ୍‌ ଆଣ୍ଡ ମ୍ୟାଟେରିଆଲ୍‌ସ ଇଂଜିନିୟରିଂର ପ୍ରଫେସର ଡ.କୋଦଣ୍ଡ ରାମ ମଙ୍ଗିପୁଡି, ସ୍କୁଲ୍‌ ଅଫ ଇଲେକ୍ଟ୍ରିକାଲ୍‌ ସାଇନ୍‌ସର ଡ.ଶ୍ରୀନିବାସ କାରାଙ୍କିଙ୍କ ଉଦ୍ୟମରେ ଏହା ପ୍ରସ୍ତୁତ କରାଯାଇଥିବା ବେଳେ ଛାତ୍ର ଚିନ୍ମୟ ପଣ୍ଡା, ଅରବିନ୍ଦ ଟି.କେ.ଆର, କାର୍ତିକ ସିରିସେଟ୍ଟି, ଈଶ୍ବର ସାଇପ୍ରସାଦ, ସୁଧାଂଶୁ ଶେଖର ନାଥ, ରାହୁଲ କୁମାର ସହଯୋଗ କରିଛନ୍ତି। ପ୍ରଫେସର କୋଦଣ୍ଡ ଦେଇଥିବା ସୂଚନା ମୁତାବକ, ‘ପ୍ରାଣ’ ଭେଣ୍ଟିଲେଟର ଜରିଆରେ ଜଣେ ରୋଗୀ ଭେଣ୍ଟିଲେଟରରେ ପ୍ରାକୃତିକ ଭାବେ ନିଃଶ୍ବାସ ପ୍ରଶ୍ବାସ ନେଇପାରିବ। ଏହା ଜରିଆରେ ଶୀଘ୍ର ନିଜର ଶ୍ବାସ ପ୍ରଶ୍ବାସର ଗତିରେ ସୁଧାର ଅଣାଯାଇପାରିବ। ଏହାଦ୍ବାରା ଫୁସ୍‌ପୁସ ଖରାପ ହେବାର ଆଶଙ୍କା କମ୍‌ ରହିବ।

ଯଦି ଶ୍ବାସକ୍ରିୟାର ଫ୍ରିକ୍ବେନ୍‌ସିକୁ ଭୁଲ୍‌ ସେଟ୍‌ କରିଦିଆଯାଏ, ତେବେ ଏହା ରୋଗୀ କ୍ଷେତ୍ରରେ ଓଭରଲୋଡ୍‌ ହୋଇଯିବା ସହ ଏହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ। ମାତ୍ର ‘ପ୍ରାଣ’ ଭେଣ୍ଟିଲେଟର ଜରିଆରେ ଶ୍ବାସକ୍ରିୟାର ଫ୍ରିକ୍ବେନ୍‌ସିକୁ ଆକଳନ କରି ଷ୍ଟାଣ୍ଡାର୍ଡ ଭଲ୍ୟୁମ କଣ୍ଟ୍ରୋଲ୍‌ ମୋଡ୍‌ ଦ୍ବାରା ସେଟ୍‌ କରି ଏହାର ପରିଚାଳନା କରାଯିବାର ସୁବିଧା ଥିବାରୁ ଏଥିରେ ଫୁସ୍‌ଫୁସ ଖରାପ ହେବାର ଆଶଙ୍କା କମ୍‌ ରହିବ। ଏହି ପୋର୍ଟେବୁଲ୍‌ ତଥା ସହଜରେ ନେବା ଆଣିବା ଯୋଗ୍ୟ ଭେଣ୍ଟିଲେଟରର ଓଜନ ମାତ୍ର ୩ କିଲୋଗ୍ରାମ ରହିଥିବାରୁ ଏହାକୁ ପରିଚାଳନା କରିବା ସହଜ। ଏହାକୁ ମରାମତି କରିବା ମଧ୍ୟ କଷ୍ଟ ନୁହେଁ। ଏକ ମୋଟର ଓ ପିଷ୍ଟନ ଭଳି ଯନ୍ତ୍ର ସଂଲଗ୍ନ ହୋଇଥିବାରୁ ଏହାକୁ ଜଣେ (ସେମି ସ୍କିଲ୍‌ଡ) ଅର୍ଧକୁଶଳୀ କାରିଗର ମଧ୍ୟ ମରାମତି କରିପାରିବ। ଏହାକୁ ବ୍ୟବହାର କରାଯିବା ବ‌େଳେ ଏହା ବିନା କୌଣସି ଶବ୍ଦରେ ଆରମରେ କାର୍ଯ୍ୟ କରିବ।

ଆଇଆଇଟି ଭୁବନେଶ୍ବର ପକ୍ଷରୁ ‘ପ୍ରାଣ’ ବ୍ୟତୀତ ‌ପ୍ରତ୍ୟେକ ଦିନ ବ୍ୟବହାର କରାଯାଉଥିବା ଜିନିଷଗୁଡ଼ିକୁ ସଂକ୍ରମଣମୁକ୍ତ କରିବା ପାଇଁ ମଧ୍ୟ ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏକ ‘ମଲ୍ଟି ସରଫେସ ସାନିଟାଇଜର’ ପ୍ରସ୍ତୁତ କରାଯାଇଛି। ଯାହା ଜରିଆରେ ୟୁବିସି ଲାଇଟ୍‌ର ପ୍ରୟୋଗ କରାଯାଉଛି। ଏହି ଚାମ୍ବର ମଧ୍ୟରେ ଯେ କୌଣସି ଜିନିଷକୁ ରଖି ସଂକ୍ରମଣମୁକ୍ତ କରାଯାଇପାରିବ। ଏହା ୧୫ ମିନିଟ୍‌ ମଧ୍ୟରେ ଜିନିଷଗୁଡ଼ିକ ସଂକ୍ରମଣମୁକ୍ତ କରିଦେବ। ଏହା ବ୍ୟତୀତ ସଂସ୍ଥାନ ପକ୍ଷରୁ ନିର୍ମିତ ଆଉ ଏକ ଉପକରଣ ଜରିଆରେ ମୋବାଇଲ୍‌, ମାସ୍କ ଓ ପିପିଇକୁ ସଂକ୍ରମଣମୁକ୍ତ କରାଯାଇ ପାରୁଛି। ସଂପ୍ରତି ଆଇଆଇଟି, ଏନଆଇଟି ସମଗ୍ର ଦେଶରେ ବୈଷୟିକ ଜ୍ଞାନ ଜରିଆରେ ନୂଆ ନୂଆ ପ୍ରୟୋଗ କରୁଥିବା ବେଳେ ଆଇଆଇଟି ଭୁବନେଶ୍ବର ମଧ୍ୟ ନୂଆ ନୂଆ ପ୍ରୟୋଗ ପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର